-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2026
ବଲାଙ୍ଗୀର(ପ୍ରେରଣା ଖବର): ଆସନ୍ତା ନଭେମ୍ବର ୧ ତାରିଖରେ ପାଳିତ ହେବାକୁ ଥିବା ଐତିହାସିକ ‘ବଲାଙ୍ଗୀର ଦିନ’ ଉପଲକ୍ଷେ ସହରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କ୍ରମରେ ପ୍ରଥମ କାର୍ଯ୍ୟକ୍ରମ ଭାବେ ସ୍ଥାନୀୟ ପ୍ରମୁଖ ସାମାଜିକ ସଂଗଠନ 'ନାରୀ ଶକ୍ତି ଫାଉଣ୍ଡେସନ' ତରଫରୁ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଏକ ମେଗା ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଶିବିରରେ ବଲାଙ୍ଗୀର ସହର ତଥା ଆଖପାଖ ଅଞ୍ଚଳରୁ ଶତାଧିକ ମହିଳା, ପୁରୁଷ ଓ ବରିଷ୍ଠ ନାଗରିକ ଉପସ୍ଥିତ ରହି ନିଜ ନିଜର ସ୍ୱାସ୍ଥ୍ୟ ଏବଂ ଆଖି ପରୀକ୍ଷା କରାଇ ଥିଲେ । ଅଭିଜ୍ଞ ଡାକ୍ତର ତଥା ଚକ୍ଷୁ ବିଶେଷଜ୍ଞମାନେ ରୋଗୀମାନଙ୍କର ବିସ୍ତୃତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଉଚିତ ଚିକିତ୍ସା ପରାମର୍ଶ ଏବଂ ମାଗଣା ଔଷଧ ବଣ୍ଟନ କରି ଥିଲେ। ଏହାସହ ଆବଶ୍ୟକ କରୁଥିବା ଲୋକଙ୍କୁ ଚକ୍ଷୁ ଯତ୍ନ ସମ୍ପର୍କରେ ସଚେତନ କରାଯାଇଥିଲା।
ନାରୀ ଶକ୍ତି ଫାଉଣ୍ଡେସନର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
ମାଟିର ଗୌରବ ଓ ପରମ୍ପରାକୁ ମନେ ପକାଇବା ସହ ସମାଜର ଗରିବ ତଥା ଅବହେଳିତ ଲୋକଙ୍କ ପାଖରେ ମୌଳିକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରା ଯାଇଛି। ଆଗାମୀ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଦିନକୁ ଆହୁରି ଉତ୍ସାହଜନକ କରିବା ପାଇଁ ଏଭଳି ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକଙ୍କ ତରଫରୁ ସୂଚନା ମିଳିଛି। ଫାଉଣ୍ଡେସନର ଏହି ଜନହିତକର ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।