-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
13-Mar-2022
ବଲାଙ୍ଗୀର,(ପ୍ରେରଣା ଖବର)-ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାରତୀୟଜନତା ପାର୍ଟି ଏକକ ସଂଖ୍ୟାଗରିଷ୍ଠ ହୋଇଥିଲା ଓ ଅଧ୍ୟକ୍ଷା ବସାଇଥିଲା । ସେ ସମୟରେ ଭାଜପା ଆଗଲପୁର ଜୋନ ୧ର ଜିଲ୍ଲାପରିଷଦ ସଭ୍ୟା ଭାରତୀ ମହାନନ୍ଦ ଅଧ୍ୟକ୍ଷା ହୋଇଥିଲେ । ଏଥର ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିଦଳ ୩୪ ଆସନରୁ ୨୬ଟି ଆସନ ଜିଣି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଆଜି ଜିଲ୍ଲାପରିଷଦ ସଭ୍ୟା/ସଭ୍ୟାଙ୍କ ଶପଥଗ୍ରହଣ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ନିର୍ବାଚନ ରହିଥିଲା । ବଲାଙ୍ଗୀର ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସେହି ଆଗଲପୁର ଜୋନ ୧ର ସଭ୍ୟା ଦେବକୀ ସାହୁଙ୍କୁ ବିଜେଡିଦଳ ଅଧ୍ୟକ୍ଷା ପଦରେ ବସାଇଛି । ଦେବକୀ ସାହୁ ଜଣେ ଗ୍ରାଜୁଏଟ ମହିଳା ହୋଇଥିବା ସହିତ ସେ ବାବୁଫାସଡ ପଞ୍ଚାୟତର ସରପଞ୍ଚ ରହିଥିଲେ । ଜଣେ ଅଭିଜ୍ଞ ମହିଳା ଭାବରେ ତାଙ୍କୁ ବିଜେଡି ସୁପ୍ରୀମୋ ଅଧ୍ୟକ୍ଷା ପଦରେ ବସାଇଛନ୍ତି ।
ଗତ କିଛିଦିନ ଧରି ବଲାଙ୍ଗୀର ଜିଲ୍ଲାର ଅଧ୍ୟକ୍ଷା ଆସନରେ କିଏ ବସିବ ସେନେଇ କଲ୍ପନାଜଲ୍ପନା ଚାଲିଥିଲା । ପୂର୍ବରୁ ଟିଟିଲାଗଡର ଗୀତା ବିଶି,ଲୋଇସିଂହା ଜୋନ ୩୩ର ଲିଲିମା ବେହେରା ଓ ବଲାଙ୍ଗୀର ସଦର ବ୍ଲକ ୨୨ନମ୍ବର ଜୋନର ଅନାମିକା ହୋତାଙ୍କ ନାମ ଅଧ୍ୟକ୍ଷା ହେବେ ବୋଲି ଶୁଣାଯାଉଥିଲା । ବଲାଙ୍ଗୀର ଜିଲ୍ଲା ଦାୟୀତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂ,ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓଙ୍କ ସହିତ ମିଶି ଆଲୋଚନା କଲାପରେ ଦେବକୀଙ୍କ ନାମରେ ମୋହର ପଡିଥିଲା । ମୁଖ୍ୟତଃ ଯେଉଁ ବିଧାନସଭା କ୍ଷେତ୍ରରେ ବିଧାୟକ ନାହାଁନ୍ତି ସେହି ଅଞ୍ଚଳରେ ସାଂଗଠନିକ କାର୍ଯ୍ୟକ୍ରମକୁ ବଢାଇବାକୁ ସେହି ଅଞ୍ଚଳରୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦିଆଯିବାକୁ ସ୍ଥିର କରାଯାଇଥିଲା । ଦେବକୀଙ୍କ ସ୍ୱାମୀ ଲେଙ୍କା ସାହୁ ଆଗଲପୁର ବ୍ଲକର ଜଣେ ଦକ୍ଷ ଯୁବସଂଗଠକ । ସେହି ଅଞ୍ଚଳରେ ଚଳିତଥର କଂଗ୍ରେସର ନରସିଂହ ଗୋଷ୍ଠୀକୁ ମାତ ଦେବାରେ ସେ ସଫଳ ହୋଇଥିଲେ । ଏହା ସହିତ ଲେଙ୍କା ପୂର୍ବତନ ସାଂସଦ କଳିକେଶଙ୍କର ଜଣେ ଅନୁଗତ ଅଟନ୍ତି । ସେହି ଦୃଷ୍ଟିରୁ ଦେବକୀଙ୍କୁ ପ୍ରଧାନ୍ୟତା ଦିଆଯାଇଥିବା ଆଲୋଚନା ହୋଇଛି । ଆଜି ନିର୍ବାଚନ ବେଳେ ବଲାଙ୍ଗୀର ଜିଲ୍ଲାପରିଷଦ ନିର୍ବାଚନ ଚାଲିଥିବା ବେଳେ ଡିଆରଡିଏରେ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ଉପସ୍ଥିତ ଥିଲେ । ଠିକ ୧୧.୩୦ମି ସମୟରେ ବନ୍ଦ ଲଫାପା ଖୋଲାଯାଇଥିଲା ଓ ଦେବକୀ ଫର୍ମକିଣି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏକମାତ୍ର ଅଧ୍ୟକ୍ଷା ପ୍ରାର୍ଥି ନାମାଙ୍କନ ପତ୍ରଦାଖଲ କରିଥିବାରୁ ଦିନ ୧ଟାରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା । ଜିଲ୍ଲାର ପର୍ଯ୍ୟଟନ,ଜଳସେଚନ,ଗମନାଗମନ,ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନବୀନ ସରକାର ଗୁରୁତ୍ୱଦେଉଛନ୍ତି ବୋଲି ଆଜି ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ଗଣମାଧ୍ୟମକୁ କହିଛନ୍ତି । ନିର୍ବାଚନ ସରିଲାପରେ ଆଜି ଦିନ ୧.୩୦ରେ ଶୈଳଶ୍ରୀ ପ୍ୟାଲେସରୁ ବିଜେଡିର ଏକ ପ୍ରଚାରରଥ ଆସିଥିଲା ଓ ସେଥିରେ ନବନିର୍ବାଚିତ ଅଧ୍ୟକ୍ଷା ଦେବକୀ ସାହୁ ଓ ଅନ୍ୟମାନେ ପ୍ୟାଲେସକୁ ଯାଇ ଦଳର ବରିଷ୍ଠନେତା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ,ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଆଶୀର୍ବାଦ ନେଇଥିଲେ । ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯିବ ବୋଲି ଉପସ୍ଥିତ ନେତା ଓ ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ । ନବନିର୍ବର୍ାଚିତ ଅଧ୍ୟକ୍ଷା ଦେବକୀଙ୍କୁ ବିଜେଡିଦଳର ସୋସିଆଲମିଡିଆ ଦାୟୀତ୍ୱରେ ଥିବା ବିଭୁତିଭୁଷଣ ସାହୁ,ବେଲଗାଁ ସରପଞ୍ଚ ରାମଚନ୍ଦ୍ର ବେହେର ଓ ଆଗଲପୁର ଅଞ୍ଚଳରୁ ଆସିଥିବା ନେତାଗଣ ସ୍ୱାଗତ କରିଥିଲେ ।