-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
27-Nov-2022
ଭୁବନେଶ୍ବର(ପ୍ରେରଣା ଖବର ବ୍ୟୁରୋ) : ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ରବିବାର ପାଳିତ ହେବ। କ୍ୟାମ୍ପସ୍ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ୮୦ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ଏହା କିଭଳି ଅଧିକ ଆକର୍ଷଣୀୟ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି ।
ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ-ଏ++ ମାନ୍ୟତା କିଭଳି ମିଳିପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି ଏବଂ ଯେକୌଣସି ସମୟରେ ନାକ୍ କମିଟି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରକୁ ପରିଦର୍ଶନରେ ଆସି ମୂଲ୍ୟାଙ୍କନ କରିବା ସମ୍ଭାବନା ରହିଛି । ଏଥିପାଇଁ ଆମେ ପ୍ରସ୍ତୁତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଦା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେଉଛି ।
ଏଥର ଆମେ ନାକ୍ ଏ++ ମାନ୍ୟତା ପାଇବା ନେଇ ଲକ୍ଷ୍ୟ ରଖିଛୁ ବୋଲି କୁଳପତି ପ୍ରକାଶ କରିଥିଲେ। ବିଶ୍ବବିଦ୍ୟାଳୟକୁ ଡିଜିଟାଲ କ୍ୟାମ୍ପସରେ ପରିଣତ କରିବା ପାଇଁ ପ୍ରୟାସ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି, ଯାହାକି ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଗବେଷଣା ଓ ଏହାର ବିକାଶ ଦିଗରେ ସହାୟକ ହେବ । ସେହିପରି ୨୦୧୮ମସିହାରେ ପ୍ରତିଷ୍ଠା ହୋଇଥିବା ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ (ସିଆଇଆଇ) ଯୋଗୁଁ ଅନେକ ଛାତ୍ରଛାତ୍ରୀ ଓ ଶିଳ୍ପଦ୍ୟୋଗୀମାନେ ଏଠାରେ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, ଯାହାକି ଅନ୍ୟ ଏକ ସଫଳତା। ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁ ପ୍ରଣୟନ କରିବା ପାଇଁ ସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ ଥିବା କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ. ଅଭୟ କୁମାର ନାୟକ, ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ବୀତ ନୟିନ୍ତ୍ରକ୍ ନଗୌତଭ ପ୍ରଧାନ, ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା, ସାମ୍ବାଦିକତା ଓ ଗଣଯୋଗାଯୋଗ ସଂଯୋଜିକା ଡ. ପ୍ରତିମା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉତ୍କଳ ବିଶ୍ବବିଦ୍ୟାଳୟର ୮୦ତମ ପ୍ରତିଷ୍ଠା ଦିବସ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ମୁଖ୍ୟ ଅତିଥି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ତଥା କମିଶନର ଭାସ୍କରଜ୍ୟୋତି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେବେ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ଏବଂ କୁଳସଚିବ ଡ. ଅଭୟ କୁମାର ନାୟକଙ୍କ ସମେତ ବିଶ୍ବବିଦ୍ୟାଳୟର ଅନ୍ୟ ପଦାଧିକାରୀ ଉପସ୍ଥିତ ରହିବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।