-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
10-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ‘ଭାରତର ଶକ୍ତି ସମ୍ପଦ ୨୦୪୭:ସମ୍ଭାବନା ଓ ଆହ୍ୱାନ’ ବିଷୟକୁ ନେଇ ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକରେ ଅନୁଷ୍ଠିତ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ସମାପ୍ତ ହୋଇଛି।ବିଭିନ୍ନ ବ୍ଲକରୁ ମନୋନୀତ ଛାତ୍ରଛାତ୍ରୀମାନେ ଉକ୍ତ ବିଷୟ ଉପରେ ନିଜର ତଥ୍ୟଭିତ୍ତିକ ଓ ଚିନ୍ତନଶୀଳ ବକ୍ତବ୍ୟ ରଖିଥିଲେ।ବ୍ଲକସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୪ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ଏବେ ଜିଲ୍ଲାସ୍ତରୀୟ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ।ବ୍ଲକସ୍ତରରୁ ଜିଲ୍ଲାସ୍ତରକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀମାନେ
ହେଲେ—ଆଗଲପୁର ବ୍ଲକର ପଞ୍ଚାୟତ ହାଇସ୍କୁଲ,ଆଗଲପୁରର ଦଶମ ଶ୍ରେଣୀ ଛାତ୍ର ରିତମ ପଧାନ,ବଙ୍ଗୋମୁଣ୍ଡା ବ୍ଲକର ଓଏଭି, ଭାଲୁମୁଣ୍ଡାର ନବମ ଶ୍ରେଣୀ ଛାତ୍ରୀ ଲିପି ସଗରିଆ,ବେଲପଡା ବ୍ଲକର ଓଏଭି,ଭରୁଆମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ଅନିକେତ କୁମାର ସୁଆର,ବଲାଙ୍ଗୀର ବ୍ଲକର ଧୋବା ହାଇସ୍କୁଲ, ହାର୍ଡାଟାଲର ଦଶମ ଶ୍ରେଣୀ ଛାତ୍ରୀ ଶିବାନ୍ୟା ଭୋଇ,ଦେଓଗାଁ ବ୍ଲକର ଆଞ୍ଚଳିକ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆରୁଷି ପଧାନ,ଖପ୍ରାଖୋଲ ବ୍ଲକର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମମତା ବରିହା।ସେହିପରି ଲୋଇସିଂହା ବ୍ଲକର ଓଏଭି,ଝାରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି,ମୁରିବାହାଲ ବ୍ଲକର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,କର୍ଲ୍ଲାର ଦଶମ ଶ୍ରେଣୀ ଛାତ୍ର ଯଶୋବନ୍ତ ସାହୁ, ପାଟଣାଗଡ଼ ବ୍ଲକର ଜୟରାମ ମେହେର ହାଇସ୍କୁଲ,ବାଲିପଟାର ଦଶମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ସାହୁ,ପୁଇଁତଲା ବ୍ଲକର ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ,ବିଲେଇସର୍ଡାର ନବମ ଶ୍ରେଣୀ ଛାତ୍ର କପିଳାଶ ସାହୁ,ସଇଁତଲା ବ୍ଲକର ଧରବଗଡ଼ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଡୋଳେଶ୍ୱରୀ ବଗର୍ତ୍ତୀ, ଗୁଡ଼ଭେଳା ବ୍ଲକର ଓଏଭି,ତେନ୍ତୁଳୀଖୁଣ୍ଟିର ନବମ ଶ୍ରେଣୀ ଛାତ୍ରୀ ହନି ବେହେରା,ଟିଟିଲାଗଡ଼ ବ୍ଲକର ଓଏଭି,କୁରସୁଡ଼ର ନବମ ଶ୍ରେଣୀ ଛାତ୍ରୀ ଯଶସ୍ୱୀ ସ୍ମୃତି ପ୍ରଜ୍ଞା ଏବଂ ତୁରେକେଲା ବ୍ଲକର ଓଏଭି,ଝରଣୀର ଦଶମ ଶ୍ରେଣୀ ଛାତ୍ର ରୁଦ୍ରାଂଶ ମିଶ୍ର ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାସ୍ତରକୁ ଯୋଗ୍ୟତା ଅର୍ଜନ କରିଛନ୍ତି।ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର କନଫରେନ୍ସ ହଲ୍ରେ ଅନୁଷ୍ଠିତ ହେଉଅଛି।୧୪ଟି ବ୍ଲକରୁ ଆସିଥିବା ଏହି ବିଜ୍ଞାନ ପ୍ରତିଭାମାନଙ୍କ ମଧ୍ୟରେ ଜିଲ୍ଲାସ୍ତରରେ କିଏ ପ୍ରଥମ ସ୍ଥାନ ଅଧିକାର କରିବେ,ତାହାକୁ ନେଇ ଏବେଠାରୁ ଶିକ୍ଷା ମହଲରେ କଳ୍ପନା-ଜଳ୍ପନା ଓ ଉତ୍ସୁକତା ଦେଖାଦେଇଛି।ପ୍ରତ୍ୟେକ ପ୍ରତିଯୋଗୀ ନିଜ ନିଜ ବ୍ଲକର ସମ୍ମାନ ବଜାୟ ରଖିବା ସହ ଜିଲ୍ଲାର ଶ୍ରେଷ୍ଠ ବିଜ୍ଞାନ ପ୍ରତିଭା ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।ଫଳରେ ଆଜିର ଏହି ମହାମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି।ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆତ୍ମବିଶ୍ୱାସର ସହ ଉତ୍ତମ ପ୍ରଦର୍ଶନ କରିବା ନିମନ୍ତେ ଭଲ ଭାବେ ପ୍ରସ୍ତୁତି ନେବାକୁ ପରାମର୍ଶ ଦେଇଛନ୍ତି।ବିଜ୍ଞାନମନସ୍କତା,ଯୁକ୍ତି,ତଥ୍ୟ ଓ ଉପସ୍ଥାପନାର ଶକ୍ତି—କାହାର
ହେବ ଶ୍ରେଷ୍ଠ ପ୍ରଦର୍ଶନ?ତାହାର ଉତ୍ତର ମିଳିବ ଆଜିର ଏହି ଜିଲ୍ଲାସ୍ତରୀୟ ମଞ୍ଚରେ।ବିଚାରକ ଭାବେ ଦାୟିତ୍ୱ ତୁଲାଉଛନ୍ତି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ର ରିଡର ଜଗଜିତ କାମିଲା ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ନାୟକ।ଆଜିର ଏହି ଜିଲ୍ଲା ସ୍ତରୀୟ ଆଲୋଚନାଚକ୍ର ର ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା,ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ଯୋଗଦେଇ ଉଦଘାଟନ କରିଥିଲେ।ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ,ବିଜ୍ଞାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ଶତପଥୀ,ଜଗଦୀଶ ମିଶ୍ର,ପଞ୍ଚସଖା ଶିକ୍ଷା ସେତୁ ର ଆବାହକ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ମଞ୍ଚାସୀନ ଥିଲେ।