-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
10-Jun-2026
(ପ୍ରିୟଦର୍ଶିନୀ ପାତ୍ର)
ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଗାଦବା କତରା ଗ୍ରାମ ପଞ୍ଚାୟତର କିଛି ଅନାଥ ଶିଶୁ ଆଧାର କାର୍ଡ ନଥିବାରୁ ଏବଂ ବିଦ୍ୟାଳୟରେ ପୂର୍ବରୁ ନାମ ଲେଖା ହୋଇନଥିବାରୁ ଶିକ୍ଷାରୁ ବଞ୍ଚିତ ହୋଇ ରହିଥିଲେ। ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ସିଆରସିସି ଶ୍ରୀ ବାବୁଲାଲ ସାଗର ଅଙ୍ଗନୱାଡି କର୍ମୀଙ୍କ ସହ ଯୋଗାଯୋଗ କରି ଶିଶୁମାନଙ୍କ ଜନ୍ମତାରିଖ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକଙ୍କ ସହ ସମନ୍ୱୟ ସ୍ଥାପନ କରି ଶିଶୁମାନଙ୍କର ବୟସ ଆଧାରରେ ବିଦ୍ୟାଳୟରେ ନାମଲେଖା ନିଶ୍ଚିତ କରାଯାଇଥିଲା।
ଏହି ପ୍ରୟାସରେ ବାବୁଲି ଜାନୀ (୮ ବର୍ଷ)ଙ୍କୁ ଦ୍ୱିତୀୟ ଶ୍ରେଣୀରେ, ଚମ୍ପା ଜାନୀ (୧୨ ବର୍ଷ)ଙ୍କୁ ଷଷ୍ଠ ଶ୍ରେଣୀରେ ଏବଂ ଚନ୍ଦନ ହରିଜନ (୧୪ ବର୍ଷ)ଙ୍କୁ ଅଷ୍ଟମ ଶ୍ରେଣୀରେ ନାମଲେଖା କରାଯାଇଛି।ଶିକ୍ଷାର ଅଧିକାର ଆଇନ ଅନୁଯାୟୀ କୌଣସି ଶିଶୁ କେବଳ ଆଧାର କାର୍ଡ କିମ୍ବା ଅନ୍ୟାନ୍ୟ ଦଲିଲ ନଥିବା କାରଣରୁ ଶିକ୍ଷାରୁ ବଞ୍ଚିତ ହୋଇପାରିବ ନାହିଁ। ଏହି ମାନବିକ ଓ ଦୂରଦର୍ଶୀ ପଦକ୍ଷେପ ମାଧ୍ୟମରେ ସିଆରସିସି ଶ୍ରୀ ବାବୁଲାଲ ସାଗର କେବଳ ତିନିଜଣ ଅନାଥ ଶିଶୁଙ୍କ ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିନାହାନ୍ତି, ବରଂ ବିଦ୍ୟାଳୟ ଛାଡ଼ୁଥିବା (ଡ୍ରପ୍-ଆଉଟ୍) ଶିଶୁଙ୍କ ସଂଖ୍ୟା ହ୍ରାସ କରିବା ଦିଗରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଗରିବ, ଅସହାୟ ଓ ବଞ୍ଚିତ ଶିଶୁମାନଙ୍କ ପାଇଁ ତାଙ୍କର ଏହି ନିଷ୍ଠାପୂର୍ଣ୍ଣ ପ୍ରୟାସ ଏକ ମାଇଲଖୁଣ୍ଟ ସଦୃଶ ହୋଇଥିବା ବେଳେ, ସମାଜ ପାଇଁ ଏକ ପ୍ରେରଣାଦାୟକ ଦୃଷ୍ଟାନ୍ତ ଭାବେ ପରିଗଣିତ ହୋଇଛି। “ପ୍ରତ୍ୟେକ ଶିଶୁ ପାଇଁ ଶିକ୍ଷା” ଲକ୍ଷ୍ୟକୁ ସାର୍ଥକ କରିବାରେ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସମାଜକୁ ଆଗକୁ ନେବ।