-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
16-Mar-2022
କିବ୍: ଆଜିକୁ ୨୦ଦିନ ବିତିଲାଣି, ହେଲେ ରକ୍ତରେ ହୋଲି ଖେଳିବା ବନ୍ଦ କରିନାହିଁ ରୁଷ୍। ନିଜର ସର୍ତ୍ତ ପୂରଣ ହୋଇନଥିବାରୁ ଗୋଟେ ପରେ ଗୋଟେ ସହରକୁ ଧସେଇ ପସିଚାଲିଛନ୍ତି ରୁଷୀୟ ସେନା। ଶହ ଶହ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏବେ ବ୍ରିଟେନ ସରକାର ଏକ ବଡ଼ ପଦକ୍ଷେପ ନେଇଥିବା ଦେଖାଯାଇଛି। ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ରୁଷ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ବ୍ରିଟେନ ରୁଷୀୟ ଆମଦାନୀ ଉପରେ ଅତିରିକ୍ତ ୩୫ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଭୋଡକାଠୁ ଆରମ୍ଭ କରି ଇସ୍ପାତ ପର୍ଯ୍ୟନ୍ତି ସବୁଥିରେ ଅତିରିକ୍ତ ୩୫ପ୍ରତିଶତ ଶୁଳ୍କ ଲାଗୁ ହେବ।
ଏହା ସହ ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି ରୁଷ। ଏହି ନିଷ୍ପତ୍ତି ବ୍ରିଟେନର ବ୍ୟବସାୟ ଉପରେ କମ ପ୍ରଭାବ ପକାଉଥିବା ବେଳେ ଆମେ ପୁଟିନଙ୍କର ସର୍ବାଧିକ କ୍ଷତି କରିବାକୁ ଚାହୁଁଛୁ ବୋଲି ଆନ୍ତର୍ଜାତୀୟ ବାଣିଜ୍ୟ ବିଭାଗ କହିଛି। ଏହା ପୂର୍ବରୁ ବ୍ରିଟେନ ସରକାର ରୁଷୀୟ ସଂସଦର ନିମ୍ନ ଗୃହ ଡୁମାର ୩୮୬ ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା।
ତେବେ ଏ ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀ ଦାବି କରିଛି ଯେ, ରୁଷ ସହିତ ହେଉଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଏପର୍ଯ୍ୟନ୍ତ ୧୩,୫୦୦ ରୁଷୀୟ ସୈନିକ ନିହତ ହୋଇଛନ୍ତି। ୟୁକ୍ରେନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରୁଷର ୪ଟି ହେଲିକପ୍ଟର, ଗୋଟିଏ ବିମାନ ଏବଂ ଗୋଟିଏ ଯୁଦ୍ଧ ବିମାନକୁ ତଳକୁ ଖସାଇ ଦିଆଯାଇଛି।
ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଏହା ସମୁଦାୟ ୮୧ ରୁଷିଆ ବିମାନ ଏବଂ ୯୫ ହେଲିକପ୍ଟର ତଳକୁ ଖସାଇଛନ୍ତି ୟୁକ୍ରେନ ସେନା। ଏହା ବ୍ୟତୀତ ରୁଷର ସମସ୍ତ ଅସ୍ତ୍ର ମଧ୍ୟ ଆକ୍ରମଣ ଦ୍ୱାରା ନଷ୍ଟ ହୋଇଯାଇଛି। ରୁଷର ୪୦୪ଟି ଟ୍ୟାଙ୍କ ଧ୍ବଂସ ହେବା ସହ ୬୪୦ଟି ଗାଡ଼ି, ୧୨୭୯ଟି ଅସ୍ତ୍ରଶସ୍ତ୍ର ସଜ୍ଜିତ ଗାଡ଼ିକୁ ନଷ୍ଟ କରିଛନ୍ତି ୟୁକ୍ରେନ ସେନା।