-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
21-Jul-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଗଇଁତଳା ଗ୍ରାମପଞ୍ଚାତର ଲଖପାଲି ଗ୍ରାମରେ ଗତ ୧୦ଦିନ ହେଲା ଡାଇରିଆ ବ୍ୟାପିଛି । ଡାଇରିଆ ସଂକ୍ରମଣ କାରଣରୁ ଗତ ୧୬ ତାରିଖରେ ବେଲମତି ରଣା(୬୫) ନାମ୍ନୀ ଜଣେ ବୃଦ୍ଧା ଓ ଆଜି ଶନିବାର ସକାଳୁ ମୋହିନୀ ବିଶ୍ୱାଳ(୩୫) ନାମକ ଜଣେ ଯୁବତୀ ମୃତ୍ୟୁବରଣ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପର୍ଯ୍ୟନ୍ତ ଗ୍ରାମର ୧୭ଜଣ ପୁରୁଷ/ମହିଳା ଡାଇରିଆରେ ଆକ୍ରାନ୍ତ ହୋଇ ଭୀମଭୋଇ ମେଡିକାଲ କଲେଜ
ହସପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହୋଇଛନ୍ତି । ଏବେ ମଧ୍ୟ ଶୁଭକେଶି ଭୁଏ(୫୪), ରାମକୁମାର ରଣା(୪୮) ଓ ଦେବକୀ ଭୁଏ ଆକ୍ରାନ୍ତ ହୋଇ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି । ଜାମଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ ଗାଁରେ ଗତ ୩ଦିନ ହେଲା ଡେରା ପକାଇ ଘରକୁ ଘର ବୁଲି ଲୋକଙ୍କ ସହିତ ଆଲୋଚନା କରୁଛନ୍ତି । ତେବେ ଡାଇରିଆରେ ମୃତ୍ୟୁକୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଦୀପ କୁମାର ଗୁରୁ ଅସ୍ୱୀକାର କରି ସେମାନଙ୍କର କିଡ଼ନୀଜନିତ କିମ୍ବା ଅନ୍ୟକାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି । ସେପଟେ ଲଖପାଲି ଗାଁ ପାଖରେ ପ୍ରଶାସନର ଏକ ଡମ୍ପିଂୟାର୍ଡ ରହିଛି । ସେଠାରେ କୁଢକୁଢ ମଇଳା ପକାଯାଉଛି ଓ ଏହାର ଉପଚାର କରାଯାଉନାହିଁ । ସେଠାରୁ ମାଛିଗୁଡିକ ଆସି ଖାଦ୍ୟରେ ବସୁଥିବାରୁ ସଂକ୍ରମଣ ବଢୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ସେତକି ନୁହେଁ ଗାଁମୁଣ୍ଡରେ ପଞ୍ଚାୟତ ମଧ୍ୟ ଏକ ମଇଳାପକାଇବା କୁଣ୍ଡ କରିଛି । କିନ୍ତୁ ମାସ ମାସ ଧରି ଏହା ସଫେଇ କରାଯାଉନାହିଁ । ତାହାହିଁ ଡାଇରିଆସଂକ୍ରମଣର କାରଣ ହୋଇଥାଇପାରେ ବୋଲି ମଧ୍ୟ ଗ୍ରାମବାସୀ କହିଛନ୍ତି ।
