-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
28-Feb-2025
ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ଓଡ଼ିଆ ଚଳଚ୍ଚିତ୍ରର ସୁପର ଷ୍ଟାର ଉତ୍ତମ ମହାନ୍ତି । ଏହି ଖବର ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । କେବଳ ଚଳଚ୍ଚିତ୍ର ପ୍ରେମୀ ନୁହଁନ୍ତି ସବୁ ବର୍ଗର ଲୋକଙ୍କୁ ଏହି ଖବର ବେଶ ମର୍ମାହତ କରିଥିଲା । ମୃତ୍ୟୁ ବେଳକୁ ଉତ୍ତମଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଚାରି ଦଶନ୍ଧି ଧରି ସେ କେବଳ ଓଡ଼ିଆ ଚଳଚ୍ଚିତ୍ର ନୁହେଁ ସାରା ଓଡ଼ିଶାବାସୀଙ୍କ ହୃଦୟରେ ରାଜ କରୁଥିଲେ । ତାଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବୁଦ୍ଧିଜୀବି ଓ ସାଧାରଣ ଲୋକ ମଧ୍ୟ ଶୋକ ବ୍ୟକ୍ତ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ଦିନ ଏଗାରଟା ସମୟରେ ଉତ୍ତମଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରୁ ତାଙ୍କ ଭବନେଶ୍ୱର ସ୍ଥିତ ବାସଭବନକୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ସେଠାରେ ହଜାର ହଜାର ଉତ୍ତମ ପ୍ରେମୀ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ସତ୍ୟନଗର ସ୍ମଶାନକୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହା ପରେ ରୀତି ନୀତି ଅନୁଯାୟୀ ପୁଅ ବାବୁସାନ ମହାନ୍ତି ମୁଖାଗ୍ନି ଦେଇଥିଲେ । ଏହି ସମୟରେ ଉପସ୍ଥିତ ହଜାର ହଜାର ଉତ୍ତମ ପ୍ରେମୀ ଉତ୍ତମ ମହାନ୍ତି ଅମର ରହେ ନାରା ଦେଇଥିଲେ । ଗୋଟିଏ ପଟେ ଉତ୍ତମଙ୍କ ମରଦେହ ପଞ୍ଚଭୂତରେ ବିଲୀନ ହେଉଥିଲା ତ ଆଉ ଗୋଟିଏ ପଟେ ସମସ୍ତଙ୍କ ଆଖିରୁ ଝରି ପଡୁଥିଲା ଲୁହ । ନିଜର ପ୍ରିୟ କଳାକାର, ଜଣେ ଦରଦୀ ମଣିଷଙ୍କୁ ସମସ୍ତେ ଲୁହ ଭିଜା ଆଖିରେ ଦେଇଥିଲେ ଚିର ବିଦାୟ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା ଉତ୍ତମ ଥିଲେ ସର୍ବୋତ୍ତମ ।
(ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ)