-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
17-Oct-2026
ପାଟଣାଗଡ଼/ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗ୍ରାମର ରୁଦ୍ରମଣି ବରିହାଙ୍କ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।
ଗତ ଅକ୍ଟୋବର ୧୧ ତାରିଖ ଅପରାହ୍ଣ ପ୍ରାୟ ୩ଟା ସମୟରୁ ରୁଦ୍ରମଣି ନିଖୋଜ ଥିଲେ। ପରଦିନ ଅର୍ଥାତ୍ ଅକ୍ଟୋବର ୧୨ ତାରିଖ ଭୋର ପ୍ରାୟ ୫ଟା ସମୟରେ ଭାଲୁଖାଇ ଡ୍ୟାମ୍ରୁ ତାଙ୍କ ମୃତଦେହ ମିଳିଥିଲା।
ମୃତଦେହର ଆଖିରେ ଧାରୁଆ ଅସ୍ତ୍ର ଦ୍ୱାରା ଆଘାତ କରାଯାଇଥିବା ଏବଂ ରକ୍ତଚିହ୍ନ ଥିଲା l ଏଭଳି ପରିସ୍ଥିତିରେ ରୁଦ୍ରମଣିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ କରିବା ସହ ଏଥିରେ ସମ୍ପୃକ୍ତ ଦୋଷୀମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।
ଏହି ଘଟଣାରେ ନ୍ୟାୟ ଦାବି କରି ଆଜି ବିଜୁ ଜନତା ଦଳର ରାଜ୍ୟ ଆଦିବାସୀ ସେଲ୍ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ପ୍ରତିନିଧିଦଳ ପାଟଣାଗଡ଼ ଏସ୍ଡିପିଓଙ୍କୁ ସାକ୍ଷାତ କରିଥିଲେ।
ପ୍ରତିନିଧିଦଳ ଘଟଣାର ସମସ୍ତ ଦିଗ ଉପରେ ନିରପେକ୍ଷ, ତ୍ୱରିତ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଅବିଳମ୍ବ ଗିରଫ କରିବାକୁ ଦୃଢ଼ ଦାବି ଜଣାଇଥିଲେ।
ଆଲୋଚନା ସମୟରେ ଶ୍ରୀ ବିଶି କହିଥିଲେ ଯେ, ଜଣେ ଆଦିବାସୀ ଯୁବକଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ। ଘଟଣାର ସତ୍ୟାସତ୍ୟ ଶୀଘ୍ର ଉନ୍ମୋଚନ ହେବା ଆବଶ୍ୟକ। ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରାଯିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ଜଳ ଧରୁଆ, ଗୁଣ ବରିହା, କିଶୋର ବରିହା, ବିପିନ ବରିହା, ସହଦେଵ ଭୋଇ ଓ ଖିତିରାଜ ବରିହା ପ୍ରମୁଖ ଉପସ୍ଥିତ ରହି ଘଟଣାର ତ୍ୱରିତ ତଦନ୍ତ ଓ ଦୋଷୀଙ୍କ ଗିରଫ ଦାବି କରିଥିଲେ।
ଅନ୍ୟପକ୍ଷରେ, ପ୍ରତିନିଧିଦଳ ସହ ଆଲୋଚନା ପରେ ପାଟଣାଗଡ଼ ଏସ୍ଡିପିଓ ଘଟଣାର ତଦନ୍ତ ତ୍ୱରାନ୍ୱିତ କରାଯିବା ସହ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଗିରଫ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଏହି ସମ୍ବେଦନଶୀଳ ଘଟଣାରେ ପ୍ରକୃତ ସତ୍ୟ ଉନ୍ମୋଚନ, ଦୋଷୀଙ୍କ ଗିରଫ ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦୃଢ଼ ଦାବି କରିଛି।