-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
13-Apr-2024
ବାଲାଙ୍ଗୀର(ପ୍ରେରଣା ଖବର ) -ଓଡିଶା ରାଜ୍ୟ ଭାଜପା ପ୍ରଭାରୀ ବିଜୟପାଲ ସିଂତୋମାରଙ୍କ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତକାର୍ଯ୍ୟକ୍ରମ ହୋଇଛି । ସେଥିପାଇଁ ଆଜି ବଲାଙ୍ଗୀର ପଥରଚେପାସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ରହିଛି । ତେବେ ବଲାଙ୍ଗୀର ଲୋକସଭାନିର୍ବାଚନମଣ୍ଡଳି ଅନ୍ତର୍ଗତ ସୋନପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭାର ପ୍ରାର୍ଥି ବଦଳାଇବାକୁ ଦାବିକରି ଆନନ୍ଦ ବାରିକଙ୍କ ସମର୍ଥକ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିଛନ୍ତି । ପ୍ରଭାରୀ ଶ୍ରୀ ତୋମାର ଏନେଇ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓ,ବରିଷ୍ଠନେତା କନକବର୍ଦ୍ଧନ ସିଂଦେଓ,ସୋନପୁର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ଉପସ୍ଥିତିରେ ଆଶାୟୀପ୍ରାର୍ଥି ଆନନ୍ଦ ବାରିକଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି । ତେବେ ଏହି ଆଲୋଚନା କେତେ ସଫଳ ହୋଇଛି ଜଣାନାହିଁ କିନ୍ତୁ ଆସନ୍ତାକାଲିକୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆନନ୍ଦ ବାରିକଙ୍କୁ ଡାକରା ହୋଇଥିବା ସୂଚନା ମିଳିଛି । ଆଜି ଠିକ ୧୨ ଟା ସମୟରେ ଶ୍ରୀ ତୋମାର ବରଗଡ ଜିଲ୍ଲାର ବରପାଲିରୁ ବଲାଙ୍ଗୀରକୁ କାର ଯୋଗେ ଆସିଥିଲେ । ସ୍ଥାନୀୟ ହିରୋ ସୋରୁମ ସମ୍ମୁଖରେ ବଲାଙ୍ଗୀର ଜିଲ୍ଲା ସଭାପତି ଶୀବାଜୀ ମହାନ୍ତି,ବଲାଙ୍ଗୀର ଭାଜପାପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜୀନି ପଣ୍ଡା,କର୍ତ୍ତାରସିଂ କୁମ୍ଭାର ପ୍ରମୁଖ ରାଜ୍ୟ ପ୍ରଭାରୀ ଶ୍ରୀ ସିଂତୋମାରଙ୍କୁ ସ୍ୱାଗତ କରିଥିଲେ । ପରେ ସେମାନେ ଆସି ପଥରଚେପା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟଠାରେ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳି ତଥା ୭ଟି ଯାକ ବିଧାନସଭା କ୍ଷେତ୍ରର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ଶ୍ରୀ ତୋମାର ଜିଲ୍ଲାକାର୍ଯ୍ୟାଳୟକୁ ପଶିଲା ବେଳେ ବୀରମହାରାଜପୁରର ଆଶାୟୀପ୍ରାର୍ଥି ଆନନ୍ଦ ବାରିକଙ୍କ ସହିତ ଆସିଥିବା
ସମର୍ଥକମାନେ ନାରାବାଜି କରି ସେଠାରେ ଭାଜପା ଦେଇଥିବା ପ୍ରାର୍ଥିଙ୍କୁ ବଦଳାଇବାକୁ ହୋହଲ୍ଲା କରିଥିଲେ । ଜିଲ୍ଲା କାର୍ଯ୍ୟାଳୟରେ ରାଜ୍ୟପ୍ରଭାରୀ ଶ୍ରୀ ବିଜୟପାଲ ସିଂତମାର ପ୍ରଥମେ ସାଂସଦ ସଂଗୀତାକୁମାରୀ ସିଂଦେଓ,ବରିଷ୍ଠନେତା କନକବର୍ଦ୍ଧନ ସିଂଦେଓ,ବଲାଙ୍ଗୀର ଜିଲ୍ଲା ସଭାପତି ଶୀବାଜୀ ମହାନ୍ତି,ସୋନପୁର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ସହିତ କିଛି ସମୟ ରୁଦ୍ଧଦ୍ୱାର ବୈଠକ କରିଥିଲେ । ପରେ ଜିଲ୍ଲାର କୋରକମିଟି ସଭ୍ୟ/ସଭ୍ୟାଙ୍କୁ ନେଇ ମଧ୍ୟ ବୈଠକ କରି ନିର୍ବାଚନମଣ୍ଡଳିର ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବୀରମହାରାଜପୁର ନିର୍ବଚନମଣ୍ଡଳିର ଆଶାୟୀପ୍ରାର୍ଥି ଆନନ୍ଦ ବାରିକ ଗଣମାଧ୍ୟମକୁ କହିଛନ୍ତି ଯେ,ସେ ଗତ ୫ବର୍ଷ ଧରି ସଂଗଠନକୁ ସମ୍ଭାଳିଥିଲେ । ବୁଥସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ । ନିର୍ବାଚନମଣ୍ଡଳିର କାର୍ଯ୍ୟକର୍ତ୍ତା ତାଙ୍କ ସପକ୍ଷରେ ମତଦେଇଥିଲେ । କିନ୍ତୁ ଦଳପକ୍ଷରୁ ଚଞ୍ଚକତା କରି ଅନ୍ୟଜଣେ ପ୍ରାର୍ଥିଙ୍କୁ ଟିକେଟ ଦିଆଗଲା । ସେଥିପାଇଁ କାର୍ଯ୍ୟକର୍ତ୍ତାମାନେ ପ୍ରତିବାଦ କରୁଛନ୍ତି । ବୀରମହାରାଜପୁର ନିର୍ବାଚନମଣ୍ଡଳିରେ ପ୍ରାର୍ଥି ନବଦଳାଇଲେ ଭାଜପାର ସ୍ଥିତିରେ ଅବନତି ହେବ ବୋଲି କହିଛନ୍ତି ।