-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
28-May-2026
ବଲାଙ୍ଗୀର, ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନଙ୍କ ସଂପର୍କୀୟ ଏବଂ ଜନସାଧାରଣଙ୍କୁ ସୁବିଧାରେ ଓ ସୂଲଭ ମୂଲ୍ୟରେ ଅର୍ଥାତ ମାତ୍ର ୫ଟଙ୍କାରେ ଭାତ ଡାଲମା ଓ ଆଚାର ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହୋଇଥିଲା ଆହାର କେନ୍ଦ୍ର । ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଆତ୍ମନିର୍ଭରଶୀଳ କରିବା ପାଇଁ ୨୦୧୬ ମସିହାରେ ତତ୍କାଳୀନ ବିଜେଡି ଅମଳରେ ଏହି ଯୋଜନା ଆରମ୍ଭ ହୋଇଥିଲା। ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଥିବା ଆହାର କେନ୍ଦ୍ର ଦୀର୍ଘ ୧ଠ ବର୍ଷ ହେଲା କାର୍ଯ୍ୟ କରୁଛି। ପ୍ରତ୍ୟେକ ଦିନ ଦୁଇ ଓଳି ଏହି ହସ୍ପିଟାଲ ପରିସରରେ ୯୫ଠ ଜଣ ଲୋକଙ୍କୁ ମହିଳା ମାନେ ଖାଦ୍ୟ ପରସିଥାନ୍ତି। ଠିକ ସେହିପରି ଏହି ସେଣ୍ଟ୍ରାଲ କିଚେନ୍ ରୁ ପ୍ରତ୍ୟେକ ଦିନ ଭୀମ ଭୋଇ ମେଡିକାଲ କଲେଜକୁ ଦୁଇ ଓଳି ମିଶାଇ ୮ଠଠ ଲୋକଙ୍କ ପାଇଁ ଖାଦ୍ୟ ଯାଉଥିବା ବେଳେ ପାଟଣାଗଡ଼କୁ ଗୋଟିଏ ଓଳି ପାଇଁ ୫ଠଠ ଲୋକଙ୍କୁ ରନ୍ଧା ଖାଦ୍ୟ ପଠାଯାଇଥାଏ । ଆହାର କେଦ୍ରକୁ ନିୟମିତ ଭାବରେ ସଙ୍ଗଠିତ ଭାବରେ ପରିଚାଳନା କରିବା ପାଇଁ ପ୍ରଗତି ସୟଂ ସହାୟକ ଗୋଷ୍ଠୀଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି। ଏହି ଗୋଟିଏ ବର୍ଷ ମଧ୍ୟରେ ଏହି ଆହାର କେନ୍ଦ୍ରରେ ହଜାର ହଜାର ଭୋକିଲା ଶୋଷିଲା ଲୋକ ପେଟପୁରା ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରିଥାନ୍ତି। ତେବେ ଗୋଟିଏ ସ୍ଥାନରୁ ଖାଦ୍ୟ ରନ୍ଧା ହୋଇ ତିନୋଟି ସ୍ଥାନର ଭୋକିଲାଙ୍କ ମୁହଁରେ ହସ ଫିଟାଇ ପାରୁଥିବା ଏହି ଆହାର କେନ୍ଦ୍ରରେ ନାନା ଅବ୍ୟବସ୍ଥା ତଥା ରାନ୍ଧଣା ମେସିନର ଅଭାବ ଯୋଗୁଁ ଲୋକଙ୍କୁ ଠିକ ଭାବରେ ଖାଦ୍ୟ ଦିଆଯାଇ
ପାରୁ ନାହିଁ। ଏଠାରେ ଥିବା ରୋଷେଇ(ଭାତରନ୍ଧା) ମେସିନ୍ ବହୁଦିନରୁ ଅଚଳ ହୋଇପଡିଛି। ଏ ନେଇ ଅନେକ ଥର ସଂପୃକ୍ତ ଅଧିକାରୀଙ୍କୁ ମହିଳ ମାନେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଏହି ମେସିନ କୁ ଅନ୍ ସେଫ୍ ବୋଲି କୁହାଯାଇଥିଲେ ସୁଦ୍ଧା ଏସ.ଏସ.