-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
21-Oct-2023
ବଲାଙ୍ଗୀର/ତୁଷୁରା(ପଂଚାନନ ନାଏକ)-ବଲାଙ୍ଗୀର ଜିଲ୍ଲାର ସୀମାନ୍ତରେ ଥିବା ଗୁଡଭେଲା ବ୍ଲକରେ ନିଜର ପତିଆରା ଜାହିର କରିବାକୁ ବ୍ଲକ କାର୍ଯ୍ୟାଳୟରେ ଜଣେ ବିପିସିଙ୍କୁ ମାଡମାରି ଫେରାର ଥିବା ପୂର୍ବତନ ବ୍ଲକଅଧ୍ୟକ୍ଷ ଅଶୋକ ଦୋରାଙ୍କୁ ତୁଷୁରା ପୋଲିସ ଧରିବାରେ ସଫଳ ହୋଇଛି । ଗତକାଲି ଶୁକ୍ରବାର ରାତିରେ କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ଏକ ଲଜରେ ଲୁଚିରହିଥିବା ବେଳେ ପୋଲିସ ତାଙ୍କୁ ଧରିଛି । ରାତିରେ ପୋଲିସ ତାଙ୍କୁ ପ୍ରଥମେ ବଲାଙ୍ଗୀର ଆଣି ଆଜି କୋର୍ଟ ଚାଲାଣ କରିଛି । ଗତ ଅକ୍ଟୋବର ୧୦ ତାରିଖରେ ବ୍ଲକ ଅଧ୍ୟକ୍ଷା ବେବୀ ଦୋରାଙ୍କ ଚ୍ୟାମ୍ବରରେ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ସମିତିସଭ୍ୟ ଅଶୋକ ଦୋରା ତାଙ୍କର ୧୦ଜଣ ସମର୍ଥକଙ୍କ ସହିତ ମିଶି ବ୍ଲକର ମିଶନଶକ୍ତି ବିପିସି ନିର୍ମଳଚନ୍ଦ୍ର ପଧାନଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ତୁଷୁରା ଥାନାରେ ଶ୍ରୀ ପଧାନଙ୍କ ଅଭିଯୋଗ ପରେ ପୋଲିସ ମାମଲା ନମ୍ବର ୧୯୬/୨୦୨୩ ରୁଜୁ କରି ତଦନ୍ତ କରିଥିଲା । ଗତ ୧୪ ତାରିଖରେ ତୁଷୁରା ପୋଲିସ ଏହି ଘଟଣାରେ ଅଶୋକ ଦୋରାଙ୍କ ୫ଜଣ ସହଯୋଗୀ ରୋହିତ ବାଗ,ଜଗଦୀଶ ବାଗ,ଧୁବେଇଚରଣ ମନହିରା,ରମାକାନ୍ତ ମହାପାତ୍ର ଓ ଶଙ୍କର୍ଷଣ କର୍ମିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାଦିନରୁ ଅଶୋକ ଦୋରା ଫେରାର ରହିଥିଲେ । ସେହିଦିନରୁ ବ୍ଲକ ଅଫିସରେ କର୍ମଚାରୀ ମଧ୍ୟ ଠିକରେ ଆସୁନଥିଲେ । ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ଦୋରାଙ୍କ ଦାଦାଗିରି କାରଣରୁ ବ୍ଲକ କର୍ମଚାରୀମାନେ ଅତିଷ୍ଠ ହୋଇପଡିଛନ୍ତି ବୋଲି ଅଭିଯୋଗ ମଧ୍ୟ ହୋଇଛି । କେବଳ ଏତିକି ନୁହେଁ ଅଶୋକ ଦୋରାଙ୍କ ନାମରେ ନକଲି ଜନଜାତି ସାର୍ଟିଫିକେଟ ସାର୍ଟିଫିକେ କେସ ମଧ୍ୟ ଚାଲିଛି । ଜିଲ୍ଲା ଆଦିବାସୀ କଲ୍ୟାଣସଂଘ ତାଙ୍କ ବିରୁଦ୍ଧରେ ମାମଲା କରିଛି । ତେବେ ଅଶୋକ ଅନେକ ବର୍ଷ ହେଲା ଗୁଡଭେଲା ବ୍ଲକରେ ନିଜର ପରିଆରା ବିସ୍ତାର କରିଛନ୍ତି । ସେ ଦୁଇଥର ଅଧ୍ୟକ୍ଷ ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ବେବୀ ଦୋରାଙ୍କୁ ଅଧ୍ୟକ୍ଷା କରାଇଛନ୍ତି । ସେ ଗତଥର ୨୦୧୯ ନିର୍ବାଚନରେ ଟିଟିଲାଗଡ ନିର୍ବାଚନମଣ୍ଡଳିରୁ ଭାଜପାଦଳର ବିଧାୟକ ପ୍ରାର୍ଥି ଭାବରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।