-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
09-Jun-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମାଁ ଅଭୟା କାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇ ଯାଇଛି।ବଲାଙ୍ଗୀର ସହର ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ।କାହିଁ କେଉଁ ଆବହମାନ କାଳରୁ ଏହି ଗ୍ରାମର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଛନ୍ତି ମାଁ ଅଭୟା।ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଲପକ୍ଷ ଚତୁର୍ଦଶୀ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ରୀତିନୀତି ଅନୁସାରେ ମାଁ ଙ୍କ ପୂଜାର୍ଚ୍ଚନା ହୁଏ।ଦେଶିମଦ,ଅରୁଆ ଚାଉଳ, ସିନ୍ଦୁର, ଘିଅ, ସଳିତା, ଲିଆ(ଖଇ )ଧୂପ, ଫୁଲ ପୂଜାରେ ବ୍ୟବହାର କରାଯାଇ ଥାଏ। ପାରମ୍ପରିକ ପୁଝାରୀ(ଝାଙ୍କର),ଗାଁ ଗୌନ୍ତିଆ, ଛତର ଧାରୀ, ନିଆଁ ବେଟିଆଁ (ପାଲରେ ତିଆରି) ଧାରୀ, ଘଣ୍ଟଧାରୀଙ୍କ ସହିତ ସନ୍ଧ୍ୟା ସମୟରେ ଗ୍ରାମର ଚାରି ଦିଗରେ ଶାଳ କାଠକୁ ଦୀପଷ୍ଟାଣ୍ଡ କରାଯାଇ ମାଟି ଦୀପରେ ଫୁଲି(ଦେଶୀ ମଦରେ)୭ ଦିନ ବ୍ୟାପି ଅଖଣ୍ଡ ଜଳା ଯାଇଥାଏ।ରନ୍ଧା ଦେଶୀମଦକୁ ମାଁ ଙ୍କୁ ଅର୍ପଣ କରା ଯାଏ ।ଗ୍ରାମ ର ଜନସ୍କୃତିରୁ ଜଣାଯାଏ ଯେ ୧୯୩୬ ମସିହାରେ ମାଁ ଙ୍କ ଆବିର୍ଭାବ ଗାଁ ନିକଟ ଅଙ୍ଗନଦୀ କୂଳରେ ହୋଇଥିଲା।ସେହି ସମୟରୁ ଗାଁ ଗୌନ୍ତିଆଙ୍କ ପ୍ରଚେଷ୍ଟାରେ ମାଁ ଙ୍କ ଯାତ୍ରା ହୋଇଆସୁଛି।ଞଜ୍ୟୋଷ୍ଠ ମାସ ଶୁକ୍ଳ ଚତୁର୍ଦଶୀ ଦିନ ମାଁ ଙ୍କ ମୁଖ୍ୟ ପୂଜା ଅନୁଷ୍ଠିତ ହୁଏ। ନିଷ୍ଠା ଓ ଭକ୍ତି ର ସହିତ ଗାଁ ର ପ୍ରତ୍ୟେକ ପରିବାରରୁ ନଡ଼ିଆ,ଫୁଲ, ଧୂପ, ଦୀପ, ଘିଅ, ସିନ୍ଦୁର ଗାଁ ମଝିରେ ଥିବା ମାଁଙ୍କ ପୀଠକୁ ଆସେ।ମାଁ ଙ୍କ ମୁଖ୍ୟ ଭୋଗ ନଡ଼ିଆ, ମୁଗକ୍ଷୀରି ଓ ଖଇ(ଲିଆ)। ମାଁ ହେଉଛନ୍ତି ଭାବ,ସ୍ନେହ ଏବଂ ମମତାର ଦେବୀ।ମାଁ ଅଭୟା ସମସ୍ତଙ୍କୁ ଅଭୟ ପ୍ରଦାନ କରି ରଖି ଆସିଛନ୍ତି।