-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ "ଓସାକା" ତରଫରୁ ୨୯ ସେପ୍ଟେମ୍ବର ଦିନ ବଂଜାରା ହିଲ୍ ସ ସ୍ଥିତ ଆଦିବାସୀ ଭବନ ଠାରେ ମହାସମାରୋହରେ ନୂଆଁଖାଇ ଭେଟ୍ ଘାଟ୍ ପାଳିତ ହୋଇଯାଇଛି । ପ୍ରଥମେ ଛତର୍ ସହ ଶୋଭାଯାତ୍ରା ପରେ ଧରତୀ ମାତା ଏବଂ ଇଷ୍ଟଦେବୀ ମାଁ ସମଲେଇ, ପାଟଣେଶ୍ବରୀ, ମାଣିକେଶ୍ଵରୀ ଏବଂ ସୁରେଶ୍ଵରି ଙ୍କର ପୂଜାଅର୍ଚନା ହୋଇଥିଲା । ବିଗତ ବର୍ଷ ପରି ତଳେ ବସି ସମସ୍ତେ ଏକାଠି ନୂଆଁଖାଇ " ଚୁରାକୁଁଡା " ପ୍ରସାଦ ସେବନ ପରେ ଜୁହାରି ଭେଟ ହୋଇଥିଲେ।
ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ଭବାନୀପାଟଣାର ମାନ୍ୟବର ବିଧାୟକ ସାଗର ଚରଣ ଦାସ। ନୂଆଁଖାଇର ଏକତା ଭଳି ସବୁ ପଶ୍ଚିମ ଓଡ଼ିଶାବାସୀ ଏକଜୁଟ୍ ହେଇ ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ । ଓସାକା, ହାଇଦ୍ରାବାଦ୍ ର ନୂଆଁଖାଇ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଅସଲ ପରମ୍ପରାର ପ୍ରତିଫଳନ ପାଇଁ ଭୁୟସୀ ପ୍ରଶଂସା କରିଥିଲେ। ହାଇଦ୍ରାବାଦରେ କେମିତି ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ପାରିବ ସେଥିପାଇଁ ସେ ଯଥା ସମ୍ଭବ ସହଯୋଗ କରିବେ ବୋଲି ତାଙ୍କର ନୂଆଁଖାଇ ବାର୍ତ୍ତାରେ ଘୋଷଣା କରିଥିଲେ । ଏହି ଅବସରରେ ବିଧାୟକ ସାଗର ଚରଣ ଦାସଙ୍କୁ ଓସାକା ତରଫରୁ "ଯୁବ ଆଇକନ୍ ଏବଂ ପଶ୍ଚିମ ଓଡ଼ିଶାର ଶ୍ରେଷ୍ଠ ଯୁବ ନେତା -୨୦୨୪ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ବିରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ଡ: ଦେବେନ୍ଦ୍ର କୁମାର ସାହୁ , ଇନ୍ ଫରମେସନ୍ ଟେକ୍ନୋଲୋଜି କ୍ଷେତ୍ର ରେ ଅବଦାନ ପାଇଁ ବୁର୍ଲା ଇଞ୍ଜିନିୟରିଙ୍ଗ୍ କଲେଜର ପୂର୍ବତନ ଛାତ୍ର ଇଂ ମହେଶ ଅଗ୍ରୱାଲ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଏନ.ଜି.ଆର୍.ଆଇ., ହାଇଦ୍ରାବାଦରେ କାର୍ଯ୍ୟରତ ମୁଖ୍ଯ ବୈଜ୍ଞାନିକ ଡ: ବି.ପ୍ରଶାନ୍ତ ପାତ୍ର ଙ୍କୁ " ଓସାକା " ତରଫ୍ ରୁ ସମ୍ମାନିତ କରାଯାଇଥିଲା।
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
ପାଟଣାଗଡ୍ ର "ସାତ୍ କୁଁଆରୀ ସାଂସ୍କୃତିକ ପରିଷଦ " । ଦୁଷ୍ମନ୍ତ ସୁନା, ସଂଗୀତା ରାଉତ, ଟ୍ଵିଙ୍କିଲ ମହାପାତ୍ର, ଭରତ ନାଗ, ମନୋଜ ବାଗ ଏବଂ କରନ୍ ତାଣ୍ଡିଙ୍କର ସମ୍ବଲପୁରୀ ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ ।ସଂଗୀତ ଆରାଧନାର ନୃତ୍ୟ ତଥା ମନୋଜ ବାଗ୍ ଏବଂ ଖୁସି ମହାରଣାଙ୍କ ମଞ୍ଚ ପରିଚାଳନା ବେଶ୍ ମନଛୁଆଁ ଥିଲା । ହାସ୍ୟ ତଡ୍ କା ଶିଶିର ପୁରୋହିତଙ୍କର ବ୍ୟଙ୍ଗ କବିତା ଦର୍ଶକ ବେଶ୍ ଉପଭୋଗ କରିଥିଲେ । ବରିଷ୍ଠ କବି ଭିକାରୀ ମିଶ୍ରଙ୍କ ଲିଖିତ ସମ୍ବଲପୁରୀ କୋସଲୀ ବହି "ଜନ୍ ଖମନ୍ " ଏବଂ "ଘନ୍ ଖମନ୍" ଉନ୍ମୋଚିତ ହୋଇଥିଲା । ପଶ୍ଚିମ ଓଡିଶାର ହସ୍ତତନ୍ତ, ଚାରୁକଳା, ଖାଦ୍ୟ ପରମ୍ପରା ଆଦିକୁ ପ୍ରୋତ୍ସାହନ ପାଇଁ 'ଓସାକା' ତରଫ୍ ରୁ "ହାଟ୍" ର ଆୟୋଜନ କରାଯାଇଥିଲା । ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଂ ମଧ୍ଯ ରେମୁଣ୍ଡାର "ଶୀଳ୍ପୀଶାଢୀ" ର ବୁଣାକାରଙ୍କୁ ନିମନ୍ତ୍ରିତ କରାଯାଇଥିଲା। ପାରମ୍ପରିକ ଖାଦ୍ୟ ପରିବେଷଣ ପାଇଁ ପଶ୍ଚିମ ଓଡିଶାରୁ ଆମନ୍ତ୍ରିତ ରାନ୍ଧୁଣିଆଙ୍କ ଖାଦ୍ୟ ପ୍ରସ୍ତୁତି ବେଶ୍ ସୁସ୍ବାଦୁ ଥିଲା । ଲକି ଡ୍ର, କୁଇଜ ତଥା ଆହୁରି କାଯ୍ୟକ୍ରମ ସହ ସମ୍ବଲପୁର- ନାନ୍ଦେଡ୍ ଏକ୍ସପ୍ରେସ ଟ୍ରେନକୁ ପ୍ରତ୍ୟେକ ଦିନ ଚଳାଚଳ ପାଇଁ ରେଳମନ୍ତ୍ରୀ ଙ୍କୁ ଅନୁରୋଧ ଉଦ୍ଦେଶ୍ଯରେ ଦସ୍ତଖତ ଅଭିଯାନ କରାଯାଇଥିଲା। ଓସାକାର ସଭାପତି ସୁନୀଲ କୁମାର ଗଡତ୍ଯା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ନିଜ ଅଞ୍ଚଳ ର ବିକାଶ ପାଇଁ ମିଳିତ ଉଦ୍ୟମ ପାଇଁ ଅନୁରୋଧ କରିଥିଲେ । ଶେଷରେ ଓସାକାର ସାଧାରଣ ସମ୍ପାଦକ ସନ୍ଦୀପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।