-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
13-Jan-2025
ଭୁବନେଶ୍ବର: ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଯୁବ ପୁରସ୍କାର ପ୍ରାପକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଏଥିରେ ଅଧ୍ୟକ୍ଷତା କରିଥିଲେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା। ସ୍ୱାଗତ ଭାଷଣରେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଯୁବ ଲେଖକମାନଙ୍କ ସୃଜନଶୀଳତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥି ସହିତ ସେ କାର୍ଯ୍ୟକ୍ରମରେ ଯୋଗ
ଦେଇପାରି ନଥିବା ସଂସ୍କୃତ ଭାଷାର ପୁରସ୍କାର ପ୍ରାପକ ମୁନି ପାର୍ଶ୍ବସୁନ୍ଦର ବିଜୟଙ୍କ ଭାଷଣ ପାଠ କରିଥିଲେ। ସଭାପତିତ୍ୱ ଅଭିଭାଷଣରେ ପ୍ରଫେସର ଶର୍ମା କହିଥିଲେ ଯେ, ଯୁବ ଲେଖକମାନଙ୍କ ମଧ୍ୟରେ ପ୍ରଚୁର ସୃଜନଶୀଳତା ରହିଛି। ସେମାନେ ନିଜ ନିଜ ଅନୁଭୂତି ଏବଂ ଅନୁଭବକୁ ଖୁବ୍ ସୁନ୍ଦର ଭାବରେ ସାହିତ୍ୟ ମାଧ୍ୟମରେ ପରିପ୍ରକାଶ କରୁଛନ୍ତି। ସାମାଜିକ ସମସ୍ୟାରୁ ପ୍ରେରିତ ହୋଇ ମଧ୍ୟ ସେମାନେ ସାହିତ୍ୟ ସୃଷ୍ଟି କରୁଛନ୍ତି। ଉପସ୍ଥିତ ଥିବା ୨୨ଟି ଭାଷାର ଯୁବ ଲେଖକ ଲେଖିକା ନିଜ ନିଜର ସାରସ୍ବତ ଅନୁଭୂତି ପ୍ରକାଶ କରିଥିଲେ। ନୟନଜ୍ୟୋତି ଶର୍ମା (ଅସମିଆ) କହିଥିଲେ ଯେ, ଦିନେ ଅନୁକରଣରୁ ଆରମ୍ଭ ହୋଇଥିବା ସାହିତ୍ୟ ରଚନା ଏବେ ତାଙ୍କର ନିଶା ପାଲଟିଯାଇଛି। କିଛି ପ୍ରସିଦ୍ଧ ଲେଖକଙ୍କ କୃତି ତାଙ୍କ ଜୀବନ ପ୍ରତି ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା ଏବଂ ଲେଖିବା ପାଇଁ ତାଙ୍କୁ ପ୍ରେରଣା ଦେଇଥିଲା। ଆସାମରେ ରହୁଥିବା ସୁତପା ଚକ୍ରବର୍ତ୍ତୀ (ବଙ୍ଗଳା) ବଙ୍ଗଳା କବିତା ପୁସ୍ତକ ପାଇଁ ଯୁବ ପୁରସ୍କାର ଲାଭ କରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ। ତାଙ୍କର ଆଶା ଯେ ଏହା କଳା ଏବଂ ସାହିତ୍ୟ ପ୍ରତି ତାଙ୍କ ବୁଝାମଣାକୁ ଆହୁରି ଗଭୀର କରିବ। ସେଲ୍ଫ ମେଡ୍ ରାଣୀ ବୋଡ଼ୋ (ବୋଡ଼ୋ) କାହାଣୀ କହିବା ଓ ନିଜ ସମ୍ପ୍ରଦାୟର ସ୍ୱରକୁ ଶାଣିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଲୋକଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରିବା, ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ସାର୍ବଜନୀନ ବିଷୟବସ୍ତୁକୁ ବୋଧଗମ୍ୟ କରିବାରେ ସାହିତ୍ୟର କ୍ଷମତା ଉପରେ ଆଲୋକପାତ କରିଥିଲେ। ହୀନା ଚୌଧୁରୀ (ଡୋଗ୍ରୀ) ନିଜ ମାତୃଭାଷା ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ଭାଷା ହେଉଛି ଭାବନା ଓ ଆବେଗ ପ୍ରକାଶ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ବୁଝିବାର ତାଙ୍କ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ। କେ. ବୈଶାଳୀ (ଇଂରାଜୀ) ଯୁବ ପୁରସ୍କାର ଜିତିବାର ଆନନ୍ଦ ଓ ଅବିଶ୍ୱାସ ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ କିଭଳି ପଠନ ଓ ଲିଖନ ପ୍ରକ୍ରିୟାକୁ କଠିନ କରିଦେଉଥିବା ଡିସଲେକ୍ସିଆ ଓ ଡିସଗ୍ରାଫିଆ ଭଳି ଅବସ୍ଥା ଯୋଗୁଁ ସାହିତ୍ୟ ରଚନା ସହ ତାଙ୍କ ସମ୍ପର୍କ ଜଟିଳ ରହିଆସିଛି। ଏହି ଆହ୍ବାନ ସତ୍ତ୍ୱେ, ସାହିତ୍ୟ ରଚନା ତାଙ୍କର ଆତ୍ମପରିଚୟ ଓ ବ୍ୟକ୍ତିଗତ ସତ୍ୟ ଅନୁସନ୍ଧାନ ଏକ ବଳିଷ୍ଠ ମାଧ୍ୟମ ବୋଲି ସେ କହିଥିଲେ। ରିଙ୍କୁ ଭଜେସିଂହ ରାଠୋଡ଼ (ଗୁଜରାଟୀ) ପୁରୁଷପ୍ରଧାନ ସମାଜରେ ଜଣେ ମହିଳା ଭାବରେ ଶିକ୍ଷା ହାସଲ ଓ ଆତ୍ମ-ଅଭିବ୍ୟକ୍ତି ଲାଗି କରିଥିବା ସଂଘର୍ଷମୟ ଯାତ୍ରା ସମ୍ପର୍କରେ କହିଥିଲେ। କମ୍ ସାକ୍ଷରତା ହାର ଓ ସାମାଜିକ କଟକଣା ଭଳି ବାଧାବିଘ୍ନର ସମ୍ମୁଖୀନ ହେବା ସତ୍ତ୍ୱେ ସେ ତାଙ୍କର ଅଧ୍ୟୟନ ଜାରି ରଖିଥିଲେ ଏବଂ ବିଷମ ସମୟରେ କବିତାରୁ ସାନ୍ତ୍ୱନା ଆହରଣ କରୁଥିଲେ ବୋଲି ପ୍ରକାଶ କରିଥିଲେ। ତାଙ୍କ ରଚନାରେ ଗଭୀର ଆବେଗ, ନାରୀ ପ୍ରତି ସମ୍ବେଦନଶୀଳତା ଓ ସାମାଜିକ ସମସ୍ୟାର ପ୍ରତିଫଳନ ଦେଖିବାକୁ ମିଳେ। ଗୌରବ ପାଣ୍ଡେ (ହିନ୍ଦୀ) କହିଲେ ଯେ ତାଙ୍କ ସୃଜନଶୀଳ ଯାତ୍ରା ପିତାଙ୍କ ଶିକ୍ଷା ଓ ମାତାଙ୍କ ରଚନା ଦ୍ୱାରା ବିଶେଷ ପ୍ରଭାବିତ। ତାଙ୍କ କୃତିମାନଙ୍କ ବିଷୟବସ୍ତୁ, ଯେପରିକି ‘ପୃଥିବୀ ମଧ୍ୟ ଏକ ପକ୍ଷୀ’ କରୁଣା, ପ୍ରେମ ଓ ସମ୍ପର୍କରେ ଥିବା ଆହ୍ବାନକୁ ଉତ୍ଥାପନ କରିଥାଏ, ଯେଉଁ କାରଣରୁ ଆଜି ସେଗୁଡ଼ିକୁ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୋଇଥାଏ। ଶ୍ରୁତି ବି.