-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ବରଗଡ଼(ତୁଳସୀ ଚରଣ ଦାଶ): ବରଗଡ଼ସ୍ଥିତ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଅଛି। ଏହି ଅବସରରେ ବରଗଡ଼ ଟାଉନ୍ ଥାନାର ଆଇଆଇସି ଶ୍ରୀ ଚିତ୍ତରଞ୍ଜନ ମେହେର, ଅତିରିକ୍ତ ଆଇଆଇସି ଶ୍ରୀ ଶଶିକାନ୍ତ ସାହୁ, ଏଏସ୍ଆଇ ଶ୍ରୀ ଭଗତ ସିଂହଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଆଇଆଇସି ଶ୍ରୀ ଚିତ୍ତରଞ୍ଜନ ମେହେର ଏକତା ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ବିଷୟରେ ଆଲୋକପାତ କରିବା ସହ ଜାତୀୟ ଏକତା, ସାମ୍ପ୍ରଦାୟିକ ସଦ୍ଭାବନା ଏବଂ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ।
ଏହି ଅବସରରେ *ବିବିଧତା ମଧ୍ୟରେ ଏକତା'* ଏବଂ 'ନିଶାମୁକ୍ତ ଭାରତ' ବିଷୟବସ୍ତୁକୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରୀମାନେ ନିଜର ସୃଜନଶୀଳତା ଓ ଚିତ୍ରକଳା ମାଧ୍ୟମରେ ଏକତା, ଭାଇଚାରା ଓ ନିଶାମୁକ୍ତ ସମାଜର ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୋଲିସ ବିଭାଗ ଓ ବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ଏକତା, ସାମାଜିକ ଦାୟିତ୍ୱବୋଧ ଓ ନିଶାମୁକ୍ତ ଭାରତ ଗଠନର ଚେତନା ଜାଗ୍ରତ କରିଥିଲା।
---------×××---------