-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2026
ବଲାଙ୍ଗୀର(ପ୍ରେରଣା ଖବର): କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀର ଅଷ୍ଟାଦଶୀ ଯୋଜନା ଅନ୍ତର୍ଗତ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ସାୟଂକାଳୀନ ସଂସ୍କୃତ ଅଧ୍ୟୟନ ଏବଂ ସଂସ୍କୃତରେ ସମ୍ଭାଷଣ, ଦ କ୍ୟାଚ,ଓଡ଼ିଶାର ଏକ କ୍ରାନ୍ତିକାରୀ ପଦକ୍ଷେପ, ଯାହାକି ବିଗତ ଏକ ମାସ ଧରି ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ଏକ କାର୍ଯ୍ୟଶାଳା ମାଧ୍ୟମରେ, ଏକ ପ୍ରୟୋଗାତ୍ମକ ଧାରାରେ କାର୍ଯ୍ୟାନ୍ୱୟନ କରାଯାଇଥିଲା ।
ଏହାର ଉଦଯାପନୀ ସମାରୋହରେ ଆଜି ସେପ୍ଟେମ୍ବର ୧୨ ତାରିଖରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ବୋଧୟନଙ୍କ ଦ୍ୱାରା ରଚିତ ଏକ ପ୍ରହସନକୁ ପ୍ରସ୍ତୁତ କରିଥିଲେ । ଏହାଦ୍ୱାରା ତାଙ୍କର ସଂସ୍କୃତ ସମ୍ଭାଷଣର ଏକ ନମୁନା ତଥା ଦକ୍ଷତା ପ୍ରଦର୍ଶିତ ହୋଇଥିଲା । ସେମାନଙ୍କର ଉତ୍ସାହ ଏହି ନାଟ୍ୟ ଦ୍ୱାରା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇଛି ବୋଲି ମହାବିଦ୍ୟାଳୟର ଅଧକ୍ଷ ଡଃ ଅରବିନ୍ଦ କୁମାର ଓଝା କହିଥିଲେ । ଏହିପରି ସଂସ୍କୃତ ସମ୍ଭାଷଣ ଓ ପ୍ରଚାର ପ୍ରସାରକୁ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ଡ ସଦାଶିବ ମଲ୍ଲିକ ସାଧୁବାଦ ଦେବା ସହିତ ଦ କ୍ୟାଚ, ଓଡ଼ିଶା ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆ ଦିଲ୍ଲୀ ର ଭୂରି ଭୂରି ପ୍ରଶଂସା କରିଥିଲେ । ଉଦଯାପନୀ ସତ୍ରରେ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଆଶୀର୍ବାଦ ଦେଇଥିଲା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଡଃ ବିଭୂତି ଭୂଷଣ ମଲ୍ଲିକ ବର୍ତ୍ତମାନ ଆଧୁନିକ ଯୁଗରେ ସଂସ୍କୃତର ପ୍ରାସଙ୍ଗିକତା ଏବଂ ଦ କ୍ୟାଚ, ଓଡ଼ିଶାର ମୁଖ୍ୟ ଚିତ୍ତରଞ୍ଜନ ଶତପଥୀଙ୍କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହିପରି କାର୍ଯ୍ୟଶାଳା ତଥା ନାଟ୍ୟ ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ରତନ ମେହେର, ମଞ୍ଚ ଅଭିନେତା ଚିତ୍ତରଞ୍ଜନ ଦାଶ, ସଂସ୍କୃତ ଭାରତୀର ପଶ୍ଚିମ ଓଡ଼ିଶାର ସଭାପତି ଆୟୁଷ୍ମନ୍ତ ଷଡ଼ଙ୍ଗୀ ଆଦି ଯୋଗଦେଇ ପ୍ରହସନର ସମୀକ୍ଷା କରି ଭୂୟସୀ ପ୍ରଶଂସା କରିଥିଲେ।
ଅଜିତ୍ କୁମାର ପଣ୍ଡାଙ୍କ ସଂଯୋଜନା ସଭା ତଥା ନାଟ୍ୟ ପ୍ରଦର୍ଶନ ରେ ସଫଳତା ଆଣି ପାରିଥିଲା । ବେଦ ମନ୍ତ୍ର ତଥା ପ୍ରହସନର ଭୂମିକା ପାଠ ଡଃ ସମୀର ବିଶ୍ବାଳ କରିଥିଲେ । ଏହି କାର୍ଯ୍ୟଶାଳାର ପି ଆଇ ତଥା ଦ କ୍ୟାଚ, ଓଡ଼ିଶାର ମୁଖ୍ୟ ଚିତ୍ତରଞ୍ଜନ ଶତପଥୀ ନିର୍ଦ୍ଦେଶନା ଦେଇଥିବା ବେଳେ ମାଷ୍ଟର ରାଜ ସଙ୍ଗୀତରେ ସଜାଇଥିଲେ । ବିଧାନ ସରଙ୍ଗି ଏବଂ ଅଧିକାରୀ ସାମଲ ଏଥିରେ ବେଶଭୂଷା କରାଇ ଆହୁରି ଚମତ୍କାର କରିଦେଇଥିଲେ । ବିଭିନ୍ନ ଭୂମିକାରେ ଅଂଶିକା, ସୁଜାତା, ପ୍ରତୀକ୍ଷା, ସତ୍ୟଭାମା, ରଞ୍ଜିତା, ରେଶ୍ମା, ତେଜସ୍ଵୀନି, ନମିତା, ରୀମା, ପୂଜା, ଫଗୁନି, ଦିବ୍ୟା, ଆଶା ଏବଂ ଲିଜା ପ୍ରମୁଖ ଅଭିନୟ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରୀମାନେ କାର୍ଯକ୍ରମକୁ ଉପଭୋଗ କରିଥିଲେ । ଶେଷରେ ଶ୍ରୀ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ଯାପକ ରତିକାନ୍ତ ନାଏକ ତଥା ଦିନେଶ ସିଂହ ସହଯୋଗ କରିଥଲେ ।