-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
28-Jun-2024
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ବାରମ୍ବାର ରାଜ୍ୟ ବାହାରକୁ ଯାଇ ମୃତ୍ୟୁ ବା ହତ୍ୟାର ଶିକାର ହେଉଥିବା ବଲାଙ୍ଗୀର ଜିଲ୍ଲାର ଦାଦନଶ୍ରମିକଙ୍କ ଘଟଣା ଦାଦନଶ୍ରମିକ ଚାଲାଣ ରୋକିବାକୁ ନିର୍ବାଚନୀ ପ୍ରସଙ୍ଗ କରିଥିବା ବର୍ତ୍ତମାନର ଭାଜପା ସରକାର ଅମଳରେ ମଧ୍ୟ ଏହା ରୋକିପାରିନାହିଁ । ରୋକିବା ତ ଦୂରର କଥା , ଖୋଦ୍ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନସିଂଦେଓଙ୍କ ନିର୍ବାଚନ ମଣ୍ଡଳୀ ପାଟଣାଗଡ
ଥାନାନ୍ତର୍ଗତ ସାଲେପାଲି ପଞ୍ଚାୟତର ଆମପାଲି ଗ୍ରାମରେ ଜଣେ ଯୁବ ଦାଦନଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ସନ୍ଦେହଜନକ ମୃତ୍ୟୁ ଘଟିଥିବାବେଳେ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ପ୍ରକାଶ ପାଇଛି ।
ପ୍ରକାଶ ଯେ , କିଛିଦିନତଳେ ଏହି ଗ୍ରାମର ଡୋଲାମଣି ପୁଟେଲ ( ୨୬ ) ଜଣେ ଯୁବକଙ୍କୁ ଘରଲୋକଙ୍କ କହିବାମତେ ମାତ୍ର ୨ ହଜାର ଓ ସର୍ଦ୍ଦାରର ବାପାମାଆଙ୍କ କହିବାନୁସାରେ ୧୦ ହଜାର ଟଙ୍କା ଅଗ୍ରୀମ ଦେଇ ନିକଟସ୍ଥ କର୍ଲାମାଲ୍ ଗ୍ରାମର ସର୍ଦ୍ଦାର ଲିଙ୍ଗ ଷାଣ୍ଢ ଆନ୍ଧ୍ରପ୍ରଦେଶର ( ସମ୍ଭବତଃ ସାଂପ୍ରତିକ ତେଲେଙ୍ଗାନା ) ର ବଉଁଶବାଡାର ଇଟାଭାଟିରେ କାମ କରିବାକୁ ଆଖପାଖର ୪ଜଣ ଯୁବଦାଦନଶ୍ରମିକଙ୍କ ସମେତ ଚାଲାଣ କରିଥିଲା । ଏହି ସର୍ଦ୍ଦାରର ବାପ ମଧ୍ୟ ଜଣେ ସେକେଣ୍ଡ୍ ସର୍ଦ୍ଦାର ଓ ସେ ପୂର୍ବରୁ ବେଲପଡାର ବଡ ସର୍ଦ୍ଦାର ମଧୁ ସୁନା ପାଖରେ କାମ କରୁଥିବା ପ୍ରକାଶ କରିଛି ।
ତେବେ ପ୍ରାୟ ଆଠଦିନତଳେ ଲିଙ୍ଗ ସର୍ଦ୍ଦାର ଡୋଲାମଣିର ଘରେ ' ତୁମ ପୁଅ ଆକ୍ସିଡେଣ୍ଟରେ ମରିଗଲା ବୋଲି କହିଥିବା ମୃତକର ବଡଭାଇ ପରମାନନ୍ଦ ପୁଟେଲ କହିଛନ୍ତି । ତେବେ ପହିଲେ ସେ ସେଠାରେ ବାଇକ୍ ଦୁର୍ଘଟଣା ଓ ପରେ ଟ୍ରକ୍ ପିଟିଦେଲା ବୋଲି କହିଥିବାରୁ ମୃତକର ଘରଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ଖବରକାଗଜରେ ପ୍ରକାଶ ପାଇଛି । ଏ ସମ୍ପର୍କରେ ସ୍ଥାନୀୟ ପୁଲିସ୍ କୁ ପଚାରିବାରୁ ପାଟଣାଗଡ ଏସଡିପିଓ ସଦାନନ୍ଦ ପୁଜାରୀ ଏ ସମ୍ପର୍କରେ ପୁଲିସ୍ ପାଖରେ ଖବର ନଥିବା ଓ ଥାନାରେ ଅଭିଯୋଗ ହୋଇ ନଥିବା କହିଥିବା ପ୍ରକାଶ । ତେବେ ଆମର ଏକ ପ୍ରତିନିଧିଦଳ ଉକ୍ତ ଗ୍ରାମକୁ ଯାଇ ପଚରାଉଚୁରା କରିବାରୁ ମୃତଦାଦନଶ୍ରମିକଙ୍କ ବିଧବା ବୃଦ୍ଧା ମାଆ ମାଳତୀ ପୁଟେଲ କହିଛନ୍ତି ଯେ , ମୋ ମଲାପୁଅର ମୁହଁ ମଧ୍ୟ ଆମେ ଦେଖିପାରିଲୁ ନାହିଁ ! ତେବେ ଶୁଦ୍ଧି କ୍ରିୟାକର୍ମ ପାଇଁ ଲିଙ୍ଗସର୍ଦ୍ଦାର ଉକ୍ତ ପରିବାରକୁ ୨୦ ହଜାର ଟଙ୍କା ଦେଇଥିବା ଓ ଆଉ ୬୦ ହଜାର ଦେବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ।
ଅପରପକ୍ଷରେ କର୍ଲାମାଲ୍ ର ସର୍ଦ୍ଦାର ଲିଙ୍ଗ ଷାଣ୍ଢ ସାମ୍ବାଦିକଙ୍କୁ ଲୁଚୁଥିବାବେଳେ ତା'ର ବାପାମାଆଙ୍କ ସୂତ୍ରରୁ ପ୍ରକାଶ ଯେ , ସେଠାରୁ ଡୋଲାମଣି ଲୁଚି ପଳାଇ ଆସୁଥିବାବେଳେ ବାଇକ୍ ରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛି । ସେଠାରେ ସେଠିକାର ପୁଲିସ୍ ଶବର ପୋଷ୍ଟମର୍ଟମ୍ କରାଇ ଶବଦାହ କରିଦେଇଛି । ଏହିଘଟଣାପରେ ତାଙ୍କ ଘରକୁ ମିଡିଆବାଲାଙ୍କ ଭିଡ ଲମ୍ଵୁଥିବା ସେ କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଗଣମାଧ୍ୟମରେ ପ୍ରକାଶ ପାଇ ଏ ସମ୍ପର୍କରେ ଏତେ ଚର୍ଚ୍ଚା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପଚରାଉଚୁରା ସତ୍ତ୍ୱେ ମାତ୍ର ୮/୧୦ କିମିର ସାଲେପାଲି- ଆମପାଲି ଗ୍ରାମର ଉକ୍ତ ଦାଦନଶ୍ରମିକ ମୃତ୍ୟୁମାମଲାରେ ପୁଲିସ୍ ହାତବାନ୍ଧି ବସିବା , ଯଦି କିଛି ଦୋଷ ନାହିଁ , କାହିଁକି ୨୦ ହଜାର ଦେଇ ଆଉ ୬୦ ହଜାର ଦେବାକୁ ପ୍ରତିଶ୍ରୁତି ଦେବା ଓ ମୃତ ଦାଦନଶ୍ରମିକର ମୃତଦେହ ଗାଁ'କୁ ଅଣା ନଯାଇ ରାଜ୍ୟବାହାରେ ଦାହ କରିଦିଆଯିବାର ସରକାର ଅଦ୍ୟାବଧି କୌଣସି ତଦନ୍ତ କରିନାହାଁନ୍ତି କାହିଁକି ?