ଭକ୍ତମାନେ ମାଁଙ୍କ କରୁଣାର ସାନିଦ୍ଧ୍ୟ ଲାଭ କରୁଥିବାରୁ ପ୍ରଚଣ୍ଡ ରୌଦ୍ର ତାପ କୁ ଭ୍ରୁକ୍ଷେପ ନ କରି ଚାଲି ଆସୁଛନ୍ତି ମାଁ ଙ୍କ ପାଖକୁ।ବର୍ଷକୁ ବର୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମି ରହୁଛି ମାଁ ଅଭୟା ଙ୍କ ପୀଠରେ।ମାଁ ଙ୍କ ଠାରେ ଲାଗୁଥିବା ଭୋଗକୁ ବୟସ୍କ ବିଧବା ମହିଳା ମାନେ ପ୍ରସ୍ତୁତ କରିଥାନ୍ତି।ଅନ୍ୟାନ୍ୟ ପୂଜା କାର୍ଯ୍ୟରେ ବିଧବାଙ୍କୁ ବାରଣ ଥିବାବେଳେ ଏଠାରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ।ବିଧବାଙ୍କ ଉପରେ ମାଁ ଙ୍କ ଆଶୀର୍ବାଦ ରହିଥିବା ବିଶ୍ୱାସ କରାଯାଏ।ଏହି ୭ ଦିନ ଗାଁ ରେ ଆମିଷ ଭକ୍ଷଣ କରାଯାଏ ନାହିଁ।ବର୍ତ୍ତମାନ ପଶ୍ଚିମ ଓଡିଶା ର ତାରିଣୀ କୁହାଯାଉଥିବା ଏହି ପୀଠକୁ ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ସୁଅ ମଧ୍ୟ ଛୁଟୁଛି।ଜ୍ୟୋଷ୍ଠ ପୂର୍ଣ୍ଣିମା ଦିନ ଭୋର ସକାଳେ ଗାଁ ର ପ୍ରତ୍ୟେକ ପରିବାରରୁ ଜଣେ ଜଣେ ନିଆଁ ବେଟିଆଁ(ପାଲରେ ତିଆରି)ଠୁଁଟି ବାଢୁନ (ଝାଡୁ) ଖଇ ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ବତ୍ବଥ ବୃକ୍ଷ ମୂଳକୁ ଯାଇ ଦେବୀ ମାଁ ଙ୍କୁ ମେଲାଣି ଦେଇଥାନ୍ତି।ଏହି ମେଲାଣି ଯାତ୍ରାରେ ମାଁ ଙ୍କ ଆଗରେ କେହି ନ ଯିବାକୁ ବାରଣ ରହିଛି।ଗାଁ ଗୌନ୍ତିଆ ରାଜିନ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଯାତ୍ରା ରେ ଝାଙ୍କର ଶ୍ରୀହରି ଭୁଏ, ପିତାମ୍ବର ନାଗ,ଲେକୃ ସାହୁ, ନାଥୁଲାଲ ବାଘ, ଗରୁଡ଼ ସା, ବାଲି ବାଘ(ଛତର ଯାତ୍ରା) ପୂଜା ଦାୟିତ୍ୱରେ ଥିବାବେଳେ ମୁଖ୍ୟପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ଶତ୍ରୁଘନ ପୁରୋହିତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଯାତ୍ରା ପରିଚାଳନା କମିଟି ମୁଖ୍ୟ ଗୋବର୍ଧନ ସାହୁ ଓ ପ୍ରଦୀପ ପାତ୍ର ରହିଥିବାବେଳେ ଗ୍ରାମର ଯୁବଗୋଷ୍ଠୀ ବିଭିନ୍ନ ଦାୟିତ୍ୱ ତୁଲାଇ ଥିଲେ।ଏହି ଯାତ୍ରାକୁ ସଫଳ କରିଥିବାରୁ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତଙ୍କ ସୁଖ କାମନା ସହ ଧନ୍ୟବାଦ ଜଣାଇଛନ୍ତି।