-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
19-May-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ଗତ ୫ ତାରିଖରେ ଯୋଗୀମୁଣ୍ଡାକୁ କାମ ତଦାରଖ ପାଇଁ ଯାଇ ବନକାବିଅରଛକରୁ ନିଖୋଜ୍ କୁହାଯାଉଥିବା ଏବଂ ପରଦିନ ସେଠାରୁ କିଛିଦୂରସ୍ଥ ଏକ କପାକ୍ଷେତରୁ ତାଙ୍କର ମୋପେଡ୍ ସହିତ କ୍ଷତବିକ୍ଷତ ମୃତଦେହକୁ ପୁଲିସ୍ ଉଦ୍ଧାର କରିବା ହତ୍ୟାଅଭିଯୋଗ ମାମଲାର ତଦନ୍ତରେ ଦୀର୍ଘ ଦୁଇ ସପ୍ତାହରୁ ଉର୍ଦ୍ଧ୍ବକାଳ ବିତିଯାଇଥିଲେ ହେଁ , ତଦନ୍ତକାରୀ ପାଟଣାଗଡ ପୁଲିସ୍ ଅନ୍ଧାରରେ ବାଡି ବୁଲାଉଛି । ମୃତ ଜେଇଙ୍କ ପରିବାର ପକ୍ଷରୁ ଏସପିଙ୍କୁ ଏହା ମିଥ୍ୟାବିଲ୍ ପାଇଁ ଠିକାଦାରଙ୍କ ଦ୍ବାରା ହତ୍ୟା ଅଭିଯୋଗ ଓ ପରେ କୋଶଳ ମୁକ୍ତି ମୋର୍ଚ୍ଚାର ବ୍ଲକ୍ ଓ ଥାନାରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ୫ ଦିନ ମଧ୍ୟରେ ହତ୍ୟାକାରୀଙ୍କୁ ନ ଧରିଲେ ଆନ୍ଦୋଳନ ଚେତାବନୀ ପରେ ଗତକାଲି ବଲାଙ୍ଗୀରରେ ଜେଇସଂଘ ପକ୍ଷରୁ ତଦନ୍ତ ଦାବି କରି ଏକ ମହମବତୀ ରାଲି ମଧ୍ୟ କରାଯାଇଛି । ତଥାପି ଘଟଣାର ଦୀର୍ଘ ଚଉଦଦିନ ପରେ ପୁଲିସ୍ ତଦନ୍ତରେ ଅଗ୍ରଗତି କରିପାରି ନଥିବା ଜଣାଯାଇଛି । ଏଯାବତ୍ ଶବବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବା , ବିଡିଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବନ୍ଦ କରାଇ ଦୀର୍ଘ ଛୁଟିରେ ଚାଲିଯିବା , ଏସଡିପିଓ ମଧ୍ୟ ଦୀର୍ଘ ଛୁଟିରେ ରହିବା ଓ ଛୁଟିରୁ ଫେରି ଥାନାଧିକାରୀ ଆଉଥରେ ମୂଳରୁ ତଦନ୍ତ କରି ସୁଦ୍ଧା ଏଯାଏଁ କୌଣସି ସୁରାକ୍ ନ ପାଇବା , ଏଥିରେ ରାଜନୈତିକ ପୃଷ୍ଠପୋଷକତାରେ ଥିବା ଠିକାଦାରଙ୍କ ସମ୍ପୃକ୍ତି ଅଭିଯୋଗର ଚର୍ଚ୍ଚା ଓ ଜିଲ୍ଲାପାଳ ଓ ଏସପି ସେଇବାଟ ଦେଇ ଯାଆଆସ କରୁଥିବା ସତ୍ତ୍ବେ , ଏହି ଚର୍ଚ୍ଚିତ ହତ୍ୟାମାମଲାର ପ୍ରତ୍ୟେକ୍ଷତଦନତରେ ଆଗ୍ରହ ପ୍ରକାଶ ନକରିବା ଏବଂ ଏହି ଘଟଣାରେ ସେଇ ସହରର ବାସିନ୍ଦା ଅଞ୍ଚଳର ବିଧାୟକ ବା ସାଂସଦ ମୁହଁ ନଖୋଲିବା ଇତ୍ୟାଦି ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଓ ସନ୍ଦେହର ଗୁଞ୍ଜରଣ ସୃଷ୍ଟି କରିଛି ।
ତେବେ ଏହାପଛରେ ଯୋଗୀମୁଣ୍ଡାରେ ହାଇସ୍କୁଲରେ ଚାଲିଥିବା ୫ ଟି ' ମୋ ସ୍କୁଲ୍ ' ଯୋଜନାର ରୂପାନ୍ତରିତ କାମରେ ନିୟୋଜିତ ୩ ଜଣ ବହିଷ୍କୃତ ଠିକାଦାରଙ୍କୁ ସନ୍ଦେହର ପରିସରଭୁକ୍ତ କରାଯାଇ ଚର୍ଚ୍ଚା ହେଉଥିବାବେଳେ , ସେମାନେ ସମ୍ପୃକ୍ତ ରହିଥିବାର ସେପରି ପ୍ରମାଣ ପୁଲିସ୍ ହାତରେ ଲାଗିପାରିନାହିଁ ।
ଅନ୍ୟପକ୍ଷରେ ମୃତଦେହ ଓ ତାଙ୍କ ମୋପେଡ୍ ପଡିଥିବା ବାଟଘାଟ ନଥିବା ଏକ ଡୁଙ୍ଗୁରିତଳ ଅପନ୍ତରାକୁ ସ୍ପଷ୍ଟ ଦିବାଲୋକରେ କିଏ କିପରି ନେଲା , ଏହାର ସଂଯୋଗର ସୂତ୍ର ମିଳିପାରୁନାହିଁ । ତେବେ ମୃତଦେହ ଓ ମୋପେଡ୍ ପଡିଥିବା ସ୍ଥାନ ନିକଟରେ ଏକ ଚହଲା ବା ଫାର୍ମପଣ୍ଡ୍ କାମ ଚାଲିଛି । ବନକାବିଅର ଗ୍ରାମର ଉକ୍ତ ଚାଷୀଙ୍କୁ ମଧ୍ୟ ପୁଲିସ୍ ସନ୍ଦେହରେ ଥାନାକୁ ଡକାଇ ପଚରାଉଚୁରା କରି ଛାଡିଦେଇଛି । ଏହି ଫାର୍ମପଣ୍ଡ୍ ୫୦ହଜାର ଟଙ୍କାର ଓ ଏହାର ବିଲ୍ ୩୨ ହଜାର ଟଙ୍କାର କରାଯାଇ ଅବଶିଷ୍ଟ ୧୮ ହଜାର ଟଙ୍କାର ବିଲ୍ ବାକି ରହିଥିବା ଏବଂ ଏହା କରୁଥିବା ଜଣେ ଅନୁସୂଚିତ ବର୍ଗର ଜମିମାଲିକ ଜେସିବିରେ ପ୍ରାୟ ୭୫ ହଜାର ଟଙ୍କାର ମାଟି ଖୋଳାଇ ଆଉ କିଛି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି । ତେଣୁ ଅଞ୍ଚଳରେ ହେଉଥିବା ଚର୍ଚ୍ଚା ଓ ସନ୍ଦେହରୁ ଏହା ମଧ୍ୟ ଅନୁମାନ କରାଯାଉଛି ଯେ , ହୁଏତ ଉକ୍ତଦିନ ସେଇ ଚାଷୀ ଜେଇଙ୍କୁ ଭେଟିପକାଇ ତାଙ୍କୁ ଯୋରଜବରଦସ୍ତି ସେଇ ଫାର୍ମପଣ୍ଡ୍ ସ୍ଥାନକୁ ଡାକିନେଇଥାଇ ପାରନ୍ତି ଓ ସେଠାରେ ଜେସିବି ଖୋଳାକାମର ବିଲ୍ ନ କରିବାକୁ ଜେଇ ବିରୋଧ କରିଥିବା ଏବଂ ଏହାକୁ କେନ୍ଦ୍ରକରି ବଚସାରୁ କିଛି ଘଟିଯିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି । ଯଦି ଏହା ଘଟିଥାଏ , ତେବେ ମୃତଦେହ ଓ ମୋପେଡ୍ କୁ ଅଳ୍ପଦୂର ଘୋଷାଡି ନେଇ ହତ୍ୟାକାରୀ ଫିଙ୍ଗିଦେଇଥିବା ଖୁବ୍ ସମ୍ଭବ । ଏଣୁ ନିକଟସ୍ଥ ଫାର୍ମପଣ୍ଡ୍ କାମକୁ ମଧ୍ୟ ତଦନ୍ତକାରୀ ପୁଲିସ୍ ଗୁରୁତ୍ୱର ସହିତ ତର୍ଜମା କରି ତଦନ୍ତର ପରିସରଭୁକ୍ତ କରିବାକୁ ଜନମତ ପ୍ରକାଶ ପାଉଛି ।