-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
20-Sep-2022
ବଲାଙ୍ଗୀର(ପ୍ରେରଣା ଖବର) - ସମସ୍ୟା ବହୁଳ ବଲାଙ୍ଗୀର ଜିଲ୍ଲା । ଏହି ଜିଲ୍ଲା ପ୍ରତି ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ କୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତୀବ୍ର ନିନ୍ଦା କରିଛନ୍ତି । ବିକାଶ ର ବାହା ବାହା ନେଉଥିବା ବିଜେଡି ସରକାର ବିଭିନ୍ନ ଆଇନ ଶୃଙ୍ଖଳା ଉଲଂଘନ ପୂର୍ବକ କାର୍ଯ୍ୟରତ ବିଧାୟକ ଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ସେ ପ୍ରତିକ୍ରିୟାଶିଳ ହୋଇ ଉଠିଛନ୍ତି । ଜଣେ ଲୋକ ପ୍ରତିନିଧି ଯେକୌଣସି ପଦବୀ ରେ ଥାଆନ୍ତୁ ଜିଲ୍ଲାରେ ହେଉଥିବା ସରକାରୀ କାର୍ଯକ୍ରମ ରେ ସାମିଲ କରିବା ପରିବର୍ତ୍ତେ ଅଣଦେଖା କରିବା କେତେଦୂର ଯଥାର୍ଥ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ବିଧାୟକ ୨ ଲକ୍ଷ ଲୋକଙ୍କ ଜନ ପ୍ରତିନିଧି ।ଏଣୁ ସେ ଯାହା କହିବେ ତାହା ୨ ଲକ୍ଷ ଲୋକଙ୍କ ଭାଷା ବୋଲି ଭାବିବା ଉଚିତ ବୋଲି ବଲାଙ୍ଗୀର ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି । ଜଣେ ଲୋକ ପ୍ରତିନିଧି ଙ୍କୁ ସରକାର ସମସ୍ତ ସଭାରେ ନିମନ୍ତ୍ରଣ କରିବା ଜରୁରୀ । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କୁ କୌଣସି ସରକାରୀ କାର୍ଯକ୍ରମ ରେ ଡକାଯାଉ ନ ଥିବାରୁ ସେ ସରକାରଙ୍କ ମନୋମୁଖୀ କାର୍ଯକଳାପ ଉପରେ କ୍ଷୁବ୍ଧ ପ୍ରକାଶ କରିଥିଲେ । ବିଧାୟକ ନରସିଂହ ମିଶ୍ର କହିଥିଲେ ସେ ତାଙ୍କର ପ୍ରଚାର ପ୍ରସାର ଚାହୁନାହାନ୍ତି ।ସେ ଓଡ଼ିଶାରେ ବେଶ୍ ପରିଚିତ । ସରକାର ତାଙ୍କ ପ୍ରତି ଯେଉଁ ଭଳି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ସେ ଚାହିଁଲେ ବିଧାନ ସଭାରେ Breach of privilege ଉପସ୍ଥାପନ କରିପାରିବେ । ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ରେ କିଛି ଭିତ୍ତପ୍ରସ୍ତର ସ୍ଥାପନ କଲେ ଯେଉଁଥିରେ ବଲାଙ୍ଗୀର ବିଧାୟକ ବାଦ ପଡିଲେ । ଭିତ୍ତପ୍ରସ୍ତର ହୋଇଥିବା କିଛି ସ୍ଥାନ ମଧ୍ୟରେ , ଟ୍ରକ୍ ଟର୍ମିନାଲ , ଫାସଡ ରୁ ଫଟାବାହାଲ ରାସ୍ତା ଯାହାକି ବିନା ଟେଣ୍ଡର ପ୍ରସେସ ରେ ଜନ ପ୍ରତିନିଧି ଙ୍କୁ ନ ଡାକି ଛାନିଆ ହୋଇ କରିଥିଲେ ।ବଲାଙ୍ଗୀର ବିଧାୟକ ଙ୍କୁ ରାଜ୍ୟ ସରକାର ଚରମ ଅବହେଳା କରିଥିବାର ଅନେକ ନମୁନା ଦର୍ଶାଇଥିଲେ । ବଲାଙ୍ଗୀର ମ୍ୟୁନିସପାଲିଟି ସହ ସମ୍ପର୍କ ନ ଥିବା ବ୍ୟକ୍ତି ବିଶେଷ ଙ୍କୁ ନେଇ ସଭାରେ ବସାଉଥିବା କୁ ସେ ବିରୋଧ କରିଥିଲେ । ଇତି ମଧ୍ୟରେ କ୍ୟୁଇନ୍ ଏଲିଯାବେଥ ଙ୍କ ମୃତ୍ୟୁ ହେବାରୁ ତାଙ୍କର ଶୋକ ଦିବସ ସର୍ବ ଭାରତୀୟ ସ୍ତରରେ ପାଳନ କରାଯାଇ ସେହି ଗୋଟିଏ ଦିନ କୌଣସି ଉତ୍ସବ ପାଳନ ନ କରିବା ପାଇଁ ପ୍ରଚାର କରାଯାଇଥିବା ବେଳେ ସେହି ଦିନ ସରକାରୀ ସଂସ୍ଥା କରଡ଼ି (ବାଉସ ଗଜା)ରେ ୧୦୦ ପ୍ରକାରର ବ୍ୟଞ୍ଜନ ତିଆରି କରି ଲୋକଙ୍କୁ ଡାକି ବାହା ବାହା ନେଇଥିଲେ । କରଡ଼ି କାଟିବା ନିଷେଧ ଥିବାବେଳେ ଜଙ୍ଗଲ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଫରେଷ୍ଟ ଆକ୍ଟ ଉଲଂଘନ ହୋଇନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ବଲାଙ୍ଗୀର କୁ ଅନେକ ଯୋଜନା ଆସିଥିବା ବେଳେ ବର୍ଷ ବର୍ଷ ଧରି କାମ ନ ହୋଇ ପଡ଼ି ରହିଛି । ବଲାଙ୍ଗୀର ମହାରାଣୀ ସାଗର ର ପୁନରୁଦ୍ଧାର ପାଇଁ ବିଧାୟକ ୩ କୋଟି ଟଙ୍କା ମଞ୍ଜୁର କରାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି ବଲାଙ୍ଗୀର ସହରର ବୃହତ୍ ଜଳାଶୟ ।ବଲାଙ୍ଗୀର ରେ collectorate ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ କୁ ଗୋଟିଏ ପରିସରରେ ନିର୍ମାଣ କରିବା ପାଇଁ ଟଙ୍କା ଆସିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ଏହି ନୂତନ ଭାବରେ ନିର୍ମାଣ ହେବାକୁ ଥିବା collectorateକୁ ମିନି secretariat ନାମରେ ନାମିତ କରାଯାଇଛି । ବଲାଙ୍ଗୀର ଲକ୍ଷ୍ମୀ ଜୋର୍ ର ସୌନ୍ଦର୍ଯ୍ୟ କରଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ କାମ ନ ହୋଇ ପଡ଼ିରହିଛି । ବଲାଙ୍ଗୀର ଇରିଗେଶନ ବିଭାଗ କୁ ଏହି କାମ ହସ୍ତାନ୍ତର କରାଯାଇଥିଲେ ହେଁ ଅଧୁନା କାମ ଆରମ୍ଭ ହୋଇନାହିଁ । ବଲାଙ୍ଗୀର ରେ ଥିବା ବହୁ ପୁରାତନ ଗନ୍ଧରେଲ ଡେମ କାମ ପାଇଁ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ କାମ ହୋଇନାହିଁ । ସେହିଭଳି ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇ ପଡ଼ିରହିଛି । ବଲାଙ୍ଗୀର,ବରପାଲି ହାଇ ୱେ ଏବଂ ବାଇପାସ୍ ପାଇଁ ଟଙ୍କା ମଞ୍ଜୁର ହୋଇ କାମ ହୋଇପାରୁନାହିଁ । ବଲାଙ୍ଗୀର ରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି ।ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ,ବଲାଙ୍ଗୀର ରେ ଥିବା ମନ୍ଦିର ମାନଙ୍କ ପ୍ରତି ଅବହେଳା କରାଯାଉଛି । ଦେବୋତ୍ତର ର ବିକାଶ ପାଇଁ ସରକାର ଦୃଷ୍ଟି ଦେଉ ନାହାନ୍ତି । ବଲାଙ୍ଗୀର ରେ ଥିବା ମନ୍ଦିର ମାନେ ବହୁ ପୁରାତନ ହୋଇଥିବାରୁ ଭଗ୍ନ ଅବସ୍ଥାରେ ପହଞ୍ଚିଲାଣି ।