-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
15-Mar-2022
ନୂଆଦିଲ୍ଲୀ: ବୈଷୟିକ କାରଣ ପାଇଁ ଅଟକିଲା ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନା। ଦୁଇ ଦେଶର ପ୍ରତିନିଧି ଦଳମାନେ ସର୍ତ୍ତଗୁଡିକ ସ୍ପଷ୍ଟ କରିବା ପାଇଁ ଏବଂ ସମାଧାନର ବାଟ ବାହାର କରିବା ନେଇ ସମୟ ଦରକାର ଥିବାରୁ ବୈଠକୁ ଅଟକାଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି ପୁଣି ଥରେ ବୈଠକ କରାଯିବା ସହ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ଉଭୟ ଦେଶ ମଧ୍ୟରେ ଏହି ବାର୍ତ୍ତାଳାପ ଭର୍ଚୁଆଲ୍ ମୋଡରେ କରାଯାଉଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ରାଉଣ୍ଡ ଆଲୋଚନା ବିଫଳ ହୋଇଥିବା ବେଳେ ଚତୁର୍ଥ ରାଉଣ୍ଡ ପରେ କ’ଣ ଫଳାଫଳ ଆସିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଆଲୋଚନା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହଯୋଗୀ ମାଇଖାଇଲୋ ପୋଡୋଲିକ କହିଥିଲେ ଯେ ଭିଡିଓ କନଫରେନ୍ସ ମାଧ୍ୟମରେ ପୁଣିଥରେ ଆଲୋଚନା ହେବ। ଅନେକ ସମସ୍ୟା ଉପରେ ନିରନ୍ତର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ଏହାପୂର୍ବରୁ ତୁର୍କୀର ଆଣ୍ଟାଲିଆ ସହରରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ତ୍ରିପାକ୍ଷିକ ବୈଠକ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଏବଂ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କ ମଧ୍ୟରେ ହୋଇଥିଲା। ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ପରେ ବି ସମସ୍ୟାର ସମାଧାନ ହୋଇପାରିନଥିଲା।
ଏହି ବୈଠକ ପରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଥିଲେ ଯେ ରୁଷର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭଙ୍କ ସହ ଚୁକ୍ତି କରିବା ଅତ୍ୟନ୍ତ କଷ୍ଟକର। ଆଲୋଚନା ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ କୌଣସି ଆଲୋଚନା ହୋଇନଥିଲା। ରୁଷର ପ୍ରତ୍ୟେକ ଚାହିଦା ପୂରଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ତେବେ ଆଜିର ବୈଠକ ପରେ କୌଣସି ସମାଧାନର ବାଟ ବାହାରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।