-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )ପବିତ୍ର ଦଶହରା ଅବସରରେ ଦେବଭୂମି ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଛନ୍ତି। ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ମା’ଙ୍କ ମନୋହର ରୂପ ଭକ୍ତମାନଙ୍କ ମନରେ ଅପୂର୍ବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଆନନ୍ଦ ଭରିଦେଇଛି।
ବିଶେଷକରି ମା’ ସୁରେଶ୍ୱରୀଙ୍କ ସ୍ୱର୍ଣ୍ଣମୁଖ ଓ ସୁନା ମୁକୁଟ ଦେବୀଙ୍କ ଐଶ୍ୱର୍ଯ୍ୟମୟ ସ୍ୱରୂପକୁ ଅଧିକ ମନୋରମ କରିଛି। ମା’ଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପ୍ରକାଶ ପାଇଛି। ଭକ୍ତମାନେ ଭାବବିହ୍ୱଳ ହୋଇ ମା’ଙ୍କ ଦର୍ଶନ କରିବା ସହ ତାଙ୍କର କୃପା ଓ ଆଶୀର୍ବାଦ କାମନା କରିଛନ୍ତି।
ମା’ଙ୍କ ଏହି ସ୍ୱର୍ଣ୍ଣାଭୂଷିତ ଦିବ୍ୟ ବେଶ ବର୍ଷର ସବୁ ସମୟରେ ଦର୍ଶନ କରିବାର ସୁଯୋଗ ମିଳୁନଥିବାରୁ ଏହାର ବିଶେଷ ମହତ୍ତ୍ୱ ରହିଛି। ଏହି ଦୁର୍ଲଭ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଦୂରଦୂରାନ୍ତରୁ ବହୁ ଭକ୍ତ ସୁବର୍ଣ୍ଣପୁରକୁ ଛୁଟି ଆସି ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ମନ୍ଦିର କମିଟି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମା’ ସୁରେଶ୍ୱରୀ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏବଂ ଆସନ୍ତା ବୁଧବାର ମଧ୍ୟ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ସୁଯୋଗରେ ଭକ୍ତମାନେ ମା’ଙ୍କ ଦିବ୍ୟ ସ୍ୱରୂପ ଦର୍ଶନ କରି ତାଙ୍କର କୃପାଶୀର୍ବାଦ ଲାଭ କରିପାରିବେ।