-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
01-Feb-2023
ବଲାଙ୍ଗିର(ମଳୟ ମିଶ୍ରଙ୍କ ରିପୋର୍ଟ): ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଗାନ୍ଧୀଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସେଠିକା ଫାଣ୍ଡିର ଏଏସଆଇ ଗୋପାଳ ଦାସ ସ୍ପଷ୍ଟଦିବାଲୋକରେ ଜନଗହଳିପୂର୍ଣ ଭିଡ ମଧ୍ୟରେ ନିଜ ସର୍ଭିସ୍ ରିଭଲଭରରୁ ପାଖକୁ ଯାଇ ସିଧା ଛାତିରେ ଲକ୍ଷ୍ୟ କରି ଗୁଳିମାରି ହତ୍ୟାକାଣ୍ଡ ମାମଲା ରାଜ୍ୟର ଏକ ଚାଞ୍ଚଲ୍ୟକର ଅପରାଧ ଘଟଣା । ଏହାର ଚର୍ଚ୍ଚା ଆଉ ଝାରସୁଗୁଡା କି ବଲାଙ୍ଗୀର ଜିଲ୍ଲା ମଧ୍ୟରେ ସୀମିତ ହୋଇ ରହିନାହିଁ । ତେବେ ଏହି ଅତ୍ୟନ୍ତ ସମ୍ବେଦନଶୀଳ ହାଇପ୍ରୋଫାଇଲ୍ ମର୍ଡରକେସ୍ ର ସାଙ୍ଗେ ସାଙ୍ଗେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ କରାଇବାର ତିନିଦିନ ବିତିଯାଇଥିଲେ ହେଁ, ଘଟଣାସ୍ଥଳରୁ ଏହାର ଏକମାତ୍ର ଅଭିଯୁକ୍ତ କର୍ତ୍ତୃବ୍ୟରତ ପୁଲିସ୍ ଅଧିକାରୀ ଗୋପାଳ କୃଷ୍ଣ ଦାସକୁ ସ୍ଥାନୀୟଲୋକଙ୍କ ସହାୟତାରେ ପୁଲିସ୍ ସଙ୍ଗେ ସଙ୍ଗେ ଗିରଫ କରିଥିଲା । ସେ ଏହା ଘଟାଇଥିବା ସ୍ବୀକାର କରିଥିବା କ୍ରାଇମବ୍ରାଞ୍ଚ ଘୋଷଣା କରିଥିଲେ ହେଁ , ଅଦ୍ୟାବଧି ଏହି ହତ୍ୟାର କାରଣ ଜଣାପଡିପାରି ନଥିବା ବିସ୍ମୟର ବିଷୟ । ଏବେ ବି ରାଜ୍ୟବାସୀ ଏହାର ରହସ୍ୟ ସମ୍ପର୍କରେ ଜାଣିପାରି ନାହାଁନ୍ତି । ଗଣମାଧ୍ୟମ ଏ ହତ୍ୟାକାଣ୍ଡର ବିଭିନ୍ନ ଖବର ପରିବେଷଣ କରି ଚାଲିଛି ଓ ମୁଖ୍ୟମନ୍ତ୍ରୀ, ପୁଲିସ୍ ଡିଜି ମୁହଁ ଖୋଲୁ ନଥିବାରୁ ଲୋକଙ୍କ ଭିତରେ ଏହାର କାରଣକୁ ନେଇ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଇବା ସହ ରାଜନୀତି ସରଗରମ ହୋଇ ଉଠିଛି ।
ତେବେ ଇତିମଧ୍ୟରେ ବିଭିନ୍ନ ମିଡିଆରେ ଯେଉଁସବୁ ଖବର ଓ ସ୍ଥାନୀୟ ଲୋକଙ୍କମଧ୍ୟରେ ସମର୍ଥିତ ବା ଅସମର୍ଥିତ ସୂତ୍ରରୁ ଯେଉଁସବୁ ଚର୍ଚ୍ଚା ପ୍ରକାଶ ପାଇଛି, ତାହାକୁ ତର୍ଜମା କଲେ , ଯାହା ମନକୁ ଆସୁଛି, ସେସବୁ କଣ ସତରେ ନିରାଧାର ?
ଏଥି ମଧ୍ୟରେ ଅଭିଯୁକ୍ତର ନିଜ ବାସସ୍ଥାନ ବ୍ରହ୍ମପୁରର ତା'ର ସହପାଠୀ ବା ସାଙ୍ଗ ଏକ ମିଡିଆ ଚ୍ୟାନେଲରେ ଯେଉଁ ଦଶବର୍ଷ ତଳର ଯେଉଁ ହେଲମେଟ୍ ଚେକିଂ ବେଳର ତତ୍କାଳୀନ କଂଗ୍ରେସ ବିଧାୟକ ଥିବା ନବ ଦାସ ଦି' ଚାପୁଡା ମାରିଥିବା କଥା ପ୍ରକାଶ କରିଛନ୍ତି, ସେ ଦିଗ ପ୍ରତି ତଦନ୍ତକାରୀ ସଂସ୍ଥା, ସରକାର ବା ଅନ୍ୟାନ୍ୟ ଗଣମାଧ୍ୟମର ଗୁରୁତର ଭାବରେ ଗ୍ରହଣ କରି ଭଲଭାବରେ ଅନୁଧ୍ୟାନ ନକରି ଛାଡିଦେବାର ଏତେ ଉଦାସୀନତା କାହିଁକି ? ଯଦି ଉକ୍ତ କଥା ସତ ହୋଇଥାଏ, ହୁଏତ ଏହି କାରଣରୁ କୁହାଯାଉଥିବା ପ୍ରାୟ ଠିକ୍ ସେତିକି ବର୍ଷତଳରୁ ଗୋପାଳର ମାନସିକ ଭାରସାମ୍ୟ ବିଗିଡିଥିବା ଅସମ୍ଭବ ନୁହେଁ ! ସର୍ବସାଧାରଣ ସ୍ଥାନରେ ଜଣେ କର୍ତ୍ତବ୍ୟରତ ପୁଲିସ୍ ଅଧିକାରୀଙ୍କୁ କ୍ଷମତାବଳରେ ବଳୀୟାନ କୁହାଯାଉଥିବା ବାହୁବଳୀନେତା ନବ ଦାସଙ୍କର ବିନାଦୋଷରେ ଚାପୁଡାମରା ଆଘାତ ଅପମାନକୁ ଦଶବର୍ଷ କାହିଁକି , ଜଣେ ସାରାଜୀବନ ଭୁଲି ନ ପାରିବା ସ୍ବାଭାବିକ୍ । ହୁଏତ ଗୋପାଳ ଦୀର୍ଘ ଦଶବର୍ଷତଳର ସେଇ ପୁଞ୍ଜିଭୂତ କ୍ରୋଧର ନିଆଁରେ ଭିତରେ ଭିତରେ ଚାପିରଖି ଜଳୁଥିଲା ? ହୁଏତ ସେ ନବ ଦାସଙ୍କ ଏତେ ନିକଟତର ହେବାର ମୁହାଁମୁହିଁ ସୁଯୋଗ ପାଇପାରି ନଥିଲା ? ହୁଏତ ପୂର୍ବଯୋଜନା ନଥିଲେ ବି ହଠାତ୍ ପାଖରେ ଦେଖି ତା' ମୁଣ୍ଡରେ ସେଇ ପୂର୍ବରାଗ ପ୍ରଜ୍ଜ୍ବଳିତ ହେଇ ଉଠିଥିଲା ?
ଦ୍ବିତୀୟରେ ଖବରକାଗଜର ପ୍ରକାଶିତ ଖବର ଅନୁଯାୟୀ, ମାସେତଳେ ଶ୍ରୀ ଦାସଙ୍କର କୌଣସି କାରଣରୁ ବଚସା ହୋଇଥିଲା ? ନବ ଦାସଙ୍କର ସେହି ଅଞ୍ଚଳରେ ଗାଡିମଟର , ଯାନବାହନ ପରିବହନ ଓ ଅନ୍ୟାନ୍ୟ ବ୍ୟବସାୟିକ କାରବାର ରହିଛି । ସେହି ଅଞ୍ଚଳରେ ଅଭିଯୁକ୍ତ ପୁଲିସ୍ ଅଧିକାରୀଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟ । ଗୋପାଳ ଗାଡିମଟରରୁ ବଟି ଆଦାୟଆଦି କରୁଥିବା ମଧ୍ୟ କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ଏଣୁ ଜଣେ ତଳିଆ ପୁଲିସ୍ ଅଧିକାରୀଙ୍କର କୌଣସି ଔଦ୍ଧତ୍ୟ ଏପରି ଜଣେ ବାହୁବଳୀ ନେତାଙ୍କୁ କ୍ଷୁବ୍ଧ କରିଥାଇପାରେ !
ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ଖବରରୁ ଶୁଣିବାକୁ ମିଳିଛି ଯେ , ହତ୍ୟାକାଣ୍ଡର ପୂର୍ବଦିନ ରାତିରେ ନବଙ୍କ ଘନିଷ୍ଠ ସୁନ୍ଦରଗଡର ଜଣେ ଯୁବବ୍ୟବସାୟୀଙ୍କୁ କୌଣସି ଅଜଣା ଫୋନ୍ ରେ ଧମକଚମକ ଦିଆଯାଇଥିଲା ଓ ସେ ଏ ସମ୍ପର୍କରେ ସୁନ୍ଦରଗଡ ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି । ଏଣୁ ଯଦି ଏହି ଘଟଣାର ଅଭିଯୁକ୍ତ ସହ କୌଣସି ସମ୍ପୃକ୍ତି ରହିଥାଏ ଓ ଏହା ସଦ୍ୟତମ ପ୍ରତିହିଂସା ସ୍ବରୂପ ଅଭିଯୁକ୍ତର କ୍ରୋଧକୁ ଆହୁରି ତେଜାଇଦେବା ଅସମ୍ଭବ ନୁହେଁ ।
ଏଣୁ ଛୋଟମୋଟ ଘଟଣା ବୋଲି ଏହି ଘଟଣା, ବୟାନ ଓ ଏଇଭଳି ସାମାନ୍ୟତମ ସୂତ୍ରକୁ ବି ତଦନ୍ତକାରୀ ସଂସ୍ଥା ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଜନସାଧାରଣଙ୍କ ଆଲୋଚନାରୁ ପ୍ରକାଶ ।
ହତ୍ୟାର ମୋଟିଭ୍ ବା ଉଦ୍ଦେଶ୍ୟ ବାହାର କରିବାରେ ତଦନ୍ତରେ ଯେତେ ବିଳମ୍ବ ହେଉଥିବ, ଲୋକେ ଆହୁରି ହାତଗୋଡ ନଥିବା ଚର୍ଚ୍ଚାକରୁଥିବେ ଓ ଏହାକୁ ଆଧାର କରି ଆଜିର ଦାୟିତ୍ୱହୀନ କେତେକ ମିଡିଆରେ ପ୍ରକାଶିତ ଭିତ୍ତିହୀନ କଳ୍ପନାଜଳ୍ପନା ଜନମାନସକୁ ଆହୁରି ବିଭ୍ରାନ୍ତି ଭିତରକୁ ଠେଲି ନେଉଥିବ ।
ଉପରୋକ୍ତ ପ୍ରକାଶିତ ଖବର, ଚର୍ଚ୍ଚାର ତର୍ଜମାରୁ ଶସ୍ତ୍ରଧାରୀ ଅଭିଯୁକ୍ତ ପୁଲିସ୍ ଅଧିକାରୀ ଜଣକ ଜଣେ ବାହୁବଳୀ ରାଜନେତାଙ୍କ ଦୁର୍ବ୍ଯବହାରର ପ୍ରତିଶୋଧ ନେବାକୁ ହଠାତ୍ କାଣ୍ଡଜ୍ଞାନଶୂନ୍ୟ।ହୋଇପଡି ହତ୍ୟା ପରି ଅପରାଧିକ ପଦକ୍ଷେପ ନେଇଯିବା ଏତେ ବିରଳ ବା ଆଶ୍ଚର୍ଯ୍ୟକର କଥା ନ ହେଇପାରେ !
ତେବେ ଏହାପଛରେ କୌଣସି ହାଇପ୍ରୋଫାଇଲ୍ ରାଜନୈତିକ ଷଡଯନ୍ତ୍ର ନିହିତ, ଏହା ସବୁ ମହଲରେ ଗ୍ରହଣଯୋଗ୍ୟ ହେବନାହିଁ । ତଥାପି ଆମକୁ କ୍ରାଇମବ୍ରାଞ୍ଚ ତଦନ୍ତର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।