ଆର. (କନ୍ନଡ଼) ଯୁବ ପୁରସ୍କାର ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ କବିତାକୁ ଏକ ମୁକ୍ତ ଭାବେ ପ୍ରବାହିତ ନଦୀ ରୂପେ ଦେଖନ୍ତି, ଯାହା ଉଭୟ ବ୍ୟକ୍ତିଗତ ଓ ସାମୂହିକ ଅଭିଜ୍ଞତାକୁ ପ୍ରତିଫଳିତ କରିଥାଏ। ବାସଭାନ୍ନା ଓ କୁଭେମ୍ପୁଙ୍କ ଉଦାହରଣ ଦେଇ ସେ କବିଙ୍କ ସ୍ୱାଧୀନତା ଓ ରୂପାନ୍ତରଣକାରୀ ଶକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ଅଦ୍ୱୈତ ସାଲଗାଓଁକର (କୋଙ୍କଣୀ) ଗୋଆର ପେଡନେ ଅଞ୍ଚଳକୁ ଏହି ସ୍ୱୀକୃତି ମିଳିଛି ବୋଲି ପ୍ରକାଶ କରିଥିଲେ। ସେ ପେଡନେ ଉପଭାଷାର ସ୍ବାତନ୍ତ୍ର୍ୟ ଉପରେ ଆଲୋକପାତ କରିଥିଲେ, ଯାହାକୁ ସେ ତାଙ୍କ ପୁସ୍ତକ ‘ପେଡ୍ୟାଚା ସମାରା’ରେ ବ୍ୟବହାର କରିଛନ୍ତି।
ରିଙ୍କି ଝା ଋଷିକା (ମୈଥିଲି) ଜଣେ କବି ଭାବରେ ତାଙ୍କର ଯାତ୍ରାକୁ ସ୍ମରଣ କରିଥିଲେ, ଯାହା ତାଙ୍କ ଜେଜେବାପା ଏବଂ ପ୍ରକୃତି ପ୍ରତି ପ୍ରେମ ଦ୍ୱାରା ଅନୁପ୍ରାଣିତ। ସେ ନିଜ କବିତାରେ ମହିଳାମାନଙ୍କର ବିଭିନ୍ନ ଅକଥିତ ସମସ୍ୟାକୁ ଉତ୍ଥାପନ କରିଥାନ୍ତି। ପ୍ରାରମ୍ଭରେ ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ମଧ୍ୟ, ସେ ସକାରାତ୍ମକ ରହିବା ଉପରେ ଗୁରୁତ୍ବାରୋପ କରିଥିଲେ ବୋଲି କହିଥିଲେ। ଶ୍ୟାମକୃଷ୍ଣନ୍ ଆର. (ମାଲାୟଲମ) ପ୍ରଭାବଶାଳୀ ଲେଖକମାନଙ୍କ ଦ୍ୱାରା ଗଠିତ ମାଲାୟଲମ ସାହିତ୍ୟର ସମୃଦ୍ଧ ଐତିହ୍ୟକୁ ଆଲୋକପାତ କରିଥିଲେ। ୱାଇଖୋମ୍ ଚିଙ୍ଗଖେଇଙ୍ଗାନବା (ମଣିପୁରୀ) ତାଙ୍କ ସାହିତ୍ୟିକ ଯାତ୍ରା ଏବଂ ସେଥିରେ ତାଙ୍କ ପିତାଙ୍କ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। ଦେବୀଦାସ ସୌଦାଗର (ମରାଠୀ) ରେଡିମେଡ୍ ପୋଷାକର ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପାରମ୍ପରିକ ଦର୍ଜୀମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ଏବଂ ଜୀବିକା ନିର୍ବାହ ଲାଗି ସେମାନଙ୍କ ସଂଘର୍ଷ ବିଷୟରେ ବର୍ଣ୍ଣନା କରିଥିଲେ। ପିତା ଓ ଜେଜେବାପାଙ୍କ ପଦାଙ୍କ ଅନୁସରଣ କରି ସେ ନିଜେ ସିଲେଇ କାମକୁ ନିଜର ପେସାରେ ପରିଣତ କରିଛନ୍ତି ଏବଂ ତାଙ୍କର ଏହି ବୃତ୍ତି ସହିତ ଗଭୀର ସମ୍ପର୍କ ରହିଛି। ପରିଶ୍ରମୀ ଲୋକମାନଙ୍କ ଉପରେ ପରିବର୍ତ୍ତନଶୀଳ ସମୟର ପ୍ରଭାବକୁ ନିଜ ରଚନା ସାହାଯ୍ୟରେ ଚିତ୍ରଣ କରିବା ତାଙ୍କର ଲକ୍ଷ୍ୟ। ମଣିପୁରର ବାସିନ୍ଦା ସୂରଜ ଚାପାଗାଇନ୍ (ନେପାଳୀ) ନେପାଳୀ ଭାଷାକୁ ନେଇ ଗର୍ବିତ ବୋଲି କହିଥିଲେ ଏବଂ ତାଙ୍କ କବିତା ସଂଗ୍ରହ ‘କ୍ୟାନଭାସାକୋ କ୍ଷିତିଜ’ ପାଇଁ ମିଳିଥିବା ପୁରସ୍କାରକୁ ନେପାଳୀ ସାହିତ୍ୟର ସଂରକ୍ଷଣ ପାଇଁ କାର୍ଯ୍ୟ କରିଥିବା ଲୋକଙ୍କୁ ଉତ୍ସର୍ଗ କରିଥିଲେ। ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ) ପୁରସ୍କାର ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ତାଙ୍କ ସାହିତ୍ୟ ଯାତ୍ରାରେ ତାଙ୍କ ଗ୍ରାମ ଇରମର ପ୍ରଭାବକୁ ରେଖାଙ୍କିତ କରିଥିଲେ। ସେ ସ୍ୱର ନଥିବା ଲୋକଙ୍କର ସ୍ବର ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅନ୍ୟାୟ ବିରୁଦ୍ଧରେ ନିରନ୍ତର ସମର୍ଥନ ପାଇଁ ଆହ୍ୱାନ କରିଥିଲେ। ରଣଧୀର (ପଞ୍ଜାବୀ) କବିତାର ସାରମର୍ମ ସମ୍ପର୍କରେ, ସୋନାଲି ସୁଥର (ରାଜସ୍ଥାନୀ) ତାଙ୍କ ସାହିତ୍ୟ ଯାତ୍ରାରେ ଦିବ୍ୟ ହସ୍ତକ୍ଷେପ ବିଷୟରେ, ଅଞ୍ଜନ କର୍ମକାର (ସାନ୍ତାଳୀ) ସାନ୍ତାଳୀ ଗାଁରେ ବଢ଼ିବାର ଅଭିଜ୍ଞତା ସମ୍ପର୍କରେ, ଗୀତା ପ୍ରଦୀପ ରୁପାନି (ସିନ୍ଧି) ତାଙ୍କ ସାହିତ୍ୟ ଯାତ୍ରା ସମ୍ପର୍କରେ, ଲୋକେଶ ରଘୁରମଣ (ତାମିଲ) ସାହିତ୍ୟରେ ବିଭିନ୍ନ କାରକର ଭୂମିକା ବିଷୟରେ, ରମେଶ କାର୍ତ୍ତିକ ନାୟକ (ତେଲୁଗୁ) ବଞ୍ଜାରା ସମ୍ପ୍ରଦାୟର ସମୃଦ୍ଧ ଇତିହାସ ସମ୍ପର୍କରେ ଏବଂ ମୋହମ୍ମଦ ଜାଭେଦ ଅହମଦ (ଉର୍ଦ୍ଦୁ) ତାଙ୍କର ଲେଖା ପ୍ରକ୍ରିୟା ଓ ପ୍ରେରଣା ବିଷୟରେ ଆଲୋଚନା କରିଥିଲେ। ସଭା ଶେଷରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଧନ୍ୟବାଦ ଦେଇଥିଲେ।