-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
13-Jan-2023
ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ସହରର ବନ୍ଧକଟାଗୁଡିକର ପାଣିସବୁ ପ୍ରଦୁଷିତ ହୋଇ ବ୍ୟବହାର ଉପ ଯୋଗୀ ହୋଇରହିନାହିଁ । ଏହାକୁ ପ୍ରସଙ୍ଗକରି ଗତ କିଛିଦିନ ତଳେ ବିଧାନସଭାର ପରିବେଶ ଓ ପ୍ରଦୁଷଣ ବିଭାଗର ଗୃହକମିଟି ବଲାଙ୍ଗୀର ଆସିଥିଲେ । ଏହି ଟିମରେ ବଲାଙ୍ଗୀର ବିଧାୟକ ତଥା କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଓ ଆଉ ଜଣେ ସଭ୍ୟ ଆସି ବନ୍ଧକଟା ପରିଦର୍ଶନ କରି ଗଭୀର ଉଦବେଗ ପ୍ରକାଶ କରିଥିଲେ । ମହାରାଣୀସାଗର ଉନ୍ନତିକରଣ ପାଇଁ ୨୨କୋଟି ଟଙ୍କା,କରଙ୍ଗାକଟାକୁ ୨କୋଟି ଟଙ୍କା ଓ ରାଣିବନ୍ଧକୁ ଦେଢକୋଟି ଟଙ୍କା ଆସିଥିଲେ ହେଁ ତାହାର ସଠିକ ଉପ ଯୋଗ କରିପାରିନଥିବାରୁ କମିଟି ଅସନ୍ତୋଷ ବ୍ୟକ୍ତ କରିଥିଲା । ଆଜି ବଲାଙ୍ଗୀର ପୌରାଞ୍ଚଳର ବନ୍ଧକଟାର ପୁନଃରୁଦ୍ଧାର ପାଇଁ ରାଜ୍ୟସରକାରଙ୍କ ଏକ ବୈଷୟିକ ଉଚ୍ଚପ୍ରତିନିଧିଦଳ ଓ କେନ୍ଦ୍ରୀୟ ବୈଷୟିକ ବିଶେଷଜ୍ଞ ଆସି ପହଞ୍ଚିଥିବା ଜଣାଯାଇଛି । ରାଜ୍ୟସରକାରଙ୍କ ଗୃହ ଓ ନଗରଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଡ.ଭକ୍ତକବି ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ଜାତୀୟବୈଷୟିକ ପରାମର୍ଶଦାତା ବାଙ୍ଗାଲୋରର ଆନନ୍ଦ ମଲ୍ଲିକୱାଡ,ବିଏମସିର ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ରହିଛନ୍ତି । ଆଜି ଦିନ ୧୦ଟାରେ ଏହି ଟିମ ପ୍ରଥମେ ସର୍କିଟ ହାଉସରେ ପୌରପାଳିକାର ଅଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,ନିର୍ବାହୀଅଧିକାରୀ ସମ୍ମୀ ଜୟଶ୍ରୀ ରେଡ୍ଡୀ ଓ କାଉନସିଲରମାନଙ୍କ ସହ ଆଲୋଚନାକରିଥିଲେ । ପରେ ସେଠାରୁ ବାହାରି ମହାରାଣୀସାଗରର, ପ୍ରତାପସାଗର, ରାଣୀବନ୍ଧ,ଗେଟସରୋବରବନ୍ଧ, କରଙ୍ଗାକଟା ଓ ନରସିଂହବନ୍ଧକୁ ପରିଦର୍ଶନ କରିଥିଲେ । ଲେକମେନ ଭାବରେ ପରିଚିତ ଥିବା ଜାତୀୟ ପରିବେଶ ପରାମର୍ଶଦାତା