-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
04-Apr-2024
ବଲାଙ୍ଗିର: ବଲାଙ୍ଗିର ସହରରେ ବର୍ତ୍ତମାନ ଖରାର ତାତି ସାଙ୍ଗକୁ ନିର୍ବାଚନୀ ତାତି ମୁଣ୍ଡ ଉପରେ। ଅସହାୟ କିନ୍ତୁ ସିଝୁଛି ନିଜ ଜୀବନ ସଂଗ୍ରାମରେ। ତା' ପାଇଁ ଦିନରାତି, ଖରା ବର୍ଷା ସବୁ ସମାନ। ଅଳିଏ ଖାଇବା, ଖଣ୍ଡିଏ ଶରୀର ଢାଙ୍କିବା କି ଛାୟାଟିଏ ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ତା' ଭାଗ୍ୟରେ ନାହିଁ।
ବଲାଙ୍ଗିର ରେଲୱେ ଷ୍ଟେସନ-ସାଲେପାଲି ରାସ୍ତାରେ ଥିବା ଏକ
ପରିତ୍ୟକ୍ତ ଘରେ ପଡି ରହିଥିଲା ଜଣେ ଅସହାୟ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସେହି ଘରେ ପହଞ୍ଚିଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ସେଠାରେ ଏକ ବନ୍ଦ କୋଠରୀରେ ନିର୍ବସ୍ତ୍ର ପଡି ରହିଥିଲା ସେହି ଅସହାୟ ଜଣକ। ତାକୁ ପ୍ରଥମେ ଖଣ୍ଡିଏ ବସ୍ତ୍ର ପରିଧାନ କରି କିଛି ଖାଇବାକୁ ଦେଲାପରେ ପଚରାଉଚରା କରିବାରୁ ସେଠାରେ ସେ ୫/୭ ଦିନ ହେଲା ଅଖିଆ ଅପିଆ ଅସହାୟ ଅବସ୍ଥାରେ ପଡି ରହିଥିବା କହିଥିଲା। ତାର କେହି ନାହାନ୍ତି ଏବଂ ସେ ଏକୁଟିଆ ନିରୁପାୟ ହୋଇ ଏଠାକୁ ଆସି ଆଶ୍ରୟ ନେଇଥିବା ଜଣାଇଥିଲା। ପ୍ରଥମେ ସେହି ଅସହାୟକୁ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ସହ ଡାକ୍ତରଙ୍କ ଦ୍ଵାରା ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ସାଲାଇନ, ଔଷଧ, ଇଂଜେକସନ ଦିଆଯାଇଥିଲା। ପରେ ତାକୁ ହସ୍ପିଟାଲରେ ଆଡମିଟ କରିଦେବା ପାଇଁ ଡାକ୍ତର ପରାମର୍ଶ କରିବାରୁ ପୁରୁଷ ଭେଷଜ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେହି ଅସହାୟ ବ୍ୟକ୍ତି ଜଣକ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛି। ବଲାଙ୍ଗିର
ସ୍ବେଚ୍ଛାସେବୀ ସଂଗଠନ ହସ୍ପିଟାଲରେ ସେହି ଅସହାୟ ବ୍ୟକ୍ତିର ଚିକିତ୍ସା ସୁବ୍ୟବସ୍ଥା ତଦାରଖ କରିବା ସହିତ ଆଶୁ ଆରୋଗ୍ୟ କାମନା କରି ସୁସ୍ଥ ହେବା ପରେ ତାର ଆଶ୍ରୟ ଦାୟିତ୍ୱ ମଧ୍ୟ ନିଜ ହାତକୁ ନେଇଛି।ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର ଏବଂ ନିଜେ ଅସୁସ୍ଥ ଥିବା ଗୋବିନ୍ଦ ଚନ୍ଦ୍ର ଶତପଥୀ ନିଜ ଶରୀର କଥା ଚିନ୍ତା ନ କରି ତ୍ରିପଣ୍ଡ ଖରାରେ ଏହି ଅସହାୟ ବ୍ୟକ୍ତିକୁ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରି ସୁଚିକିତ୍ସା ବ୍ୟବସ୍ଥା କରାଇଥିଲେ।