-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
25-Jul-2024
ବଲାଙ୍ଗିର ସହରର ମହାରାଣୀ ସାଗରକୁ ପୌର ପରିଷଦ ପକ୍ଷରୁ ପୁନଃରୁଦ୍ଧାର କାମ କରାଯାଉଛି । ଏହି କାମ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହେଉଛି । ପୌର ପରିଷଦ ଟେଣ୍ଡର କରି ଏହି ମହାରଣୀ ସାଗର ପୁନଃରୁଦ୍ଧାର ପାଇଁ ବଲାଙ୍ଗିର ସହରର ୧୦୧ଟି ଏସଏଚଜି ଗୃପୁ କୁ ଦାୟିତ୍ୱ ଦେଇଥିବା ସୂଚନା ପ୍ରଦାନ କରିଛି । ବଲାଙ୍ଗିର ପୌର ପରିଷଦର ୧୮,୧୯ ଓ ୨୦ ନମ୍ବର ୱାଡ ମଧ୍ୟରେ ମହାରାଣୀ ସାଗର ଅବସ୍ଥିତ ଏବଂ ଏହି ଅଂଚଳର ୧୦୧ଟି ସ୍ୱଂୟ ସହାୟକ ଦଳ ମହାରଣୀ ସାଗର ପୁନଃରୁଦ୍ଧାର କାମ ଟେଣ୍ଡର ପାଇ କାର୍ଯ୍ୟ କରୁଥିବା ନେଇ ପୌର ପରିଷଦ ପକ୍ଷରୁ ଜଣା ଯାଇଛି । ତେବେ ବହୁ ପୁରାତନ ଏହି ପୋଖରୀର ପାଣି ଉପରେ ଏହି ୩ଟି ୱାଡର ବାସିନ୍ଦାଙ୍କ ସମେତ ପ୍ରାୟ ସହରର ଲୋକେ ଗାଧୋଇବା ସହ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ସମୟ ଥିଲା ଏହି ପୋଖରୀ ପାଣି ମଧ୍ୟ ଲୋକେ ପିଇବା ପାଇଁ ବ୍ୟବହାର କରୁଥିଲେ । ଏପରିକି କିଛି ବର୍ଷ ପୂର୍ବରୁ ଏହି ଜଳାଶୟର ପଣିକୁ ସହର ମଧ୍ୟକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିଲା । କିନ୍ତୁ କାଳକ୍ରମେ ଏହି ପୋଖରୀ ଲୋକଙ୍କ ଦ୍ୱାର ଜବରଦଖଲ ହେବା ଦ୍ୱାରା ସଂକୋଚନ ହେବା ଏବଂ ଡ୍ରେନ୍ ଓ ଲେଟ୍ରିନ ପାଣି ମହାରଣୀ ସାଗର ମଧ୍ୟକୁ ଛାଡିବା ଯୋଗୁଁ ପାଣି ଦୁସିତ ହେବା ସହ ପିଇବା ପାଇଁ ଅନୁପଯୋଗୀ ହୋଇଗଲା । ବହୁବାର ଏହାର ପୁନଃ ଉଦ୍ଧାର କାମ କରାଯାଇଥିଲେ ମଧ୍ୟ ଜବରଦଖଲ ନ ହଟାଇବା ଏବଂ ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ଏହି ଜଳାଶୟଟି ତାର ପୁନଃ ରୂପକୁ ଫେରି ପାରିନାହିଁ । ଗତ ୧୮/୧୨/୨୦୨୩ ରେ ତତ୍କାଳିନ ଜିଲ୍ଲାପାଳ ଚଂଚଳ ରାଣା ମହାରାଣୀ ସାଗରର
ପୁନଃରୁଦ୍ଧାର କାମ ପାଇଁ ଶୁଭ ଦେଇଥିଲେ । ପ୍ରକାଶ ଯେ, ବିଜେଡି ସରକାର ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୦୨୧୯ ତା.୧୦/୧୦/୨୦୨୩ରେ ମୁକ୍ତା ଯୋଜନାରେ ବଲାଙ୍ଗିର ମହାରଣୀ ସାଗରର ନବୀକରଣ କରିବା ପାଇଁ ଟଙ୍କା ମଂଜୁର କରାଯାଇଥିଲା । ଏହି ଚିଠି ବଳରେ ବଲାଙ୍ଗିର ପୌର ପରିଷଦ ପତ୍ର ସଂଖ୍ୟା ୪୮୬୧ ତା.୩/୧୧/୨୦୨୩ ରେ ଟେଣ୍ଡର ଡକା ଯାଇଥିଲା । କେବଳ ୧୮,୧୯ ଓ ୨୦ ନମ୍ବର ୱାଡର ସ୍ୱଂୟ ସହାୟକ ଦଳ ଏହି ଟେଣ୍ଡର ଆବେଦନ କରି ପାରିବେ ବୋଲି ପୌର ପରିଷଦ ପକ୍ଷରୁ ସୂଚାନ ପ୍ରଦାନ କରାଯାଇଥିଲା । ପରେ ଏହି ୩ଟି ୱାଡର ୧୦୧ଟି ଏସ୍ଏଚ୍ଜି ଗୃପ ମଧ୍ୟରେ ଏହି ପୁନଃରୁଦ୍ଧାର କାମକୁ ବାଂଟି ଦିଆଗଲା । ଏହି କାମ ପାଇଁ ମୁକ୍ତା ଓ ଆମ ପୋଖରୀ ଯୋଜନାରେ ୧୨କୋଟି ୧୮ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ୮କୋଟି ୩୩ଲକ୍ଷ ଟଙ୍କା ପୌର ପରିଷଦକୁ ମହାରଣୀ ସାଗରର ପୁନଃ ଉଦ୍ଧାର କାମ ପାଇଁ ଆସିଛି ବୋଲି ପୌର ପରିଷଦ ସୂଚନା ଦେଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କୋଟି କୋଟି ଟଙ୍କାର କାମ କିପରି ଭାଗ ଭାଗ କରି ମହିଳା ସ୍ୱଂୟ ସହାୟକ ଗୋଷ୍ଠିଙ୍କୁ ବାଂଟି ଦିଆଗଲା । ଦଳ ସଫା, ପଙ୍କ ଉଦ୍ଧାର, ମାଟି ଖନନ ଓ ସୌନ୍ଦର୍ଯ୍ୟକରଣ ପାଇଁ ଟ୍ରାକ୍ଟର, ଗାଡି, ଜେସିପି ସମେତ ବହୁ ଯନ୍ତ୍ରପାତି ଆବଶ୍ୟକ ଥିବା ବେଳେ ଏସଏଚଜି ଗୋଷ୍ଠୀ କିପରି ଏହାକୁ ସୁଚାରୁ ରୂପେ କରିପାରିବେ ତାକୁ ନେଇ ସାଧାରଣରେ ପ୍ରଶ୍ନବଚୀ ସୃଷ୍ଟି ହୋଇଛି । ଯେଉଁ ଏସ୍ଏଚ୍ଜି ମାନେ ଏହି କାମ ନେଇଛନ୍ତି ସେମାନେ କାମ ଯାଗାରେ ଦେଖାଯାଉ ନାହାନ୍ତି । ସାଗରର ପାଣି କାଟିବା ଏବଂ ମାଟି ସୁଖିବା ପରେ ମାତ୍ର ୨୫ରୁ ୩୦ ଦିନ ଭିତରେ କିଛି ଗାଡି ଓ ଜେସିପି ଲଗାଇ ମାଟି କାଢି ବନ୍ଧ ହିଡ ଉପରେ ଏବଂ ସାଗର ମଧ୍ୟରେ ଖନନ ମାଟିକୁ ନେଇ ଦୁଇଟି ଟାପୁ ତିଆରି କରାଯାଇଛି । ଜୁଲାଇ ମାସ ପୁରିବାକୁ ବସିଲାଣି ସେପଟେ ବର୍ଷା । ତେବେ ଏସଏଚଜି ଗୃପମାନଙ୍କୁ ଆଗରେ ରଖି ଏହି ସବୁ କାମ କୁ ଜଣେ ବେନାମୀ ଠିକାଦାର କରୁଥିବା ନେଇ ଜଣାଯାଇଛି । ମାତ୍ର ୪୦ ପ୍ରତିଶତ କାମ କରି ସମସ୍ତ ଟଙ୍କା ଚଳୁ କରିବାକୁ ପୌର ପରିଷଦର କିଛି ଆସାଧୁ କର୍ମଚାରୀ ଏବଂ ସ୍ଥାନୀୟ ନେତାଙ୍କ ସହ ଉକ୍ତ ଠିକାଦାର ଜଣକ ମସୁଧା ଚଳାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।