ଗତ ୧୦ ତାରିଖରୁ ଲଖପାଲିରେ ଜୁଗେଶ୍ୱରୀ ଭୁଏ ପରିବାରର କିଛି ସଦସ୍ୟଙ୍କୁ ଝାଡାବାନ୍ତି ଆରମ୍ଭ ହୋଇଥିଲା । ତାଙ୍କ ପରିବାରର ପ୍ରାୟ ୫ଜଣ ଲୋକଙ୍କୁ ଆଣି ବିବିଏମସିଏଚ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ସେମାନେ ସମସ୍ତେ ଚିକିତ୍ସିତ ହେଲାପରେ ସୁସ୍ଥହୋଇ ଘରକୁ ଫେରିଥିଲେ । ପରେ ପରେ ଗାଁର ଅନେକଲୋକ ଆକ୍ରାନ୍ତ ହୋଇ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଆସି ଭର୍ତ୍ତି ହୋଇଥିଲେ । ଗାଁର ବେଲମତି ରଣା(୬୫)ଙ୍କୁ ଆଣି ଭର୍ତ୍ତି କରା ଯାଇ ଚିକିତ୍ସା କରାଯାଉଥିଲା । ସେ ସୁସ୍ଥ ହୋଇଥିବା କହି ହସପିଟାଲରୁ ରିଲିଫ କରିଦିଆଗଲା । ଘରକୁ ଆସିଲା ପରେ ବେଲମତିଙ୍କର ମୃତ୍ୟୁ ହୋଇଯାଇଥିଲା । ଠିକ ସେହିପରି ଗତ ତିନିଦିନ ହେଲା ମୋହିନୀ ବିଶ୍ୱାଳ(୩୫)ଙ୍କୁ ମଧ୍ୟ ବିବିଏମସିଏଚ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଆଜି ସକାଳୁ ତାକୁ ଘରକୁ ଆଣିବାକୁ ଷ୍ଟ୍ରେଚରରେ ବାହାରକୁ ଅଣାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଫଳରେ ଗାଁରେ ଡାଇରିଆକୁ ନେଇ ଭୟ ଓ ଆତଙ୍କର ବାତାବରଣ ରହିଛି । କିନ୍ତୁ ସେପଟେ ସ୍ୱାସ୍ଥ୍ୟବିଭାଗ ଲଖପାଲି ଗାଁର ଡାଇରିଆର କାରଣ ଖୋଜୁଛି । ଗାଁଲୋକ ପିଉଥିବା ପାଣିର ନମୁନା ପରୀକ୍ଷା କରାଯାଇଛି । ଖବର ନେବାରୁ ଜଣା ଯାଇଛି ଯେ, ଗାଁରେ ପ୍ରାୟ ୧ହଜାର ଲୋକ ବସବାସ କରୁଥିବା ବେଳେ ୪ଟି ନଳକୂଅ ରହିଛି । ଠିକ ସେହି ପରି ଗାଁରେ ପାନୀୟଜଳ ପାଇଁ ଏକ ସୋଲାରଯୁକ୍ତ ଡିପ ବୋର ୱେଲ ରହିଛି । ସେଥିରୁ ଗ୍ରାମବାସୀ ପାଣିଆଣି ପିଉଛନ୍ତି ।
ପରୀକ୍ଷା ପରେ ପାନୀୟଜଳରେ କୌଣସି ଅସୁବିଧା ନାହିଁ ବୋଲି ଡାକ୍ତରୀ ଟିମ କହିଛନ୍ତି । କିନ୍ତୁ ଡାଇରିଆର ପ୍ରକୃତ କାରଣ କ’ଣ ତାହା ଜଣାପଡିନାହିଁ । ଗତ ୩ଦିନ ହେଲା ଜାମଗାଁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡ.ପ୍ରବୀଣ ପଣ୍ଡା, ଡ.ରେଣୁକା ହୋତା, ପିଏଚଇଓ ଆନନ୍ଦ ମିଶ୍ର, ଏଏନଏମ ସୁଦିପ୍ତାରାଣୀ ସାଗର, ଅଙ୍ଗନୱାଡି କର୍ମି ତପଶ୍ୱିନୀ ରଣା ଓ ଆଶାଦିଦି ଯାଜ୍ଞସେନୀ ରଣା ଗାଁରେ ଉପସ୍ଥିତ ରହି ଲୋକଙ୍କୁ ଔଷଧ ଓ ଓଆରଏସ ବାଣ୍ଟୁଛନ୍ତି ।