ସରକାର ଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ବଲାଙ୍ଗୀର ସହରର ଧର୍ମାନୁଷ୍ଠାନ ।ବଲାଙ୍ଗୀର ସହରରେ ଦେବୋତ୍ତର ବିଭାଗ ର ଅନେକ ଷ୍ଟଲ ଅଛି । ବହୁ ପୂର୍ବରୁ ଅର୍ଦ୍ଧ ନିର୍ମିତ ସୁପର ମାର୍କେଟ ସମ୍ପୂର୍ଣ୍ଣ ନ ହୋଇ ଖଣ୍ଡହର ହେବାକୁ ବସିଲାଣି । ରାଜଶ୍ରୀ ଧର୍ମଶାଳା ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଏଣୁ ଏହି ଧର୍ମଶାଳା କୁ ଭାଙ୍ଗି ସମଲେଶ୍ଵରୀ ମନ୍ଦିର ନିର୍ମାଣ କରି ସେହି ପରିସରରେ ଷ୍ଟଲ ନିର୍ମାଣ କଲେ କିଛି ବେକାର ଯୁବକ ରୋଜଗାର କରିପାରନ୍ତେ ବୋଲି କହିଥିଲେ ।ବଲାଙ୍ଗୀର ରେ ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ରାଜ୍ୟ ସରକାର ବଲାଙ୍ଗୀର ଚାଷୀ ଙ୍କ ପ୍ରତି ଅବହେଳା କରୁଛନ୍ତି । ଚାଷୀ ଇନ୍ସୁରାନ୍ସ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ନ ପାଇ ହତାଶ ହୋଇଛି । ଅନେକ ସ୍ଥାନରେ ଚାଷୀ ରାସ୍ତା ରୋକ ମଧ୍ୟ କରିଛି । ଏହା ସତ୍ତ୍ୱେ ମଧ୍ୟ ତାର ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛି । ବଲାଙ୍ଗୀର ରେ ଚାଷୀ ହେଉ କିମ୍ବା ସାଧାରଣ ନାଗରିକ ସମସ୍ତେ ଏ ସରକାର ଶାସନ ରେ ଅବହେଳିତ । ପ୍ରଧାନମନ୍ତ୍ରୀ ଗୃହ ପ୍ରାୟ ୨ ବର୍ଷ ରୁ ଉର୍ଦ୍ଧ ହେବ ଆସିନାହିଁ । ଗରିବ,ଭୂମିହୀନ,ବାସହୀନ ଙ୍କୁ ଭୂମି ଏବଂ ଘର ସରକାର ଦେଉ ନାହାନ୍ତି ।ବଲାଙ୍ଗୀର ରେ କୋଟି କୋଟି ଟଙ୍କାର ଜମି ଦୁର୍ନୀତି ହେଉଛି । ୪୦୦ ଏକର ଜମି କୁ ଘରବାରି କିସମ କରି କୋଟି କୋଟି ଟଙ୍କାରେ ବିକ୍ରି କରୁଥିବା ବେଳେ ବାସହୀନ ଗରିବ ଖଟିଖିଆ ମାତ୍ର ୪ ଡିସିମିଲ ଜମିପଟ୍ଟା ପାଇବାରୁ ବଞ୍ଚିତ ହେଉଛି ।ବଲାଙ୍ଗୀର ର ଅନେକ ଅଞ୍ଚଳ ମରୁଡିଗ୍ରସ୍ତ ହୋଇଥିବା ବେଳେ ସରକାର ଙ୍କ ଦୃଷ୍ଟିନାହି । ଏହି ସରକାର ଶିକ୍ଷ୍ୟା ଏବଂ ସ୍ବାସ୍ଥ୍ୟ କୁ ଗୁରୁତ୍ଵ ଦେବା ପାଇଁ କହିଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ଡାକ୍ତର ଅଭାବ । ତିନି ଭାଗ ରୁ ଦୁଇ ଭାଗ ଡାକ୍ତର ଏଠାରେ ରହୁନଥିବା ବିଧାୟକ ପ୍ରକାଶ କରିଥିଲେ ।ଏଣୁ ରୋଗୀ କୁ ଏଠାରୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଉଛି । ତେବେ ଏଠାରେ ମେଡିକାଲ କଲେଜ୍ କରିବାର ଉଦ୍ଦେଶ୍ୟ କଣ ବୋଲି ସେ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ।ଗ୍ରାମାଞ୍ଚଳ ରେ ଡାକ୍ତର ଙ୍କ ଅଭାବ ।