-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
09-May-2025
ବେଲପଡ଼ା(ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ପଣ୍ଡରିଯୋର ଗାଁରେ କେତେକ ଯୁବକ ଅମାନିଆ ହୋଇ ଗାଁରେ ବେଆଇନ ମଦ ବିକ୍ରୟ କରୁଛନ୍ତି I ଏନେଇ ଗାଁର ମହିଳାମାନେ ବାରମ୍ବାର ଅଭିଯୋଗ କଲେ ଵି କିଛି ସୁଫଳ ମିଳୁନାହିଁ I ଯାଦ୍ୱାରା ଅତିଷ୍ଠ ହୋଇ ଗୁରୁବାର ଗାଁର ଶତାଧିକ ମହିଳା ବେଲପଡ଼ା ଥାନା ଘେରାଉ କରିଥିଲେ I ଗାଁରେ ତୁରନ୍ତ ମଦ ବନ୍ଦ କରିବା ସହ ବେଆଇନ ଭାବେ ରନ୍ଧା ଓ ବିଦେଶୀ ମଦ ବିକ୍ରୟ କରୁଥିବା ଗାଁର ଦୁଇ ଜଣ ଯୁବକ କୈଳାଶ ଧରୁଆ ଏବଂ ଭଗବାନ ବାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି Iଗାଁ ଲୋକ ଅଭିଯୋଗ ମତେ ଗତ ୨.୨.୨୦୨୫ ତାରିଖ ଦିନ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା Iଏଥିରେ ନିଷ୍ପତ୍ତି ନିଆଗଲା ଯେ ଉକ୍ତ ଦିନ ଠାରୁ ଗାଁରେ ସମ୍ପୂର୍ଣ୍ଣ ମଦ ବନ୍ଦ କରାଗଲା ଏବଂ ନିଶାମୁକ୍ତ ଗାଁ ପାଇଁ ଶପଥ ନିଆଗଲା Iଏହାର ଖିଲାପ କରାଗଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ Iତଥାପି ଗାଁରେ କେତେକ ଲୋକ ଅମାନିଆ ହୋଇ ଦେଶୀ ବିଦେଶୀ ମଦ କାରବାର ଚଳାଇଛନ୍ତି I ଏହାଦ୍ୱାରା ଗାଁ ଅଶାନ୍ତି ଦେଖାଦେବା ସହ ଅସାମାଜିକ କାମ ବୃଦ୍ଧି ପାଉଛି I ମହିଳାମାନେ ରାସ୍ତାରେ ଯିବା ଆସିବାରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି Iଏଥିପାଇଁ ଏହି ଗାଁର କାନ୍ତି ଧରୁଆ, କୁନି ଧରୁଆ, ଜାମାଦେଇ ଧରୁଆ, ମଦନା ମାଝୀ, ବନିତା ମିର୍ଦ୍ଧା, ପ୍ରଭାସିନୀ ବାଗ, ଯଶୋଦା ମାଝୀଙ୍କ ସହ ଅନ୍ୟମାନେ ମଦ ବିକ୍ରି ବନ୍ଦ ପାଇଁ ଥାନା ଅଧିକାରୀ ଅନନ୍ତ ପଧାନଙ୍କୁ ଦାବିପତ୍ର ଦେଇଛନ୍ତି I ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି I