-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
30-Sep-2026
ବଲାଙ୍ଗୀର(ପ୍ରେରଣା ଖବର ): ଆସନ୍ତା ଅକ୍ଟୋବର ୨ ତାରିଖ ସନ୍ଧ୍ୟା ୬ଟା ସମୟରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏ ଅବସରରେ ଗତ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବରେ ୟୁବୋଦୟ କଲେଜର ଓଡ଼ିଆ ଅଧ୍ୟାପକ ସନ୍ଦୀପ କୁଅଁର, ବେଲପଡା କଲେଜର ଇଂରାଜୀ ଅଧ୍ୟାପକ ଡ. ଦୁର୍ବାଦଳ ଘିବେଲା,
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଏସିଷ୍ଟାଣ୍ଟ ପ୍ରଫେସର ଡ.ରତିକାନ୍ତ ନାଏକ, ଡ. ସରୋଜ କୁମାର ଜଗଦଲା ଓ ଇଂରାଜୀ ବିଭାଗର ଏସିଷ୍ଟାଣ୍ଟ ପ୍ରଫେସର ଡ. ଅନୁରାଧା ମିଶ୍ର ବିଚାରକ ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରିଥିଲେ ।
ସେହିପରି ୨୯ ତାରିଖ ଦିନ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ କନଫରେନ୍ସ ହଲ୍ ଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ତିନୋଟି ବିଭାଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିଚାରକ ଭାବରେ ଚିତ୍ରଶିଳ୍ପୀ ସତ୍ୟ ନାରାୟଣ ସିଂହଦେଓ, ସଣ୍ଡେ ସ୍କୁଲ୍ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ର ଫାଉଣ୍ଡର ପ୍ରାଜେକ୍ତା ପଣ୍ଡା , ଶିକ୍ଷୟିତ୍ରୀ ଆଶାଲତା ସେଠୀ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କ ନାମ ଘୋଷଣ କରିଥିଲେ ।
ପରେ ପୁଇଁନ୍ତଳା ସ୍ଥିତ ବଲାଙ୍ଗୀର ମହାବିଦ୍ୟାଳୟ ଠାରେ କଲେଜସ୍ତରୀୟ ଓଡ଼ିଆ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ ବଲାଙ୍ଗୀର ସହରର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଦିଆ ହୋଇଥିବା ବିଷୟବସ୍ତୁ ଉପରେ ପ୍ରବନ୍ଧ ଲେଖିଥିଲେ ଏଥିରେ ବିଚାରକ ଭାବରେ ଶିକ୍ଷକ ରଂଜିତ ମିଶ୍ର ଓ ଆକାଶ ମିଶ୍ର ଯୋଗ ଦେଇ ଥିଲେ ।
ସମସ୍ତ ପ୍ରତିଯୋଗୀ ମାନେ ଆସନ୍ତା ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସରେ ପୁରସ୍କୃତ ହେବେ ବୋଲି ପ୍ରେରଣା ର ସଂପାଦକ ରଘୁ ନନ୍ଦନ ସିଂହ ସୂଚନା ଦେଇଛନ୍ତି । ସମସ୍ତ କୃତୀ ପ୍ରତିଯୋଗୀ ମାନେ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ଉପସ୍ଥିତ ରହି ନିଜର ପୁରଷ୍କାର ଗ୍ରହଣ କରିବାକୁ 'ପ୍ରେରଣା' ତରଫରୁ ନିବେଦନ କରାଯାଇଛି ।