ଚୁଡ଼ାପାଲି ଏବଂ ଦେଓଗାଁ ରେ ଡାକ୍ତର ନାହାନ୍ତି । ଡାକ୍ତର ରାତିରେ ରହୁନାହାନ୍ତି ।ହସ୍ପିଟାଲ ମାନଙ୍କରେ ବେଡସିଟ୍ ନାହିଁ । ମେଡିକାଲ କଲେଜ ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ନିର୍ମାଣ ଶେଷ ହୋଇନାହିଁ । ହାର୍ଟ ସ୍ପେଶଲିଷ୍ଟ ନାହାନ୍ତି । ମେଡିକାଲ କଲେଜ ଗବର୍ଣିଂ ବଡି ବସୁନାହିଁ । ନୂତନ ନିର୍ମିତ ମେଡିକାଲ କଲେଜ୍ ଛାତରୁ ପାଣି ଗଲୁଛି । ବଡ଼ ସଂସ୍ଥା କୁ ନିର୍ମାଣ କାମ ଦେଇ ଅବସ୍ଥା ଖରାପ । ନିମ୍ନମାନ ର କାମ ହୋଇଥିବା ଅନୁମାନ କରାଯାଏ । ଅରାଜକତା ରେ ଚାଲିଛି ବଲାଙ୍ଗୀର । ଶିକ୍ଷ୍ୟା କ୍ଷେତ୍ରରେ ମଧ୍ୟ ବଲାଙ୍ଗୀର ପଛୁଆ ଥିବା ଅନୁମାନ କରାଯାଏ । ସ୍କୁଲ କଲେଜ ମାନଙ୍କରେ ଶିକ୍ଷକ ଅଭାବ । ବଲାଙ୍ଗୀର ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଖୋଲିବା ପରେ ଅଧ୍ୟାପକ ନାହାନ୍ତି । ଗେଷ୍ଟ ଫେକଲ୍ଟି ରେ ଚାଲିଛି ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗ । ନାମକୁ ମାତ୍ର ରାଜେନ୍ଦ୍ର University । ୧୦୦ ଏକର୍ ଜମି ମାଗିଲେ ଜମି ମିଳୁନାହିଁ । University ମାନ୍ୟତା ପାଇଛି ସତ କିନ୍ତୁ ନାହିଁ ନାହିଁ ରେ ଚାଲିଛି ରାଜେନ୍ଦ୍ର University । ଜଳ ସେଚନ କଥା ନ କହିବା ଭଲ । ଜିଲ୍ଲାରେ ଜଳସେଚନ ର ଘୋର ଅଭାବ । ବର୍ଷ କୁ ଥରୁଟିଏ ଚାଷ ହେବା କଷ୍ଟକର । ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ୨୦୨୪ ରେ ସମାପ୍ତ ହେବାପାଇଁ ମନ୍ତ୍ରୀ କହୁଥିବା ବେଳେ ସରକାର ୨୦୨୫ ରେ ସମାପ୍ତ ହେବ ବୋଲି କହିଛନ୍ତି । ତେବେ ମନ୍ତ୍ରୀ ଏବଂ ସରକାର ଙ୍କ କଥାରେ ତାଳମେଳ ନ ଥିବା ଦେଖିବାକୁ ମିଳେ ।ନାହିଁ ନାହିଁ ରେ ଚାଲିଛି ବଲାଙ୍ଗୀର । ଏହି ଜିଲ୍ଲାରେ ମାଷ୍ଟର,ଡାକ୍ତର ଏବଂ ସରକାରୀ ଅଫିସର ଙ୍କ ମରୁଡି ପଡ଼ିଛି । ଶେଷରେ ବିଧାୟକ ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଶାଣିତ ସ୍ଵରରେ ଚେତାବନୀ ଦେଇ କହିଛନ୍ତି ,ଯଦି ସରକାର ବିଭେଦ ଏବଂ ବୈମାତୃକ ମନୋଭାବ ରଖିବେ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବ । କିନ୍ତୁ ସେ ଆନ୍ଦୋଳନ କରିବା ପାଇଁ ଚାହୁଁ ନାହାନ୍ତି । କାରଣ ବଲାଙ୍ଗୀର ରେ ଆନ୍ଦୋଳନ ହେଲେ ବିପ୍ଳବ ସୃଷ୍ଟି ହୁଏ ଏବଂ ନିଆଁ ଜଳେ । ଏଣୁ ସେ ଏଭଳି ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାହୁଁ ନାହାନ୍ତି । ସରକାର ନିୟମରେ ରହି କାର୍ଯ୍ୟ କରିବା ପାଇଁ ସୂଚାଇ ଦେଇଛନ୍ତି ।