-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
02-Nov-2022
ପାଟଣାଗଡ ଗତମାସରେ ପାଟଣାଗଡ ରେଞ୍ଜ ଅନ୍ତର୍ଗତ ବାନ୍ଧନମାଲ ଓ ଖୁଲାଗଡ ଗ୍ରାମର ବିଭାଗୀୟ ମନରେଗା କାମର ଦୀର୍ଘ ୯ ମାସ ପରେ ଲକ୍ଷାଧିକ ଟଙ୍କାର ହଡପ ମଜୁରୀ ଦାବିରେ ବାନ୍ଧନମାଲ ଗ୍ରାମରେ ଗ୍ରାମବାସୀମାନେ ଅଟକ ରଖିଥିବା ପାଟଣାଗଡ ରେଞ୍ଜରଙ୍କ ସମେତ ୬ ଜଣ ବନକର୍ମଚାରୀଙ୍କୁ ଲରମ୍ଭା ଥାନାଧିକାରୀ ଓ ବଲାଙ୍ଗୀର ଡିଏଫଓଙ୍କ ୭ ଦିନ ମଧ୍ୟରେ ଦିଆଯିବାର ପ୍ରତିଶ୍ରୁତି ପରେ ଛାଡିଥିଲେ । ତେବେ ଘଟଣାର ମାସାଧିକକାଳ ପରେ ବି ଏସମ୍ପର୍କରେ କୌଣସି ସମାଧାନ ହୋଇପାରି ନାହିଁ ।
ପ୍ରକାଶଯୋଗ୍ୟ ଯେ , ଗତ ଜାନୁଆରୀମାସରେ ପ୍ରାୟ ୬୦ ଲକ୍ଷ ଟଙ୍କାର ଏହି ପ୍ରକଳ୍ପରୁ ଅଧିକାଂଶ ଟଙ୍କା କାମ କରାଯାଇଥିବା ଦର୍ଶାଯାଇ ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ଅନ୍ ଲାଇନ୍ ରେ ମଜୁରୀ ଉଠାଇ ନିଆଯାଇଛି । କାମ କରିଥିବା ଶ୍ରମିକମାନେ ବହୁବାର ଉପରିସ୍ଥ ଅଧିକାରୀଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହୋଇ ପଡିଥିଲେ ହେଁ , କେହି ଶୁଣୁ ନଥିଲେ । କେବଳ ଏହି ଅଞ୍ଚଳର ଦାୟିତ୍ୱରେ ଥିବା ଜଣେ ମହିଳା ବନରକ୍ଷୀ କାମ କରି ନଥିବା କେତେକଙ୍କ ଆକାଉଣ୍ଟ୍ ରୁ ପ୍ରାୟ ଦେଢଲକ୍ଷ ଟଙ୍କା ଉଠାଇ ପ୍ରକୃତରେ କାମ କରିଥିବା ଶ୍ରମିକଙ୍କୁ ଦେଇଥିବା କୁହାଯାଇଥିଲା । ତେବେ ଏପରି ଜାଲିଆତିର କାରଣ କ'ଣ ଜଣାପଡି ନଥିଲେ ହେଁ , ଶ୍ରମିକମାନଙ୍କର ଜବ୍ କାର୍ଡ ନଥିବା ଦର୍ଶାଇ କିଛି ମିଛଶ୍ରମିକଙ୍କର ଲୋକଙ୍କର ଜବ୍ କାର୍ଡରେ ଟଙ୍କା ପକାଯାଇ ବିଲ୍ ପ୍ରଦାନ କରାଯାଇ ଆସୁଛି । ଏଥିରେ ସ୍ଥାନୀୟ କିଓସ୍କ , ଗ୍ରାମ୍ୟ ବ୍ୟାଙ୍କଶାଖାମାନଙ୍କର ସମ୍ପୃକ୍ତି ରହୁଛି । ଏହିପରି ଭାବରେ ଏଠାରେ ଚାଲିଥିବା ପ୍ରକଳ୍ପର ପ୍ରାୟ ସାଢେ ୯ ଲକ୍ଷରୁ ଉର୍ଦ୍ଧ୍ବଟଙ୍କାର ଜାଲିଆତି କରାଯାଇଛି । ପାଟଣାଗଡ ଥାନାର ଜଣେ ପୁଲିସ୍ ଡ୍ରାଇଭର୍ ଙ୍କର ଦ୍ବିତୀୟ ପତ୍ନୀ କୁହାଯାଉଥିବା ଏହି ମହିଳା ବନରକ୍ଷୀ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଏଭଳି ନିଆଁଗିଳା କାମ କରୁଥିବା ଚର୍ଚ୍ଚା ହେଉଛି । ସେହି ସମୟରେ ହୋଇଥିବା ଏହି ଅନିୟମିତତାକୁ ଘଣ୍ଟ ଘୋଡେଇବାକୁ ସୋନପୁର ଡିଭିଜନର ଯୁଗ୍ମଦାୟିତ୍ୱରେ ରହିଥିବା ବଲାଙ୍ଗୀର ଡିଏଫ ଓ ନୀତିଶକୁମାର ତତ୍କାଳୀନ ରେଞ୍ଜର ଦିଲିପ ନାଏକଙ୍କୁ ସୋନପୁର ଜିଲ୍ଲାର ଉଲୁଣ୍ଡାକୁ ବଦଳି କରିଦେବା ସହ ଉକ୍ତ ମହିଳା ବନରକ୍ଷୀଙ୍କୁ ଖପ୍ରାଖୋଲକୁ ବଦଳି କରିଦିଆଯାଇ ଥିଲେ ହେଁ , ଅଦ୍ୟାବଧି ତାଙ୍କୁ ଏଠାରୁ ରିଲିଭ୍ କରା ନଯାଇ କେଉଁ କାରଣରୁ ଏବର ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ତାଙ୍କୁ ତଥାପି ଛାଡୁ ନଥିବା ଜଣାଯାଇନାହିଁ । ଏଣୁ ଏଭଳି ଜାଲିଆତିରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତେ ଜଡିତ ରହିଥିବା ସ୍ପଷ୍ଟ । ୭ ଦିନ ମଧ୍ୟରେ ଏହି ଗ୍ରାମର ପ୍ରାୟ ୬୦ ରୁ ୭୦ ଜଣ ଶ୍ରମିକଙ୍କର ବକେୟା ମଜୁରୀ ଦିଆଯିବାକୁ ପୁଲିସ୍ ଓ ଫୋନ୍ ରେ ଡିଏଫଓଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ମାମଲାକୁ ଚପାଇ ଦିଆଯାଇଛି ।
କେବଳ ଏହି ଗୋଟିଏ ଘଟଣା ନୁହେଁ , ଏହାର ସପ୍ତାହେ ଖଣ୍ଡେ ପରେ ଗତମାସ ୨୮ ତାରିଖରେ ଏହି ରେଞ୍ଜ୍ ର ପରୁଆଭାଡି ବିଟ୍ ର ବନରକ୍ଷୀ ଲକ୍ଷ୍ମୀ ନାରାୟଣ ସ୍ବାଇଁ ରେଞ୍ଜ ଅଫିସ୍ ପରିସରସ୍ଥ ତାଙ୍କ ସରକାରୀ କ୍ବାର୍ଟରରେ ମଷ୍ଟରରୋଲ୍ ପ୍ରସ୍ତୁତ କରିଦେବାକୁ ଜଣେ ଶ୍ରମିକପ୍ରତିନିଧିଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ।