-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
08-Dec-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀ)
: ସମ୍ବଲପୁର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ‘କଖଗ’ ପକ୍ଷରୁ ଆସନ୍ତା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆରଣ୍ୟକ ମଂଚ ଠାରେ ଚତୁର୍ଥ ନାଟ୍ୟୋତ୍ସବ ଅନୁଷ୍ଠିତ ହେବ। ପ୍ରତ୍ୟହ ସନ୍ଧ୍ୟା ଠିକ୍ ୬ଟା ୪୫ ମିନିଟ୍ରେ ଆରମ୍ଭ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ରଜନୀରେ ରାଜ୍ୟର ବିଶିଷ୍ଟ ୧୧ ଜଣ ସାଂସ୍କୃତିକ ବ୍ୟକ୍ତିତ୍ୱଙ୍କ ସାକ୍ଷାତକାର ସମ୍ବଳିତ ମୁଖପତ୍ର ‘ବାର୍ତ୍ତାଳାପ’ ଉନ୍ମୋଚିତ ହେବ ବୋଲି ଆୟୋଜକ ଅନୁଷ୍ଠାନର ସଂପାଦକ ବ୍ରଜେନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଲେ, ତିନିଦିନ ବ୍ୟାପୀ ଏହି ସାଂସ୍କୃ୍ତିକ ମହୋତ୍ସବରେ, କବିତା, ସଂଗୀତ, ଚିତ୍ରକଳା ଓ ନାଟକର ଅନନ୍ୟ ସଂଗମ ଦେଖିବାକୁ ମିଳିବ। ସମାରୋହର ପ୍ରଥମ ସନ୍ଧ୍ୟାରେ ଓଡ଼ିଶାର ପ୍ରତିଷ୍ଠିତ କବିମାନେ ସ୍ୱରଚିତ କବିତା ପାଠ କରିବେ । ପରେ ପରେ ଅନୁଷ୍ଠାନର ସଂପାଦକ ବ୍ରଜେନ୍ଦ୍ର ନାୟକଙ୍କ ସଂଗୀତ ନିର୍ଦ୍ଦେଶନାରେ ସେଇ କବିତାକୁ ସଂଗୀତ ଆକାରରେ ପରିବେଷଣ କରିବେ ଅନୁଷ୍ଠାନର ଉଦୀୟମାନ କଣ୍ଠଶିଳ୍ପୀମାନେ ଏବଂ ତା’ର ଭାବାର୍ଥକୁ ରଂଗ ଓ ତୁଳୀରେ ରୂପ ଦେବେ ଚିତ୍ରଶିଳ୍ପୀ। କବିତା, ସଂଗୀତ ଓ ଚିତ୍ରକଳାର ଅନନ୍ୟ କାର୍ଯ୍ୟକ୍ରମ ପରେ ମଂଚସ୍ଥ ହେବ ନାଟକ ‘କଥା’। ଦ୍ୱିତୀୟ ସଂନ୍ଧ୍ୟାରେ ପରିବେଷିତ ହେବ ଲଘୁ ସଂଗୀତର ସୁମଧୁର କାର୍ଯ୍ୟକ୍ରମ ‘ସ୍ପନ୍ଦନ’। ପରେ ପରେ ପ୍ରଦର୍ଶିତ ହେବ ନାଟକ ‘ସେଇରାତି ତୁମେ ସାଥୀ’। ଅନ୍ତିମ ସନ୍ଧ୍ୟାରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ ହେବ ପୂର୍ଣ୍ଣାଙ୍ଗ ହାସ୍ୟରସାତ୍ମକ ନାଟକ ‘ମରିଗଲେ ସରିଗଲା’। ତିନୋଟି ଯାକ ନାଟକର ରଚନା, ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନା କରିଛନ୍ତି ବ୍ରଜେନ୍ଦ୍ର ନାୟକ। ସବୁବେଳେ ଅଭିନବ ଓ ସୃଜନାତ୍ମକ କାର୍ଯ୍ୟକ୍ରମ ଦ୍ୱାରା ଦର୍ଶକମାନଙ୍କୁ ତୃପ୍ତି ପ୍ରଦାନ କରୁଥିବା ‘କଖଗ’ ଏବର୍ଷ ମଧ୍ୟ ତା’ର ସେଇ ଲକ୍ଷ୍ୟପଥରେ ବିଜୟୀ ହେବାର ଆଶା ରଖିଛି। ବରିଷ୍ଠ କଳାକାର ଡ. ଶ୍ୟାମସୁନ୍ଦର ଧର କହିଲେ, ନାଟକଗୁଡ଼ିକରେ ଉଭୟ ତରୁଣ ଏବଂ ପ୍ରବୀଣ ଅଭିନେତାଙ୍କ ସମନ୍ୱୟ ଦେଖିବାକୁ ମିଳିବ। ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ 'କଖଗ'ର ଏହି ନାଟ୍ୟୋତ୍ସବ ଏକ ଅଭିନବ ପ୍ରୟାସ ବୋଲି ଡ. ଧର କହିଥିଲେ। କଳାକାର ସୌମେନ୍ଦ୍ର ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଦସ୍ୟ ମନୋଜ ବେହେରା, ସୁଶୀଲ ଦାଶ ଓ ସିଦ୍ଧାର୍ଥ ହୋତା ଉପସ୍ଥିତ ଥିଲେ। ଶେଷରେ ସୌମେନ୍ଦ୍ର ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।