-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
13-Mar-2022
ବଲାଙ୍ଗୀର: (ମଳୟ ମିଶ୍ରଙ୍କ ରିପୋର୍ଟ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଦ୍ୟାବଧି ଦୁଇଟି ସ୍ତରର ନିର୍ବାଚନଫଳାଫଳ ଜଣାପଡିସାରିଛି । ସରପଞ୍ଚଙ୍କ ବିଜୟ ପରେ ଆଜି ପଞ୍ଚାୟତ ସମିତି ବା ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସରିଲା । ଫଳାଫଳରୁ ଯାହା ଜଣାପଡିଛି , ବଲାଙ୍ଗୀର ଲୋକସଭା ଆସନ ଅନ୍ତର୍ଗତ ବଲାଙ୍ଗୀର ଜିଲ୍ଲାର ୧୪ ଟି ଓ ସୁବର୍ଣ୍ଣପୁର ୬ ଟି ବ୍ଲକ୍ ରେ ବିଜେପି ନିଜର ଗୋଟିଏ ବି ସମର୍ଥିତ ଚେୟାରମ୍ୟାନ୍ ବସାଇ ପାରିନାହିଁ । ଜନସାଧାରଣ ଓ ରାଜନୈତିକ ପର୍ଯ୍ୟବେକ୍ଷକମାନେ କହନ୍ତି ଯେ , ଆତ୍ମକୈନ୍ଦ୍ରିକ ନେତୃତ୍ୱ , ମନଇଚ୍ଛା ରଜାଗୋଜାଙ୍କ ଅହଂମନ୍ୟତାରେ ଭୁଲ୍ ପ୍ରାର୍ଥୀଚୟନ ଓ ଦୁର୍ବଳ ପରିଚାଳନା ଯୋଗୁଁ ଏକଦା ରାଜ୍ୟରେ ଦଳର ପତିଆରା ସୃଷ୍ଟି କରିପାରିଥିବା ବିଜେପି କ୍ରମଶଃ ତଳକୁ ତଳକୁ ଖସୁଥିବାର ଇଏ ଏକ ଉଦାହରଣ । ଏବଠୁଁ ଯାହା ଜଣାପଡିଲାଣି , ଆଗାମୀ ପୌରନିର୍ବାଚନରେ ମଧ୍ୟ ଫଳାଫଳ ନିରାଶାଜନକ ହେବାର ସମ୍ଭାବନାକୁ ଏଡାଇ ହେଉନାହିଁ । ଏଣୁ ବିକଳ୍ପ ସ୍ବରୂପ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଓ ଏଠାରେ ଏବଠୁଁ ନେତୃତ୍ୱ ପରିବର୍ତ୍ତନ ନକଲେ ଦଳ କଂଗ୍ରେସ ପରି କ୍ଷତି ସହିବାକୁ ପ୍ରସ୍ତୁତ ହୋଇଯାଉ ।
ବିଜେପି ଏକ ସର୍ବଭାରତୀୟ ଦଳ ଓ ଦଳରେ ମୋଦୀଲହର ବରକରାର୍ ରହିଛି । ସଦ୍ୟସମାପ୍ତ ଉତ୍ତରପ୍ରଦେଶ ନିର୍ବାଚନରେ ପୁଣି କ୍ଷମତାକୁ ଆସିବା ଦଳପ୍ରତି ଲୋକଙ୍କର ଗ୍ରହଣୀୟତାର ପ୍ରମାଣ । ଏଭଳି ଉଦୟମାନ ପରିସ୍ଥିତିରେ କେତେକ ଯେନତେନ ପ୍ରକାରେଣ ପଦମାନଙ୍କରେ ରହି କ୍ଷମତା ଉପଭୋଗ କରିବା , ମୋଦୀଲହରରେ ପୁନଃନିର୍ବାଚିତ ହୋଇଯିବା , ଦଳରେ ନୂତନ ସଂସ୍କାର ନ କରି ତୁଚ୍ଛ ମିଛକଥା କହି ଓ ଅନ୍ୟକୁ ଆକ୍ଷେପ କରି ଚାଲିଥିବା ସହ ସଂଗଠନ ପ୍ରତି ଗୁରୁତ୍ୱ ନଦେଇ ଅପେକ୍ଷାକୃତ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଆଣି ଛିଡା କରାଇବା ଇତ୍ୟାଦି ଦଳର ବିପର୍ଯ୍ୟୟର କାରଣ । ଏଣୁ ବେଳ ଥାଉଁ ଥାଉଁ କେନ୍ଦ୍ରନେତୃବୃନ୍ଦ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ଦଳର ବହୁଅନୁଗାମୀ , କର୍ମୀ ଓ ଜନସାଧାରଣ ମତବ୍ୟକ୍ତ କରୁଛନ୍ତି ।