-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
13-Oct-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
୧୩ ଅକ୍ଟୋବର: ଶାରଦୀୟ ନବରାତ୍ରିର ତୃତୀୟ ଦିବସରେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗାଦେବୀ ଚନ୍ଦ୍ରଘଣ୍ଟା ବେଶରେ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଛନ୍ତି। ତିନି ଦେବୀଙ୍କ ଏହି ମନୋମୁଗ୍ଧକର ବେଶ ଦର୍ଶନ ପାଇଁ ଦେବୀପୀଠଗୁଡ଼ିକରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ମା’ ଦୁର୍ଗାଙ୍କ ନବଦୁର୍ଗା ସ୍ୱରୂପ ମଧ୍ୟରୁ ଚନ୍ଦ୍ରଘଣ୍ଟା ତୃତୀୟ ସ୍ୱରୂପ। ମା’ଙ୍କ ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର ଶୋଭା ପାଉଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୁଜା ମା’ଙ୍କ ଏହି ଦିବ୍ୟ ସ୍ୱରୂପ ଶକ୍ତି, ସାହସ, ଶାନ୍ତି ଓ ଧର୍ମର ପ୍ରତୀକ। ତାଙ୍କର ବିଭିନ୍ନ ଅସ୍ତ୍ରଶସ୍ତ୍ର ଦୁଷ୍ଟଶକ୍ତିର ବିନାଶ ଏବଂ ଧର୍ମର ସୁରକ୍ଷାର ବାର୍ତ୍ତା ପ୍ରଦାନ କରେ।
ପୌରାଣିକ ମତ ଅନୁସାରେ, ଦେବୀ ଚନ୍ଦ୍ରଘଣ୍ଟା ଅନ୍ୟାୟ ଓ ଅସୁରଶକ୍ତିର ବିନାଶ କରି ଧର୍ମର ପ୍ରତିଷ୍ଠା କରନ୍ତି। ତାଙ୍କ ଘଣ୍ଟାଧ୍ୱନି ଦୁଷ୍ଟଶକ୍ତିକୁ ପରାସ୍ତ କରିବା ସହ ଭକ୍ତମାନଙ୍କ ମନରେ ନିର୍ଭୟତା ଓ ଆତ୍ମବିଶ୍ୱାସ ଜାଗ୍ରତ କରେ। ତେଣୁ ଏହି ଦିନ ମା’ଙ୍କ ଆରାଧନାର ବିଶେଷ ମହତ୍ତ୍ୱ ରହିଛି।
ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ସାଧନା ପରମ୍ପରାରେ ସମୃଦ୍ଧ ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀ, ମା’ ଭଗବତୀ ଓ ମା’ ଦୁର୍ଗାଦେବୀଙ୍କ ଏହି ବେଶ ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଉତ୍ସାହ ଭରିଦେଇଛି। ଜନବିଶ୍ୱାସ ଅନୁଯାୟୀ, ମା’ଙ୍କ ଦର୍ଶନ ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳ ଆଣିଥାଏ। ଏହି ବିଶ୍ୱାସକୁ ହୃଦୟରେ ଧାରଣ କରି ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପରିବାର ଓ ସମାଜର ମଙ୍ଗଳ କାମନା କରୁଛନ୍ତି।