-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2026
ଭୁବନେଶ୍ବର(ପ୍ରେରଣା ଖବର): ବଲାଙ୍ଗୀରର ଆର୍ ଏନ୍ ସିଂହଦେଓ ସ୍ପୋର୍ଟସ୍ କଂପ୍ଲେକ୍ସସ୍ଥିତ ‘ବୋଲିଂ ଗ୍ରୀନ୍ସ’ କୋର୍ଟରେ ଚାଲିଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ଜାତୀୟ ୨୫ ବର୍ଷରୁ କମ୍ ଲନ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରହିଛି । ୨୫ବର୍ଷରୁ କମ୍ ବାଳକ ଓ ବାଳିକାରେ ଓଡ଼ିଶାର ରାଜେଶ୍ବରୀ ସେଠ ଓ ଶୁଭ୍ରାଂଶୁ ଡାଙ୍ଗ ସେମିଫାଇନାଲ୍ରେ ପ୍ରବେଶ କରି ବିଜେତା ହେବା ଦିଗରେ ଆଉ ଏକ ସଫଳ ପାଦ ବଢ଼ାଇଛନ୍ତି। ଯାହା ଓଡ଼ିଶାରେ ଲନ୍ବଲ୍ର ଉଜ୍ଜ୍ବଳ ଭବିଷ୍ୟତର ବଳିଷ୍ଠ ପ୍ରତୀକ ଭାବେ ଉଭା ହୋଇଛି।
ରବିବାର ୨୫ ବର୍ଷରୁ କମ୍ ବର୍ଗ ବାଳକ ଏକକର କ୍ବାର୍ଟରରେ ଶୁଭ୍ରାଂଶୁ ନିଜ ଦିଲ୍ଲୀ ପ୍ରତିପକ୍ଷଙ୍କୁ ୨୧-୧୧ରେ ଏକତରଫା ଭାବେ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ଶନିବାର ସେ ମଧ୍ୟପ୍ରଦେଶ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ଟିକେଟ ହାସଲ କରିଥିଲେ। ସେହିଭଳି ୨୫ବର୍ଷରୁ କମ୍ ବାଳିକା ଏକକରେ ରାଜେଶ୍ବରୀ ନିଜ ମେଘାଳୟ ପ୍ରତିପକ୍ଷଙ୍କୁ ଅତି ସହଜରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍କୁ ୨୧-୪ରେ ଜିତି ସେ ମଧ୍ୟ ସେମିଫାଇନାଲ୍ରେ ପ୍ରବେଶ କରିବାର ଗୌରବ ହାସଲ କରିଥିଲେ। ଆଜି ଖେଳାଯାଇଥିବା ଏହି ବାଳକ ବର୍ଗର ଅନ୍ୟ ମ୍ୟାଚ୍ଗୁଡ଼ିକରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡ ବିଜୟୀ ହୋଇ ସେମିଫାଇନାଲ୍ ଟିକେଟ ହାସଲ କରିଥିଲେ। ସେହିଭଳି ୨୫ବର୍ଷରୁ କମ୍ ବାଳିକାର ଅନ୍ୟମ୍ୟାଚ୍ଗୁଡ଼ିକରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ ବିଜୟର ମିଠା ସ୍ବାଦ ଚାଖି ଆଗକୁ ବଢ଼ିଥିଲେ। ସୋମବାର ପ୍ରତିଯୋଗିତାର ଶେଷ ଦିନରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବା ସହ ପୁରସ୍କାର ବିତରଣରୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ରାଜ୍ୟ ଲନ୍ ବଲ୍ ସଂଘର ସାଧାରଣ ସଂପାଦକ ସୁମିତ ରଞ୍ଜନ ପୁରୋହିତ ଜଣାଇଛନ୍ତି। ୨୫ବର୍ଷରୁ କମ୍ ସହ ୧୮ବର୍ଷରୁ କମ୍ରେ ମଧ୍ୟ ଘରୋଇ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରିବା ରାଜ୍ୟ ଲନ୍ବଲ୍ ପାଇଁ ଆଉ ଏକ ଖୁସି ଖବର ହୋଇଛି।