-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
18-Jun-2025
ବଲାଙ୍ଗୀର(ପ୍ରେରଣା ଖବର): ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ପଥରଚେପl ଠାରେ ଅନୁଷ୍ଠିତ ରାଜ୍ଯ ସ୍ତରୀୟ କୃଷକ ସମାବେଶରେ ଯୋଗ ଦେବା ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ୩ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ବଲାଙ୍ଗୀରରେ ପ୍ରସ୍ତାବିତ ନୂତନ ସିଭିଲ୍ କୋର୍ଟର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି l ନୂତନ କୋର୍ଟ ନିର୍ମାଣର ସ୍ଥାନ ନିରୂପଣ ହୋଇସାରିଥିଲେ ମଧ୍ଯ କାମ ଆରମ୍ଭରେ କାହିଁକି ବିଳମ୍ବ ହେଉଛି ବୋଲି ସଂଘ ପ୍ରଶ୍ନ କରିଛି l ଓକିଲ ଓ ମହକିଲ ମାନଙ୍କ ସୁବିଧା ଦୃଷ୍ଟିରୁ ସିଭିଲ କୋର୍ଟ, କଲେକ୍ଟରେଟ୍ ଓ ତହସିଲ ଅଫିସ ପଖାପାଖି ଦୂରତା ମଧ୍ୟରେ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି l କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଓକିଲ ମାନଙ୍କୁ ମଧ୍ୟ ସମ୍ପୃକ୍ତ କରିବା ଏବଂ ଓକିଲ ମାନଙ୍କ ଅର୍ଦ୍ଧଶତାବ୍ଦୀର ଦାବି ଓ ଆଇନଗତ ଯଥାର୍ଥତା ଦୃଷ୍ଟିରୁ ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ଆଦି ଦାବି ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛି l ଓକିଲ ସଂଘର ଏହି ତିନି ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ଗୁରୁତ୍ଵର ସହ ଚିନ୍ତା କରି ପଦକ୍ଷେପ ଗ୍ରହଣ କରିବେ ବୋଲି ସଂଘ ତରଫରୁ ଅନୁରୋଧ କରାଯାଇଛି l ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ନେତୃତ୍ଵରେ ସଂଘର ସମ୍ପାଦକ ସଞ୍ଜୟ ବଗର୍ତ୍ତୀ, ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ସତପଥୀ, ରାଜେନ୍ଦ୍ର ପୁରୋହିତ, ଜୟକୃଷ୍ଣ ସାହୁ, ରାଜେନ୍ଦ୍ର ବିଜୟ ସାହୁ ଓ କାର୍ଯ୍ୟକାରୀ କମିଟି ସଭ୍ୟା ଦିପ୍ତୀ ଶର୍ମା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଓକିଲ ମାନଙ୍କ ଏହି ସବୁ ଦାବି ପୂରଣ ପ୍ରତି ଆଗାମୀ ଦିନରେ ରାଜ୍ଯସରକାର ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି