-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2026
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀରର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଆଦର୍ଶ ମହିଳା ତଥା ସମାଜସେବୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ସେ ଶଯ୍ୟାଶାୟୀ ଥିଲେ । ଗତକାଲି ସନ୍ଧ୍ୟା ୫ଟା ସମୟରେ ଖରିଆର ମିଶନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଶିକ୍ଷା ସେବା କ୍ଷେତ୍ରରେ ନିଜର ଜୀବନକୁ ଉତ୍ସର୍ଗ କରିଦେଇ ଥିବା ପଦ୍ମିନୀପ୍ରଭା ଅବିବାହିତା ଥିବା ବେଳେ ଜଣେ ଛାତ୍ରବତ୍ସଳା ଶିକ୍ଷୟିତ୍ରୀ ଏବଂ ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଭାବରେ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ସୁନାମ ରହିଥିଲା । ପଦ୍ମିନୀଙ୍କୁ ଖ୍ରୀଷ୍ଟିୟ ସମାଜର ମଦର ଟେରେସା ବୋଲି କୁହାଯାଉଥିବା ବେଳେ ସେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବଜାତିର ଉତଥାନ ପାଇଁ ସେ ନିଜକୁ ସମର୍ପିତ କରିଦେଇଥିଲେ । ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ସେ କେବେ ସମ୍ମାନ ଓ ସ୍ୱୀକୃତି ପଚ୍ଛରେ ଗୋଡ଼ାଇ ନଥିଲେ । ନିଜର ନିସ୍ଵାର୍ଥପର ସେବା ପାଇଁ ପରିଚିତ ପଦ୍ମିନୀଙ୍କ ପରି ଜଣେ ମହିୟସୀ ମହିଳାଙ୍କ ବିୟୋଗରେ ବଲାଙ୍ଗୀର ଶିକ୍ଷା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲ। । ୧୯୬୮ ମସିହାରେ ବଲାଙ୍ଗୀର ମିଶନ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ପଦ୍ମିନୀପ୍ରଭା ସାଗର ରୁଗୁଡ଼ିପଡା ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଅବସର ଗ୍ରହଣ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାମରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ମୃତ୍ୟୁରେ ପରିବାର, ଆତ୍ମୀୟସ୍ୱଜନ, ଶିକ୍ଷକ ସମାଜ ଓ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁ ଶଯ୍ୟାରେ ପଦ୍ମିନୀଙ୍କ ସାନ ଭାଇ ଦାଉଦ ସାଗର, ବିଲହନ ସାଗର, ପୁତୁରା ରାଜ ନନ୍ଦନ, ଭାଣିଜୀ ଡ. ଶିବା ସାଗର, ସୋଫି ଙ୍କ ସମେତ ଏଡଭୋକେଟ ରତନ ମହାରଣା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ବଲାଙ୍ଗୀରରେ ପଦ୍ମିନୀ ସାଗରଙ୍କୁ ଖ୍ରୀଷ୍ଟିୟାନ ରୀତିନୀତି ଅନୁସାରେ ଅନ୍ତେଷ୍ଟି କ୍ରିୟା ସମାପନ କରା ଯାଇଥିବା ପରିବାର ସୂତ୍ରରୁ ପ୍ରକାଶ । ପଦ୍ମିନୀ ସାଗରଙ୍କ ବିୟୋଗରେ ବଲାଙ୍ଗୀର ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି।