-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
03-Sep-2026
ବଲାଙ୍ଗିର(ପ୍ରେରଣା ଖବର): ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ପକ୍ଷରୁ ସଂସ୍କୃତ ସପ୍ତାହ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ୨୫/ ୦୮/୨୦୨୬ ୩୧/୦୮/୨୦୨୬ ଗୋଟିଏ ସପ୍ତାହ ଧରି ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ଏହା ପାଳିତ ହେଉଅଛି। ସଂସ୍କୃତ ଭାଷା ଏକ ଜ୍ଞାନର ଭାଷା ଯାହା ପୃଥିବୀକୁ ଭାରତର ଅନନ୍ୟ ଅବଦାନ ।
ଏହି ଅବସରରେ ସଂସ୍କୃତ ଭାଷାର ମହତ୍ତ୍ୱ, ଏହାର ଐତିହାସିକ ଓ ସାଂସ୍କୃତିକ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କୌତୁକ ପନ୍ଦର ଅଧ୍ୟକ୍ଷତା କରି ସଂସ୍କୃତ ସପ୍ତାହ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସଂସ୍କୃତ ଭାଷାକୁ ଭାରତୀୟ ଜ୍ଞାନ, ପରମ୍ପରା ଓ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ବାହକ ଭାବେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମର ସଂଯୋଜକ ଡଃ ଶ୍ରୀକାନ୍ତ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଏଥିରେ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ତଥା ବିଭାଗମୁଖ୍ୟ ଏଲ୍.ଟି. କୁଶା କହଁର ଏବଂ ଇଂରାଜୀ ବିଭାଗର ବିଭାଗମୁଖ୍ୟ ତଥା ସହକାରୀ ପ୍ରଫେସର ବନ୍ଦନା ବାର ଉପସ୍ଥିତ ରହି ସଂସ୍କୃତ ଭାଷାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ସମ୍ପର୍କରେ ନିଜ ନିଜ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନେ ବିଭିନ୍ନ ସଂସ୍କୃତ ଶ୍ଲୋକ ପାଠ କରିବା ସହିତ ବୈଦିକ ମନ୍ତ୍ର ଉଚ୍ଚାରଣ
କରିଥିଲେ। ଶ୍ଲୋକ ପାଠ ମାଧ୍ୟମରେ ସଂସ୍କୃତ ଭାଷାର ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ ଜ୍ଞାନପରମ୍ପରାର ପରିଚୟ ମିଳିଥିଲା। ଏଥିସହ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଭାଗୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ସଂସ୍କୃତ ଭାଷା ଓ ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ନିଜର ଆଗ୍ରହ ଓ ସମ୍ମାନ ପ୍ରଦର୍ଶନ କରିଥିଲେ। ସମଗ୍ର ପରିବେଶ ସଂସ୍କୃତମୟ ହୋଇଉଠିଥିଲା।