-+91-9937148622 |
prerana_bgr@rediffmail.com |
Wednesday 6th December 2023 |
R.N.I. Regd No. ODIODI/2010/46693
Breaking News
01-Mar-2022
ଗ୍ରାମାଞ୍ଚଳରେ ଅନେକ କଳାକାର ଲୋକଲୋଚନକୁ ଆସିପାରୁ ନାହାନ୍ତି । ବଣମଲ୍ଲି ହୋଇ ଶେଷରେ ଝଡି ଯାଉଛନ୍ତି ସେମାନେ । ବଣମଲ୍ଲୀର ବାସ୍ନାକୁ ଲୋକେ ଆଘ୍ରାଣ କରିବାକୁ ପ୍ରେରଣା ବଲାଙ୍ଗୀର ସମ୍ବାଦପତ୍ରର ଏ ନିଆରା ପ୍ରୟାସ...(ଉପସ୍ଥାପନା ପଦ୍ମପୁର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ)
ପ୍ରଶ୍ନ-ଆପଣ ଙ୍କ ପରିଚୟ ?
ମମତା-ମୋ ପରିଚୟ ମୁଁ ମମତା ବରିହା, ଗ୍ରାମ-ଲମ୍ବରଯୁନା ଥାନା-ପଦ୍ମପୁର ଜିଲ୍ଲା-ବରଗଡ ର ବାସିନ୍ଦା
ପ୍ରଶ୍ନ-ଆପଣ କେବେଠାରୁ ନୃତ୍ୟ ଶିକ୍ଷା କରିବା ଆରମ୍ଭ କଲେଣି ?
ମମତା-ମୋତେ ଯେତେବେଳେ ୭ ବର୍ଷ ହେଉଥିଲା, ମୁଁ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିଲି ସେଇଦିନଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଛି
ପ୍ରଶ୍ନ-ବିଭିନ୍ନ ପ୍ରକାରର ନୃତ୍ୟ ରହିଛି, କିନ୍ତୁ ସମ୍ବଲପୁରୀ ନୃତ୍ୟକୁ କାହିଁକି ଆପଣ ପସନ୍ଦ କଲେ ?
ମମତା-କାରଣ ଆମର ମାତୃଭାଷା ଓଡ଼ିଆ ହେଲେ ମଧ୍ୟ, ଆଞ୍ଚଳିକ ଭାଷା ହେଉଛି ସମ୍ବଲପୁରୀ/କୋଶଲୀ । ଏହା ହେଉଛି ଆମର ମୂଳଭାଷା l ଛୋଟ ସମୟରୁ ହିଁ ସମ୍ବଲପୁରୀ ଲୋକଗୀତ, ଲୋକନୃତ୍ୟ ସହିତ ଓତଃପ୍ରୋତଭାବେ ପରିଚିତ ଏବଂ ଏଥିରେ ଭିନ୍ନ ପ୍ରକାରର ମଧୁରତା ଭରି ରହିଛି
ପ୍ରଶ୍ନ: ଆପଣ ଏହି ନୃତ୍ୟ ପରିବେଷଣ କରି କେଉଁ କେଉଁ ସ୍ଥାନରେ ପୁରସ୍କୃତ/ସମ୍ମାନିତ ହୋଇଛନ୍ତି ?
ମମତା-ନୂଆଖାଇ ଭେଟଘାଟ (୨୦୧୨)-କଲିକତା, ରାଜ୍ୟପାଳ ଟ୍ରଫି (୨୦୧୬)ବରଗଡ, ରାଜ୍ୟସ୍ତରୀୟ ଲୋକନୃତ୍ୟ(୨୦୧୬)- ଭୂବନେଶ୍ୱର, ଜିଲ୍ଲାସ୍ତରୀୟ ଲୋକନୃତ୍ୟ (୨୦୧୭)-ବରଗଡ଼, ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ (୨୦୧୪, ଭାରତ ସରକାରଙ୍କ ଆନୁକୁଲ୍ୟରେ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ବୃତ୍ତି (୨୦୧୪), ଜାତୀୟ ସାଂସ୍କୃତିକ ମହୋତ୍ସବ,ନୂଆଁଦିଲ୍ଲୀ (୨୦୧୭ ଓ ୨୦୧୮)
ପ୍ରଶ୍ନ: ନୃତ୍ୟ ଶିକ୍ଷା ପାଇଁ ଆପଣଙ୍କୁ ପ୍ରେରଣା ଦେଲେ କିଏ ?
