-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
06-Oct-2025
କାଲିମେଳା(ସନ୍ତୋଷ କୁମାର ପଣ୍ଡା): କାଲିମେଳା ଅଞ୍ଚଳରେ ଚାଲୁଥିବା ପାଥୋଲୋଜି କ୍ଲିନିକ ନିୟମାବଳୀ ଅନୁସାରେ ନଥିବା ଦେଖିବା ପାଇଁ ମିଳିଛି । ଫଳରେ ବିଭିନ୍ନ ରୋଗୀ ଏଠାକୁ ଆସି ଅସୁବିଧାରେ ପଡୁଛନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ତଥା ମେଡିକାଲ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ (ଡିଏମଇଟି) ଙ୍କ ସ୍ବତନ୍ତ୍ର ନିୟମାବଳୀ ଓ ନିର୍ଦ୍ଦେଶ ଅନୁଯାୟୀ ଗୋଟିଏ ମଳ ମୁତ୍ର ଓ ରକ୍ତ ପରିକ୍ଷା ନିମନ୍ତେ ଏକ ପାଥୋଲୋଜି କ୍ଲିନିକ୍ ଖୋଲିବା ପାଇଁ ଅନ୍ୟୁନ ୪ ବଖରା ଘରର ଆବଶ୍ୟକତା ରହିଛି । ଗୋଟିଏ ପାଇଖାନା, ଗୋଟିଏ ରୋଗୀ ଶଯ୍ୟା, ଯୋଗ୍ୟତା ସହ ଅନ୍ୟୁନ ୨ ଜଣ ତାଲିମ୍ ପ୍ରାପ୍ତ ମହିଳା ଓ ପୁରୁଷ କର୍ମଚାରୀ, ବିଭିନ୍ନ ବର୍ଗର ପରିକ୍ଷା ଓ ତାର ଦର ତାଲିକାର ଫଳକ ରହିବା ଆବଶ୍ୟକ । ଏକ ପାଥୋଲୋଜି କ୍ଲିନିକ୍ ଖୋଲିବା ପାଇଁ ସମସ୍ତ ବିବରଣୀ ଓ ପରିକ୍ଷା କେନ୍ଦ୍ରର ନକ୍ସା ସହ ଆବେଦନ କରିବାକୁ ପଡ଼ିଥାଏ । ପରବର୍ତ୍ତୀ ସମୟରେ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ଟିମର ତଦନ୍ତ କରିବା ପରେ କ୍ଲିନିକ୍ ଖୋଲିବାକୁ ଅନୁମତି ଦିଆଯିବାର ନିୟମ ରହିଛି । ତା ଛଡା ପଞ୍ଜିକରଣକୁ ପ୍ରତି ୫ ବର୍ଷରେ ଥରେ ନବିକରଣ କରିବା ସହିତ କ୍ଲିନିକ ବ୍ୟବସାୟୀଙ୍କ ନାମରେ ଉକ୍ତ ଘରର ୫ ବର୍ଷ ମାଲିକାନା ସତ୍ୱର ପଞ୍ଜିକରଣ ନଥି ରହିବା ଜରୁରୀ । କ୍ଲିନିକ ପାଇଁ ୪ଟି ବଖରା ବିଶିଷ୍ଟ ଘରର ଆବଶ୍ୟକତା ଥିବା ସ୍ଥଳେ ଏଠାରେ ବ୍ଲକ ତଥା ଗ୍ରାମପଞ୍ଚାୟତରୁ ଭଡ଼ା ସୂତ୍ରରେ ମିଳିଥିବା ଗୋଟିଏ ବଖରା ରେ ପାଥୋଲୋଜି କ୍ଲିନିକ୍ ଚାଲିଥିବା ଅଭିଯୋଗ ହେଉଛି । ପାଇଖାନା ନଥିବାରୁ ମହିଳା ଠାରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ବାହାରେ ଶୈ।ଚ କରି ମଳ, ମୁତ୍ର ଆଣିବାକୁ ନିଦ୍ଧେର୍ଶ ଦିଆଯାଉଥିବା ବେଳେ ବିଶେଷ କରି ବର୍ଷା ଦିନ ଆସିଲେ ରୋଗୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ଜଣାପଡିଛି । ତାଛଡା ଜଣେ ରୋଗୀ ଘଡିଟିଏ ଆରାମ କରିବାକୁ ରୋଗୀ ଶଯ୍ୟା ମଧ୍ୟ ନାହିଁ । ତେଣୁ କରି ଭିତ୍ତିଭୂମି ନଥାଇ ହାତେଇଥିବା ଏହି ପାଥୋଲୋଜି କ୍ଲିନିକ୍ ର ତଦନ୍ତ କରିବା ସହ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।