-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
20-Apr-2025
ବଲାଙ୍ଗୀର(ପ୍ରେରଣାଖବର)-ସାମ୍ପ୍ରତିକ ସମୟରେ କୃଷିଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଫଳରେ ଉତ୍ପାଦନ ପ୍ରକ୍ରୀୟା ସମ୍ପ୍ରସାରଣ ହୋଇ ପାରୁଛି । ଦିନେ କେବଳ ଶ୍ରମିକଚାଲାଣ ପାଇଁ ବଦନାମ ମୁଣ୍ଡାଇ ଥିବା ବଲାଙ୍ଗୀର ଜିଲ୍ଲା ଆଜି ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀକୁ ନିଯୁକ୍ତି ଯୋଗାଇବାକୁ ଯାଉଛି । ଆଜି ତାହାର ମୂଳଦୁଆ ପଡିଛି । ତେବେ ବଡକାମ କରିବାକୁ ହେଲେ ବଡ ଭାବିବାକୁ ପଡେ ବୋଲି ଆଜି ବଲାଙ୍ଗୀର ନିକଟସ୍ଥ ବରକାନୀ ଠାରେ ଓଭୋ କମ୍ପାନୀର ଅଣ୍ଡାପ୍ରକ୍ରୀୟାକରଣ କାରଖାନା ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଏହି ଅବସରରେ ଆହୁରି କହିଛନ୍ତି ଯେ,ବଲାଙ୍ଗୀର ଭଳି ଏକ ଆକାଁଂକ୍ଷୀ ଜିଲ୍ଲାରେ ଏଭଳି ଏକ ପ୍ରକଲ୍ପ ସ୍ଥାପନ କରି ଏହାର ପ୍ରତିଷ୍ଠାତା ଏମଡି ସୌମେନ୍ଦ୍ର ମିଶ୍ର ଓ ସିଇଓ ସମରେନ୍ଦ୍ର ମିଶ୍ର ଅନ୍ୟ ଯୁବକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହି କାରଖାନା ଦେଶର ୫ନମ୍ବର ଅଣ୍ଡା ପ୍ରକ୍ରିୟାକରଣ କାରଖାନା ହୋଇଥିବା ବେଳେ ଏହା ରାଜ୍ୟର ଯୁବ ଉଦ୍ୟୋଗୀ ତଥା ଭାରତବର୍ଷର ଦୁର୍ଗମଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ସହିତ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । କାରଖାନା ପରିସରରେ ଆୟୋଜିତ ଏହାର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ରଙ୍କ ଅତିଥି ପରିଚୟ ସହ କାରଖାନା ବିଷୟରେ ସୂଚନା ଦେଇ ଥିଲେ । ଓଭୋ ଅଣ୍ଡାପ୍ରକ୍ରୀୟାକରଣ କାରଖାନାଟି ଅତ୍ୟାଧୁନିକ ଜ୍ଞାନକୌଶଲରେ ନିର୍ମିତ ହୋଇଥିବା ବେଳେ ଦେଶର ୫ନମ୍ବର କାରଖାନା । ଏହାର ଚିଲ୍ଡଏଗ,ଲିକ୍ୟୁଡଏଗ ଓ ଏଗପାଉଡର ଏଭଲି ତିନିଟି ଉତ୍ପାଦ ଏଠାରୁ ବିଦେଶକୁ ରପ୍ତାନୀ କରାଯିବ । ଉତ୍ପାଦର ମାନକୁ ଗୁରୁତ୍ୱଦେଇ ଆମେ ଆଗକୁ ବଢୁଛୁ ବୋଲି ଏହାର ଏମଡି ସୌମେନ୍ଦ୍ର ମିଶ୍ର କହିଛନ୍ତି । ସମ୍ମାନୀତ ଅତିଥି ଭାବରେ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ବୈଦ୍ୟୁତିକ ସୂଚନା ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଯୋଗଦେଇ ଦିନେ ଗବେଷଣା ସମୟରେ ବୈଜ୍ଞାନିକମାନେ ଅଣ୍ଡାକୁ ଗୁଣ୍ଡକରି ପ୍ରସ୍ତୁତ କରିବାକୁ ଚିନ୍ତା କରୁଥିବା ବେଳେ ଆଜି ତାହା ସଫଳ ହୋଇଛି । ବଲାଙ୍ଗୀର ଭଳି ଏକ ଜିଲ୍ଲାରେ ଏଭଳି କାରଖାନା କରିଥିବାରୁ ମିଶ୍ର ଭାତୃଦ୍ୱୟଙ୍କୁ ମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନକୁମାର ଜୈନ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣକୁମାର ବାଗ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ସଭାପୂର୍ବରୁ ମନ୍ତ୍ରୀ ଶ୍ରୀ ପ୍ରଧାନ କାରଖାନା ବୁଲିଦେଖିବା ସହ ପରିସରରେ ଥିବା ସଭାକକ୍ଷରେ ପୂର୍ବତନମନ୍ତ୍ରୀ ନରସିଂହ ମିଶ୍ର,ତାଙ୍କ ବଡପୁଅ ଏଡଭୋକେଟ ଅମରେନ୍ଦ୍ର ମିଶ୍ର ଓ ମିଶ୍ରପରିବାରବର୍ଗଙ୍କୁ ଭେଟି ଆଲୋଚନା କରିଥିଲେ ।
ପ୍ରକାଶ ଯେ, ଛତାମଖନାଠାରେ ଓଭୋ କମ୍ପାନୀର ଏକ ବଡ ଅଣ୍ଡା ଫାର୍ମ ରହିଛି । ସେଠାରେ ପ୍ରତିଦିନ ୧୦ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି ଓ ପ୍ରାୟ ୮୦% ଅଣ୍ଡା ବିଦେଶକୁ ରପ୍ତାନୀ ହେଉଛି । ଏହା ଫଳରେ ଜିଲ୍ଲାରେ ନିଯୁକ୍ତି ସୁଯୋଗ ବଢିଛି । ଏବେ ଏକ ନୂଆ ପ୍ରକଲ୍ପ ଆରମ୍ଭ ହୋଇଥିବାରୁ ଏଠାରେ ମଧ୍ୟ ନୂଆ ନିଯୁକ୍ତି ସୃଷ୍ଟିର ସମ୍ଭାବନା ବଢିଛି ।