ଜି ମା' ମାନେ ଭାଗ୍ୟ କୁ ଆଦରି ନିଜର କାମ କରିଚାଲିଛନ୍ତି। ଏହି ଆହାର କେନ୍ଦ୍ରରେ ସଂଯୋଗ ହୋଇଥିବା ସିସିଟିଭି କେବେ ଠୁ ଅଚଳ ହୋଇ ପଡିଛି। ଏହି ଆହାର କେନ୍ଦ୍ର କୁ ଦୁଇ ତିନି ଥର ଚୋର ପଶି ଅନେକ ରନ୍ଧା ସାମଗ୍ରୀ ଚୋରୀ କରି ନେଇଛନ୍ତି। ଏହାର ପରିଚାଳନ ଦାୟିତ୍ୱ ବଲାଙ୍ଗୀର ମୁନିସିପାଲିଟିକୁ ଦିଆ ଯାଇଥିବା ବେଳେ ମୁନସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ମଧ୍ୟ ଏ ସବୁ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ଦେଖିବା, କରିବା କହି ସଂପୃକ୍ତ ଅଧିକାରୀ ମାନେ ଏହାକୁ ଏଡାଇ ଚାଲିଛନ୍ତି। ତେବ ସବୁଠାରୁ ବଡା କଥା ହେଲା ପ୍ରଗତି ସୟଂ ସହାୟକ ଗୋଷ୍ଠୀର ମୋଟ୍ ୧ଠ ସଦସ୍ୟା ପ୍ରତିଦିନ ପାହାନ୍ତିଆରୁ ରାତି ୧ଠଟା ପର୍ଯ୍ୟନ୍ତ ନିଷ୍ଠାର ସହ ଆହାର କେନ୍ଦ୍ରକୁ ପରିଚାଳନା କରୁଥିବା ବେଳେ ବର୍ତ୍ତମାନ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତର ଶିକାର ହୋଇଛି ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀ । ଗତ ୨ଠ୨୫ ଅଗଷ୍ଟ ୪ ତାରିଖରେ ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀକୁ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଏହି ଗୋଟିଏ ବର୍ଷରେ ଅବଧି ମଧ୍ୟରେ ନିଜର ଦାୟିତ୍ୱ ସୁଚାରୁ ରୂପେ ପାଳନ କରିଥିବା ଏହି ଏସ୍ଏଚ୍ଜିର ମହିଳା ମାନଙ୍କୁ ବାଦ ଦେଇ କୁଆଡେ ଆଉ ଏକ ନୂଆ ଏସ୍ଏଚ୍ଜି କୁ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ଦିଆଯିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନର ବିଜେପି ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଲକ୍ଷପତି ଦିଦି ସୃଷ୍ଟି କରିବାର ବାହଃବାହଃ ନେଉଥିବା ବେଳେ ବର୍ଷ ବର୍ଷ ଧରି ଲୋକଙ୍କ ସେବାରେ ରହିଥିବା ଆହାର କେନ୍ଦ୍ରର ପୁନଃରୁଦ୍ଧାର କରିବା ପରିବର୍ତ୍ତେ ସରକାର ଏହି ଏସ୍ଏଚ୍ଜି ସଂସ୍ଥା ର ମହିଳା ମାନଙ୍କ ପ୍ରତି ଏତେ ନିର୍ଦ୍ଦୟ କାହିିଁକି ବୋଲି ପ୍ରଶ୍ନ ଉଠେ । ଏ ସଂକ୍ରାନ୍ତରେ ଆମେ ବଲାଙ୍ଗୀର ମୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ , ସେ ଏ ସଂପକ୍ରରେ ପୁଣିି ଏକ ବୈଠକ ଡକାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ତେବେ ପୁରୁଣା ସଂସ୍ଥାର ନବୀକରଣ ନକରି ହଠାତ୍ ନୂଆ ଏକ ଏସ୍ଏଚ୍ଜି ସଂସ୍ଥା କୁ ଆହର କେନ୍ଦ୍ରର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିବା ସଂକ୍ରାନ୍ତରେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ କଣ ଅଭିସନ୍ଧି ରହିଛି ତାହା ଏବେ ବଡ ପ୍ରଶ୍ନା ବଲାଙ୍ଗୀର ଜିଲ୍ଲାପାଳ ଓ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ଉପରେ ପୁର୍ନବିଚାର କରିବାକୁ ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିବେଦନ କରିଛନ୍ତି।