ଥିବା ଆନନ୍ଦ ମଲ୍ଲିକୱାଡ ମହାରାଣୀସାଗର ପରି୍ର୍ଶନ ବେଳେ କହିଛନ୍ତି ଯେ,ସେ ସାରାଭାରତ ବୁଲୁଛନ୍ତି । ଅନେକ ପୁସ୍କରିଣୀ ପ୍ରଦୂଷିତ ହୋଇରହିଛି । ବନ୍ଧଗୁଡିକରୁ ଜଳନିସ୍କାସନ କରାଇ ପଙ୍କୋଦ୍ଧାର କରାଯିବ । ପରେ ଆବଷ୍ୟକ ବୈଷୟିକ ତତ୍ୱାବଧାନରେ ପାଣିର ଶୁଦ୍ଧିକରଣ କରାଯିବ । ଏହା ଫଳରେ ସଂରକ୍ଷିତ ଜଳ ବ୍ୟବହାର ଉପଯୋଗୀ ହୋଇପାରିବ । ବନ୍ଧଗୁଡିକରେ ପୂଜାସାମଗ୍ରୀ ଅନ୍ୟନ୍ୟ ଜିନିଷ ନଫୋପାଡି ଏକ ନିଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ସେହିପରି ନଗରଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ଡ.ଦାସ କହିଥିଲେ ଯେ,ଏବେ ମହାରାଣି ସାଗରର ଯେତେ ଅଞ୍ଚଳରେ ପାଣି ଅଛି ସେହି ଅଞ୍ଚଳକୁ ଫୋକସଦ କରାଯିବ । ଏହାର ପଙ୍କୋଦ୍ଧାର କରାଯାଇ ଉନ୍ନତିକରଣ କରାଯିବ । ବନ୍ଧର ଆବର୍ଜନା ସଫାକରାଯାଇ ପାଣିକୁ ଶୁଦ୍ଧ କରାଯିବ ଯେଭଳି କି ମଶା ନହେବେ ଓ ବନ୍ଧ ପରିସ୍କାର ଦେଖାଯାଇ ବ୍ୟବହାର ଉପଯୋଗୀ ହେବ । ଆମେ ବନ୍ଧର ସୌନ୍ଦର୍ଯ୍ୟକରଣ ଅପେକ୍ଷା ଶୁଦ୍ଧିକରଣକୁ ପ୍ରଧାନ୍ୟ ଦେଉଛୁ ବୋଲି ଡ.ଦାସ କହିଛନ୍ତି । ତେବେ ଗତ ଏକ ବର୍ଷ ହେଲା ଏହି ପ୍ରକଲ୍ପର ଶିଳାନ୍ୟାସ କରାଯାଇଥିଲା କାମ କାହିଁକି ଆରମ୍ଭ ହୋଇନାହିଁ ବୋଲି ପଚାରିବାରୁ ଏକ ପିଏସୟୁ ଏଜେନ୍ସୀ ଏହାର ଡିପିଆର ତିଆରୁଥିଲା । କିନ୍ତୁ ସେଥିରେ ତୃଟିଥିବାରୁ ସେଥିରେ ସଂଶୋଧନ କରାଯିବାର ଆବଶ୍ୟକ ପଡିଲା ସେଥିପାଇଁ ବିଳମ୍ବ ହୋଇଛି ବୋଲି କହିଥିଲେ । ଡିପିଆର ପ୍ରସ୍ତୁତ ପରେ କାମ ପାଇଁ ଟେଣ୍ଡର କରାଯିବ ବୋଲି ଡ.ଦାସ କହିଥିଲେ । ଏହି ପରିଦର୍ଶନ ସମୟରେ ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,କାଉନସିଲର ସରିତା ଦାସ, ଶମ୍ଭୁ ନାଗ, ଗଙ୍ଗା ଚାନ୍ଦ, ଶତୃଘ୍ନ ନାଗ,ପିଙ୍କି କବାଟ,ମହେନ୍ଦ୍ର ବାଗ ସମେତ ଅନ୍ୟାନ୍ୟ କାଉନସିଲର,ପୌରପାଳିକାର ନିର୍ବାହୀଅଧିକାରୀ ସାମ୍ମୀ ଜୟଶ୍ରୀ ରେଡ୍ଡୀ,ଏମ.ଇ ଶ୍ରୀ ନାଏକ ଓ ଅନ୍ୟ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।