-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
27-Aug-2024
ଭୁବନେଶ୍ୱର(ବିଶ୍ୱରଞ୍ଜନ ବିଶ୍ଵାଳ। ): ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେପିର ଗୋଷ୍ଠୀ କନ୍ଦଳ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ବାଳକାଟିରେ ଆୟୋଜିତ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତି ଦଳୀୟ କନ୍ଦଳକୁ ପଦାରେ ପକାଇ ଦେଇଛି।ସାଂସଦଙ୍କୁ ଡକାଯାଇ ନଥିବାରୁ ତାଙ୍କ ସମର୍ଥକମାନେ ଖୋଲାଖୋଲି ଭାବେ ପ୍ରତିବାଦ କରିଥିଲେ। ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜଧାନୀ ଉପକଣ୍ଠରେ ଏମିତି ଘଟଣା ଦଳର ଭାବମୂର୍ତ୍ତିରେ ଆଞ୍ଚ ଆଣିଛି। ଏହି ପ୍ରସଙ୍ଗରେ ବରିଷ୍ଠ ନେତାମାନେ ପାଟି ଫିଟାଉ ନାହାନ୍ତି।
ଗତ ନିର୍ବାଚନର କିଛି ମାସ ଆଗରୁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଜୟଦେବର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି। ସ୍ଥାନୀୟ ବିଜେପି ସଂଗଠନରେ ବହୁ ନେତାଙ୍କ ବିରୋଧ ସତ୍ତ୍ବେ ଢାଲି ହିଁ ଦଳୀୟ ପ୍ରାର୍ଥୀ ହୋଇଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀର ସମ୍ପୂର୍ଣ୍ଣ ସମର୍ଥନ ତାଙ୍କ ପ୍ରତି ରହିଥିଲା। ଏହାକୁ ନେଇ ସାଂସଦଙ୍କ ଉପରେ ମଧ୍ୟ ବହୁ ବିଜେପି ନେତା ଖପ୍ପା ହୋଇଥିଲେ। ତେବେ ନିର୍ବାଚନରେ ଢାଲି ପ୍ରାୟ ୨୪ ହଜାର ଭୋଟ୍ରେ ବିଜେଡି ପ୍ରାର୍ଥୀଙ୍କୁ ଠାରୁ ହାରିଗଲେ। ଆଉ ଅପରାଜିତା ବି ଜୟଦେବରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ୪ ହଜାର ଭୋଟ୍ ପଛରେ ରହିଲେ।
ନିର୍ବାଚନ ପରେ ଏବେ ଅପରାଜିତା ଓ ଢାଲିଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବା ଚର୍ଚ୍ଚା ଚାଲିଛି। ଢାଲି ଜୟଦେବରେ ଦଳର ସବୁ ସାଂଗଠନିକ କାର୍ଯ୍ୟ ବୁଝିବାକୁ ଚାହୁଛନ୍ତି। କିନ୍ତୁ ତାଙ୍କୁ ଜୟଦେବର ସମ୍ପୂର୍ଣ୍ଣ ଦାୟିତ୍ବ ଦେବା ସପକ୍ଷରେ ନାହାନ୍ତି ଅପରାଜିତା। ଫଳରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। କେବଳ ଜୟଦେବରେ ନୁହେଁ, ଭୁବନେଶ୍ବର ଜିଲ୍ଲା ସଂଗଠନ ସହ ସାଂସଦଙ୍କ ସମ୍ପର୍କ ମଧ୍ୟ ଠିକ୍ ନଥିବା କୁହାଯାଉଛି। ଏସବୁର ପ୍ରତିଫଳନ ଗତକାଲିର ସଭାରେ ଦେଖିବାକୁ ମିଳିଥିଲା ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି।