-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
17-Mar-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ସଂପ୍ରତି ମୁରିହାହାଲ ବ୍ଲକ୍ ର ଏଭଳି ମାମଲାଟି ଚର୍ଚ୍ଚାରେ । ନିର୍ବାଚନ ଫଳାଫଳ ଘୋଷଣା ପରେ ହାରିଯିବାରୁ ପୂର୍ବତନ ଉପାଧ୍ୟକ୍ଷା କୁଆଡେ ବ୍ଲକ୍ ପରିସରସ୍ଥ ଅଧ୍ୟକ୍ଷଙ୍କ ଅଫିସ୍ ରେ ଲଗାଯାଇଥିବା ଏସି , ଏଲ୍ ସିଡି ଟିଭି , ଫ୍ୟାନ୍ ଇତ୍ୟାଦି ସବୁ ମୂଲ୍ୟବାନ୍ ଆସବାବପତ୍ରକୁ ଲୋକଲଗାଇ ଖୋଲି ନେଇଥିଲେ । ଏପରିକି ସେ ଏ ଟେବୁଲ୍ , ଚୌକି ...ସବୁ ଆମର , ନେଇଆସ !' ବୋଲି ତାଙ୍କ ଲୋକମାନଙ୍କୁ କହୁଥିବା ପ୍ରକାଶ । ଏକଥା ଜଣାପଡିବା ପରେ ବିରୋଧୀଦଳ ପକ୍ଷରୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାପ ପକାଯାଇଥିଲା । ଏଣୁ ବିଡିଓ ସମ୍ପୃକ୍ତା ଉପାଧ୍ୟକ୍ଷାଙ୍କୁ ପ୍ରଥମେ ସେସବୁ ଜିନିଷପତ୍ର ଫେରାଇଦେବାକୁ ଏକ ନୋଟିସ୍ ଦିଆଯିବାପରେ , ତାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଉକ୍ତ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ ଓ ତାଙ୍କ ସ୍ବାମୀ ଙ୍କ ବିରୋଧରେ ଏକ ଚୋରି ଏତଲା ଦିଆଯାଇଥିବା ପ୍ରକାଶ । ପୁଲିସ୍ ଏହା କାହା ଟଙ୍କାରେ କିଣାଯାଇଛି , ତାହାର ଅନୁସନ୍ଧାନ ଚଳାଇଥିବା ଓ ତା'ପରେ ମାମଲା ଋଜୁ ହେବ କି ନହେବ , ସେ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୁଣିବାକୁ ମିଳିଛି । ତେବେ ଏସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କ ଉତ୍ତରରେ ବିଡିଓ ଓ ପୁଲିସ୍ ନୀରବତା ଅବଲମ୍ବନ କରିଥିବାବେଳେ , ଉପାଧ୍ୟକ୍ଷା କୁଆଡେ ସଫେଇ ଦେଇଛନ୍ତି ଯେ , ଏସବୁ ଆମ ପଇସାରେ କିଣାଯାଇଥିଲା । ନେବା ଆଗରୁ ଆମେ ବିଡିଓଙ୍କୁ କହି ନେଇଥିଲୁ । ତା'ପରେ ସେ ଫେରାଇବାକୁ ନୋଟିସ୍ ଦେବାରୁ ଆମେ ମଧ୍ୟ ଫେରାଇଦେବାକୁ ରାଜି ହେଇଥିଲୁ । ଏହାସତ୍ତ୍ବେ ପୁଣି କାହିଁକି ଆମ ନାଁ'ରେ କେସ୍ ଦେଲେ ? '
ତେବେ ସେ ଯାହାହେଉ ନା କାହିଁକି , ଯେତେବେଳେ ବ୍ଲକ୍ ଅଧ୍ୟକ୍ଷଙ୍କ ଅଫିସ୍ ରେ ଏତେ ଟଙ୍କା ଖର୍ଚ୍ଚ କରାଯାଇ ସେସବୁ ମୂଲ୍ୟବାନ ଉପକରଣ ଲଗାଯାଇଥିଲା , ସେତେବେଳେ ଏପରି ବଦଖର୍ଚ୍ଚକୁ ନେଇ କଥା ଉଠିଥିଲା । ପ୍ରକୃତରେ ସେସବୁ ନିମନ୍ତେ ବ୍ଲକ୍ ର ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ କରାଯାଇଥିଲା କି ନାହିଁ , ତଦନ୍ତସାପେକ୍ଷ । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ହେଲା : ଏତେବର୍ଷ ଧରି ବ୍ଲକ୍ ର ବିଭିନ୍ନ ଯୋଜନାରୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ପିସି ନେଉଥିଲେ କି ନାହିଁ , ତାହା ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯାଉ ! ' ଉଲ୍ଲେଖନୀୟ ଯେ , ଏହାପୂର୍ବରୁ ଟିଟିଲାଗଡର ବିଜେଡି ସମର୍ଥିତ ହଂସରାଜ ଜୈନ ଅଧ୍ୟକ୍ଷ ଥିଲେ ଓ ଏହି ଉପାଧ୍ୟକ୍ଷାଙ୍କ ସହିତ ତାଙ୍କର ସୁସମ୍ପର୍କ ରହିଥିବା ଜଣାଶୁଣା । ଚଳିତଥର ବିଜେଡି ସମର୍ଥିତ ହରିବନ୍ଧୁ ମେହେର ଅଧିକ ଦୁଇଟି ଭୋଟ୍ ରେ ବିଜୟୀ ହୋଇ ଅଧ୍ୟକ୍ଷ ହୋଇଛନ୍ତି ।
ତେବେ କେବଳ ଏହି ସଦ୍ୟଘଟଣାଟି ନୁହେଁ , ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗତ କୋଭିଡ୍ ସମୟରେ ସଙ୍ଗରୋଧଗୃହ ନିମନ୍ତେ କିଣାଯାଇଥିବା ପଙ୍ଖା , ଖଟ , ଜେନେରେଟର , କୁଲର୍ , ଗଦି ଓ ଅନ୍ୟାନ୍ୟ ଉପକରଣ ଓ ସାମଗ୍ରୀର ବ୍ୟାପକ ବାଟମାରଣା ଓ ହଡପଘଟଣାର ଅଭିଯୋଗକୁ ପ୍ରଶାସନ ଚପାଇ ଦେଇଛି । ତୁରେକେଲା ବ୍ଲକ୍ ରେ କିଛିଦିନତଳେ ଏପରି ଏକ ଅଭିଯୋଗ ପ୍ରକାଶ ପାଇଥିଲା । ଖୋଳତାଡ ହେଲେ , ଜିଲ୍ଲାର ଅନେକ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ଦ୍ବାରା ଏଭଳି ବହୁ ଅନିୟମିତତାର ଘଟଣା ବାହାରିବ । ଏଣୁ ଲୋକେ ଏହାକୁ ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ' ଠାକୁର ଖାଇ ଖଟୁଳି ଖାଇଦେଉଥିବା ' ଭଳି ସମାଲୋଚନା ପ୍ରକାଶ କରିଛନ୍ତି ।