-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
03-Feb-2023
ବଲାଙ୍ଗୀର,ଲୋକଙ୍କୁ ଦ୍ୱାରଦେଶରେ ନ୍ୟାୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ ମାନ୍ୟବର ସୁପ୍ରିମ କୋର୍ଟର ନିର୍ଦ୍ଦେଶକ୍ରମେ ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଉଦ୍ଘାଟିତ ହୋଇଛି ଓଡ଼ିଶା ଭର୍ଚୁଆଲ ହାଇକୋର୍ଟ । ଆଜି ଏହି ଭର୍ଚୁଆଲ ହାଇକୋର୍ଟ କୁ ସୁପ୍ରମିକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୁଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧରନ, ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମୋଡରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ । ଭର୍ଚୁଆଲ ହାଇକୋର୍ଟ ମାଧ୍ୟମରେ ଜନସାଧାରଣ କେଶ ଫାଇଲିଂ ଠାରୁ ଆରମ୍ଭ କରି କେଶର ଶୁଣାଣି, ରିମୋଭାଲ ଅଫ ଡିଫେକ୍ଟସ ର ଉପସ୍ଥାପନ ଓ କେଶର ନକଲ ପାଇବା ପରି ସୁବିଧା ପାଇପାରିବେ । ଏହା ସଂପୂର୍ଣ୍ଣ ରୂପେ ଏକ ହାଇକୋର୍ଟ ପରି କାର୍ଯ୍ୟ କରିବ ବୋଲି କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧ଠଟି ଜିଲ୍ଲାରେ ଏପରି ଓଡ଼ିଶା ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବାର୍ ହଲ୍ ଠାରେ ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ଆବାହକତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ବଲାଙ୍ଗୀର ଏକ୍ସନ କମିଟିର ସଭାପତି ଗୋପାଲଜୀ ପାଣିଗ୍ରାହୀ , ସଂଘର ଉପସଭାପତି ସରୋଜ ଗୁପ୍ତା ମଂଚାସୀନ ଥିବା ବେଳେ ବିଭିନ୍ନ ଓକିଲ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଭର୍ଚୁଆଲ ହାଇକୋର୍ଟ ସହାୟକ ହୋଇପାରିବ ବୋଲି ମତ ଦେଇଥିଲେ । ଶେଷରେ ସଂଘର ସଂପାଦକ ଅଧିକାରୀ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟନ ବେଳେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସମସ୍ତ ସଭ୍ୟ, ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।