ମମତା- ଆମ ପରିବାର ହେଉଛି ଏକ କଳାକାର ପରିବାର ।ଅଜା ଜଣେ ମୃଦଙ୍ଗ ବାଦକ,ବାପା ମାଧବ ବରିହା, ନୃତ୍ୟ ଶିକ୍ଷକ ମୋ ମା ଠାରୁ ଆରମ୍ଭ କରି ଭଉଣୀ ମାନଙ୍କ ପର୍ଯ୍ୟନ୍ତ ପ୍ରେରଣା ପାଇଛି । ପରେ ନୃତ୍ୟ ଗୁରୁଶ୍ରୀ ସୁରେନ୍ଦ୍ର ସାହୁ ଏବଂ ଗୁରୁଶ୍ରୀ ଲାଦୁ ମହାନନ୍ଦଙ୍କ ଠାରୁ ନୃତ୍ୟ ଶିକ୍ଷା କରି ଆସୁଅଛି । ସେମାନେ ସମସ୍ତେ ମୋର ଦିଗଦର୍ଶକ । ବର୍ତ୍ତମାନ ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୂବନେଶ୍ବର ଠାରେ ଓଡ଼ିଶୀ ନୃତ୍ୟ ବିଭାଗରେ ଗୁରୁଶ୍ରୀ ଲିଙ୍ଗରାଜ ପ୍ରଧାନ ଏବଂ ଗୁରୁଶ୍ରୀ ପଙ୍କଜ କୁମାର ପ୍ରଧାନଙ୍କ ତତ୍ବାବଧାନରେ ଅଧ୍ୟୟନରତ
ପ୍ରଶ୍ନ: ଓଡିଶୀ ନୃତ୍ୟ ଶିକ୍ଷା କରିବା ସକାଶେ କାହିଁକି ପସନ୍ଦ କଲେ ?
ମମତା-ଯେହେତୁ ଓଡ଼ିଶୀ ହେଉଛି ଶାସ୍ତ୍ରୀୟ ନୃତ୍ୟ, ଏହାରି ମାଧ୍ୟମରେ ଲୋକନୃତ୍ୟକୁ ଚିହ୍ନିବା ସହଜ ହୋଇଥାଏ । ତାଛଡା ଜଣେ ଶିକ୍ଷାର୍ଥୀ ଉଭୟ ପାଠ ଓ କଳାକୁ ଏକା ସାଥିରେ ଅଧ୍ୟୟନ କରିବାର ସୁଯୋଗ ହାସଲ କରିଥାଏ
ପ୍ରଶ୍ନ-ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ କିଛି ପାର୍ଥକ୍ୟ ଅଛି'କି ?
ମମତା-ହଁ ରହିଛି । ଲୋକନୃତ୍ୟ ରେ କୈାଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ କେବଳ ଋଚି ଅନୁଯାୟୀ ଏବଂ ଧର୍ମୀୟ ପରମ୍ପରା ଅନୁସାରେ ନୃତ୍ୟ ପରିବେଷଣ କରିଥାଆନ୍ତି । କିନ୍ତୁ ଓଡ଼ିଶୀ ନୃତ୍ୟ ରେ ଶାସ୍ତ୍ରାନୁମୋଦିତ ନୃତ୍ୟ ପରିବେଷଣ କରାଯାଇଥାଏ ।
ପ୍ରଶ୍ନ-ଦୂରଦର୍ଶନ ରେ କେବେ ଆପଣଙ୍କ ନୃତ୍ୟ ପରିବେଷଣ ହୋଇଛି କି ?
ମମତା-ହଁ ସାର ହୋଇଛି ।ଇଟିକିଲି ମିଟିକିଲି-(୨୦୧୧),ନୂପୁର-(୨୦୧୮),ସି.ସି.ଆର.ଟି ନୂଆଦିଲ୍ଲୀ ପକ୍ଷରୁ ରାଜଘାଟ ଠାରେ ଗାନ୍ଧିଜୀ ଙ୍କ ୩୯ତମ ଜନ୍ମବାର୍ଷିକୀ ଅବସରରେ ସିଧା ପ୍ରସାରଣ ।
ପ୍ରଶ୍ନ-ଯଦି ଜଣେ ଝିଅ ନୃତ୍ୟ ପରିବେଷଣ କରେ, ତେବେ ସମାଜ ତାକୁ କି ପ୍ରକାର ନଜର ଦେଖେ ?
ମମତା-ଗ୍ରାମାଞ୍ଚଳରେ ଜଣେ ନୃତ୍ୟଶିଳ୍ପୀ ର ଉଚିତ ମୂଲ୍ୟ ବୁଝିଥାନ୍ତି, ସେମାନଙ୍କ ମାନସିକ ଦୃଷ୍ଟିଭଙ୍ଗୀ ଭିନ୍ନ ପ୍ରକାରର ଥାଏ । କିନ୍ତୁ ସହରାଞ୍ଚଳ ରେ ଏପରି ଘଟି ନ ଥାଏ । ବର୍ତ୍ତମାନ କିନ୍ତୁ ସଂଗୀତ, ନୃତ୍ୟ,ବାଦ୍ୟ କ୍ଷେତ୍ରରେ ବିକାଶ ପରିଲକ୍ଷିତ ହେଉଛି ।
ପ୍ରଶ୍ନ-ନୃତ୍ୟକଳା କୁ ନେଇ ଭବିଷ୍ୟତ ରେ ଆପଣ କ'ଣ ଆଶା ରଖିଛନ୍ତି
ମମତା-ଏହି ନୃତ୍ୟକଳା ଅଧ୍ୟୟନ କରି କଳାବିଭାଗରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବି ଏବଂ କଳା ସଂସ୍କୃତି ପରମ୍ପରା ର ପ୍ରଚାର ଓ ପ୍ରସାର ସହ ତାକୁ ବଞ୍ଚେଇ ରଖିବାର ପ୍ରୟାସ ଜାରି ରଖିବି ।