-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
02-Feb-2023
ଧମା, (ସଂଜୀବ ପାଣିଗ୍ରାହୀ)
ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚନ୍ଦ୍ରଶେଖର ବେହେରାଙ୍କ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ନିମନ୍ତେ ଆରମ୍ଭ ହୋଇଥିବା ପ୍ରଚାର ଅଭିଯାନ ଅନ୍ତର୍ଗତ ଆଜି ସମ୍ବଲପୁର ମାନେଶ୍ୱର ବ୍ଲକର ଧମା କଲେଜରେ ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଚନ୍ଦ୍ରଶେଖର ବେହେରା ଜନ୍ମ ବାର୍ଷିକୀ ସମିତିର ଆବାହକ ରାମାନୁଜ ପଣ୍ଡା ତାଙ୍କ ବକ୍ତବ୍ୟ କହିଥିଲେ ଯେ ଚନ୍ଦ୍ରଶେଖର ବେହେରା ଜଣେ ନିର୍ଭିକ ଓ ସ୍ୱାଭିମାନୀ ବ୍ୟକ୍ତି ଥିଲେ ସେ ନିଜ ସ୍ୱାଭିମାନ ସହ ସାଲିସ ନକରିବାର ପ୍ରବୃତ୍ତି ନେଇ ସମ୍ବଲପୁରରେ ଓଡିଆ ଭାଷାର ପ୍ରଚଳନ ଓ ଅନ୍ୟ ସାମାଜିକ କାର୍ଯ୍ୟରେ ବ୍ରତି ହୋଇଥିଲେ। ଅତିଥି ଅରବିନ୍ଦ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଆମେ ନିଜେ ନିଜର ଇତିହାସକୁ ଯଦି ଭଲ ଭାବରେ ନଜାଣିବା ତେବେ ଆମେ କେବେ ମଧ୍ୟ ଅଗ୍ରଗତି କରି ପାରିବା ନାହିଁ। ଚନ୍ଦ୍ରଶେଖର ବେହେରା ଆମ ଅଂଚଳର ଏଭଳି ଏକ ଐତିହାସିକ ଚରିତ୍ର ଯାହାଙ୍କ ବିଷୟରେ ଜାଣିବା ଆମର କର୍ତ୍ତବ୍ୟ ଅଟେ ବୋଲି କହି ଚନ୍ଦ୍ରଶେଖରଙ୍କ ଅବଦାନ ଗୁଡିକ ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ। ଅତିଥି ହେମନ୍ତ ମହାପାତ୍ର ଚନ୍ଦ୍ରଶେଖରଙ୍କୁ ଇତିହାସରେ ଉପଯୁକ୍ତ ସ୍ଥାନ ଦେବାପାଇଁ ଆମକୁ ଉଦ୍ୟମ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ। ଅତିଥି ହୃଷୀକେଶ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଚନ୍ଦ୍ରଶେଖରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ସମ୍ବଲପୁର ଅଂଚଳ ଓଡିଶାରେ ମିଶି ପାରିଥିଲା। ଚନ୍ଦ୍ରଶେଖର ଥିଲେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଜଣେ ଉଚ୍ଚ ଶିକ୍ଷିତ,ଜଣେ ସମାଜ ସେବକ ତଥା ଭାଷା ଆନ୍ଦୋଳନର ପୁରୋଧା। ତାଙ୍କ ଭଳି ପ୍ରତିଭାଧାରୀ ବ୍ୟକ୍ତିତ୍ବ ଇତିହାସରେ ବିରଳ। ସଭା ଶେଷରେ ଅନୁଷ୍ଠାନର ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ସିଦ୍ଧାର୍ଥ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହା ପରେ ସ୍ଥାନୀୟ ମଥୁରା ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପଣ୍ଡାଙ୍କ ଅଧ୍ଯକ୍ଷତାରେ ଏହିପରି ଏକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଶିକ୍ଷକ ଜେନାମଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।